ସାରା ବିଶ୍ବରେ ଆତଙ୍କ ସାଜିଛି ‘କ୍ୟାନଡିଡ୍ ଓରିଶ’ ନାମକ ଏହି ଫଙ୍ଗସ୍, ୯୦ ଦିନରେ ପୀଡିତ ରୋଗୀଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୯।୪: କ୍ୟାନଡିଡ ଓରିଶ ନାମକ ଏକ ଘାତକ ଫଙ୍ଗସ୍(କବକ) ଏବେ ଧୀରେ ଧୀରେ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି। ଏହା ଏତେ ଘାତକ ଫଙ୍ଗସ ଯେଉଁ ବ୍ୟକ୍ତିକୁ ନିଜର ଶିକାର କରିଥାଏ, ତା’ର ଜୀବନ ନେବାପରେ ମଧ୍ୟ ମୃତଦେହରେ ଏହା ଜୀବିତ ରହିଥାଏ ଓ ଦ୍ରୁତ ଗତିରେ ଆଖପାଖର ଲୋକଙ୍କୁ ନିଜର ପ୍ରଭାବରେ ଆଣିଥାଏ। ଏଥିରେ ସଂକ୍ରମିତ ହେବାର ୯୦ ଦିନ ଭିତରେ ରୋଗୀର ମୃତ୍ୟୁ ହୋଇଯାଇଥାଏ। ଏବେ ଏହି ଫଙ୍ଗସ୍ ଜାପାନ, ସ୍ପେନ, ଆମେରିକା ପରେ ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାରେ କାୟା ବିସ୍ତାର କରୁଛି। ସବୁଠାରୁ ବଡ କଥା ହେଉଛି ଏଥରେ ପୀଡିତ ଥିବା ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ସେ ଯେଉଁ ସ୍ତାନରେ ରହୁଛନ୍ତି ଓ ତାଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଜିନିଷରେ ଏହା ଜୀବିତ ରହିଥାଏ।

ମେଡିକାଲ ସାଇନ୍ସ ଦୁନିଆ ଆଜିକାଲି ଏହି ନୂଆ ବିପଦ ସହିତ ଲଢେଇ କରୁଛି। ଏହା ହେଉଛି ଫଙ୍ଗସର ବିପଦ, ଯାହାକୁ କ୍ୟାନଡିଡ୍ ଓରିଶ ନାମ ଦିଆଯାଇଛି। ଏପରିକି ଏହାକୁ ଗ୍ଲୋବାଲ ଥ୍ରେଟ ଅର୍ଥାତ ବିଶ୍ବସ୍ତରୀୟ ବିପଦ ବୋଲି ଘୋଷଣା କରିଦିଆଯାଇଛି। ଏହି ଫଙ୍ଗସ ଉପରେ ଆଣ୍ଟିଫଙ୍ଗଲର ଔଷଧ କାମ କରୁନାହିଁ। ଏହାଛଡା ଫଙ୍ଗସ ଇନଫେକନର ଦ୍ବିତୀୟ ଶ୍ରେଣୀରେ ରହିଛି, ଯାହାକୁ ଏବ୍ଲିକେନ୍ସ ଶ୍ରେଣୀ ବୋଲି କୁହାଯାଏ। ଏହି କାରଣରୁ ଏହି ଫଙ୍ଗସ ବିପଦ ଜନକ ପାଲଟିଛି। ଯାହାର କୌଣସି ଚିକତ୍ସା ଏପର୍ଯ୍ୟନ୍ତ ବାହାରି ପାରିନାହିଁ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ‘କ୍ୟାନଡିଡ୍ ଓରିଶ’ ଫଙ୍ଗସ୍ ପ୍ରଭାବରେ ଅନେକ ଲୋକଙ୍କର ଜୀବନ ଯାଇଛି। ଏହି ଫଙ୍ଗସ୍ ସେହି ଲୋକଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥାଏ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ରହିଥାଏ। ୨୦୦୯ରେ ପ୍ରଥମ ଥର ପାଇଁ ଏହି ଫଙ୍ଗସ୍ ବିଷୟରେ ଜଣାପଡିଥିଲା। ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି ପେଟରେ ସମସ୍ୟା ଥିବାନେଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାଉଣ୍ଟ ସିନାଇର ହସ୍ପିଟାଲ ଫର ଆବଡିମିନଲ ସର୍ଜରୀରେ ସେ ଭର୍ତ୍ତି ହୋଇଥିଲେ। ତାଙ୍କର ରକ୍ତ ପରୀକ୍ଷାରୁ ଜଣାପଡିଥିଲା ସେ ରହସ୍ୟମୟୀ ଫଙ୍ଗସରେ ପୀଡିତ। ଏହାପରେ ତାଙ୍କୁ ଡାକ୍ତରମାନେ ଆଇସିୟୁରେ ରଖିଥିଲେ। ଏହି ଫଙ୍ଗସ ପାଇଁ ମୃତ ବ୍ୟକ୍ତିଙ୍କର ରୁମରେ ଥିବା ସମସ୍ତ ଫର୍ଣିଚରରେ ମଧ୍ୟ ଫଙ୍ଗସରେ ଆକ୍ରାନ୍ତ ହୋଇଥିଲା। ଯାହାଫଳରେ ହସ୍ପିଟାଲର ସେହି ରୁମର ଛାତ ଓ ଟାଇଲ୍ସ ମଧ୍ୟ ଉପାଡି ବାହାର କରାଯାଇଥିଲା। ତଥାପି ମଧ୍ୟ ଏହି ହସ୍ପିଟାଲରେ ବ୍ୟାପି ଯାଇଥିଲା ଏହି ଘାତକ ଫଙ୍ଗସ୍। ଏହି ରୋଗୀର ମୃତ୍ୟୁ ପରେ ମଧ୍ୟ ଏହି ଫଙ୍ଗସରେ ବହୁତ ଲୋକ ପୀଡିତ ହୋଇଥିଲେ।

ଭାରତରେ ଏହାର ସ୍ଥିତି ଅତି ଭୟଙ୍କର। ସବୁଠାରୁ ପ୍ରଥମେ ୨୦୧୧ରେ ଏସମ୍ପର୍କିତ ମାମଲା ଦେଖିବାକୁ ମିଳିଥିଲା। ପରେ ଏମ୍ସର ଡାକ୍ତରଙ୍କ ଦ୍ବାରା କରାଯାଇଥିବା ଷ୍ଟଡିରେ ଏହା ଜଣାପଡିଥିଲା ଯେ ହସ୍ପିଟାଲ ଟ୍ରାମା ସେଣ୍ଟରରେ ୨୦୧୨ରୁ ୨୦୧୭ ମଧ୍ୟରେ ଭର୍ତ୍ତି ହୋଇଥିବା ଲୋକଭ୍କ ଭିତରେ ପ୍ରାୟ ୧୦ ଜଣରୁ ୨ ଜଣ କ୍ୟାନଡିଡ୍ ଓରିଶରେ ସକ୍ରମିତ ଥିଲେ। ଏହି ଫଙ୍ଗସ ଔଷଧ ପାଇଁ ପ୍ରତିରୋଧୀ କ୍ଷମତାର ହୋଇଥାଏ। ଯେଉଁ ଲୋକମାନେ ଅଧିକରୁ ଅଧିକ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗଲର ବ୍ୟବହାର କରିଥାନ୍ତି ତାହା ମଧ୍ୟ ଏହାର ଏକ କାରଣ। ଏହି ଫଙ୍ଗସ୍ ବିଶେଷ ଭାବରେ ହସ୍ପିଟାଲ ଗୁଡିକରେ ରହିଥାଏ ଓ ରୋଗପ୍ରତିରୋଧକ କ୍ଷମତା ନଥିବା ରୋଗୀଙ୍କୁ ପ୍ରଭାବିତ କରିଥାଏ। ଏହା ଦ୍ବାରା ପ୍ରଭାବିତ ହେବା ଫଳରେ ରୋଗୀଙ୍କୁ ଜ୍ବର, ଦେହହାତ ଦରଜ ଓ ଦୁର୍ବଳ ଲାଗିଥାଏ।