କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୂଡ଼ାନ୍ତ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଲୋକସଭା ଓ ବିଧାନସଭା ସିଟ୍‌ଗୁଡ଼ିକ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା ବାକି ରହିଛି । ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି । ଆଜି ନୂଆଦିଲ୍ଳୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସ୍କ୍ରିନିଂ କମିଟିର ବୈଠକରେ ତର୍ଜମା ପରେ ଉପରୋକ୍ତ ସିଟ୍‌ଗୁଡ଼ିକର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ।
ନବରଙ୍ଗପୁର ଲୋକସଭା ପାଇଁ ପୂର୍ବତନ ସାଂସଦ ପ୍ରଦୀପ ମାଝି, କଳାହାଣ୍ଡି ଲୋକସଭା ପାଇଁ ପୂର୍ବତନ ସାଂସଦ ଭକ୍ତ ଦାସ, କୋରାପୁଟ ଲୋକସଭା ପ୍ରାର୍ଥୀ ପାଇଁ ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକା, ବ୍ରହ୍ମପୁର ଲୋକସଭା ପାଇଁ ଜି ଚନ୍ଦ୍ରଶେଖର ନାଇଡ଼ୁ, ବଲାଙ୍ଗୀର ଲୋକସଭା ପାଇଁ ବିରୋଧୀ ଦଳ ନେତା ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବରଗଡ଼ରୁ ହେମାନନ୍ଦ ବିଶ୍ୱାଳ ଓ ସୁନ୍ଦରଗଡ଼ରୁ ଜର୍ଜ ତିର୍କୀଙ୍କ ନାମ ଚୂଡାନ୍ତ ପର୍ଯ୍ୟାୟରେ ଥିବା ଜଣାପଡିଛି ।
ସେହିପରି ବିଧାୟକ ପ୍ରାର୍ଥୀ ଭାବେ ଉମରକୋଟରୁ ଯତୀନ୍ଦ୍ର ଗଣ୍ଡ, ଝରିଗାଁ-ଉଲ୍ଲଧର ମାଝି, ନବରଙ୍ଗପୁର-ସଦନ ନାୟକ, ଡାବୁଗାଁ-ଭୁଜବଳ ମାଝି, କୋଟପାଡ଼- ଚନ୍ଦ୍ରଶେଖର ମାଝି, ମାଲକାନଗିରି-ମାଲା ମାଢ଼ି, ଚିତ୍ରକୁଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ, ଗୁଣୁପୁର-ପୁରୁଷୋତ୍ତମ ଗମାଙ୍ଗୋ, ବିଷମକଟକ-ନୀଳ ହିକକା, ରାୟଗଡ଼ା-କାଡ୍ରେକା ଆପଲାସ୍ୱାମୀ, ଲକ୍ଷ୍ମୀପୁର-କୈଳାସ କୁଲେସିକା, ଜୟପୁର-ତାରାପ୍ରସାଦ ବାହିନୀପତି, କୋରାପୁଟ-ନିମାଇଁ ସରକାର ଓ ପଟ୍ଟାଙ୍ଗୀରୁ ରାମଚନ୍ଦ୍ର କାଡାମ୍‌ଙ୍କ ନାମ ଥିବା ଜଣା ପଡିଛି । ସ୍କ୍ରିନିଂ କମିଟି ବୈଠକ ସକାଳ ୯ଟା୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା୩୦ରେ ସରିଥିଲା । ବୈଠକରେ ଏପ୍ରିଲ ୧୧ ଓ ୧୮ରେ ଅନୁଷ୍ଠିତ ହେବାକୁ ଥିବା ୯ଟି ଲୋକସଭା ଓ ୬୩ଟି ବିଧାନସଭା ସିଟ୍‌ ବାବଦରେ ବିସ୍ତୃତ ଭାବେ ତର୍ଜମା ହୋଇଥିଲା । ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଧରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ଯାଇଥିଲେ । ସନ୍ଧ୍ୟା ୭ଟାରୁ ସିଇସିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବାବଦରେ ଆଲୋଚନା ଜାରି ରହିଥିଲା । ସିଇସିରେ ୨୪ଜଣ ସଦସ୍ୟଙ୍କ ସମେତ ବିଭିନ୍ନ ରାଜ୍ୟର ପ୍ରଭାରୀ ଯୋଗ ଦେଇ ଆଲୋଚନା କରିଥିଲେ । ଅପରପକ୍ଷେ ଆସନ୍ତାକାଲି ସ୍କ୍ରିନିଂ କମିଟିରେ ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା ସିଟଗୁଡ଼ିକ ବାବଦରେ ଆଲୋଚନା ହେବ । ତେବେ ଆସନ୍ତା ୨୮ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ସିଟଗୁଡ଼ିକରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ପ୍ରଭାରୀ ଟି. ଏସ୍‌ ସିଂହଦେଓ ସୂଚନା ଦେଇଛନ୍ତି । ଅଧିକ ପୂର୍ବରୁ ଘୋଷଣା କଲେ ଅନ୍ୟ ଆଶାୟୀମାନେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ହେବାର ଆଶଙ୍କା ଥିବାରୁ ଦଳ ଏଭଳି ରଣନୀତି ଗ୍ରହଣ କରିଥିବା ସୂଚନା ମିଳିଛି ।
ଆଜିର ସ୍କ୍ରିନିଂ କମିଟି ବୈଠକରେ ପିସିସି ସଭାପତି ନିରଞ୍ଜନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି. ଏସ୍‌ ସିଂହଦେଓ, ସମ୍ପାଦକ ଅନିଲ୍‌ ଚୌଧୁରୀ, ସେକ୍‌ ମସ୍ତାନ ଭାଲି, ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ତେବେ କଂଗ୍ରେସର ଟିକେଟ୍‌ ଆଶାୟୀମାନେ ଦିଲ୍ଲୀରେ ଡେରା ପକାଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା, ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ବହୁ କଂଗ୍ରେସ ନେତା ଦିଲ୍ଲୀରେ ଲବି କରିବା ଆରମ୍ଭ କରିଛନ୍ତି ।

   ସମ୍ବନ୍ଧିତ ଖବର


ତେଜସ୍ୱୀ ସୂର୍ଯ୍ୟା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ

ସାହସିକତା ପାଇଁ ମୂଷାକୁ ମିଳିଲା ସ୍ବର୍ଣ୍ଣ ପଦକ, ଛୋଟିଆ ଜୀବର ଅସାଧାରଣ କାର୍ଯ୍ୟ

ବିଧାନସଭା ବେଳେ ବିକ୍ଷୋଭ ମନା

‘ବାଳିକା ବଧୂ’ ସିରିଏଲର ଡାଇରେକ୍ଟର ଏବେ ଠେଲାରେ ବିକ୍ରି କରୁଛନ୍ତି ପରିବା, କରୋନା ଲକଡାଉନ୍ ଛଡାଇ ନେଲା ଜୀବିକା