ତୁଟିଲାନି କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟର ସମସ୍ୟା: ୧୨ ଲକ୍ଷ ଟଙ୍କା ଚାପି ବସିଛି ‘ୟୁନିସଫ୍ଟ’

ଭୁବନେଶ୍ୱର,୨୪ ।୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟର ସମସ୍ୟା ସମାଧାନର ବାଟ ଆଜି ଖୋଲିପାରିନି । ଟିକେଟ କାଉଣ୍ଟର ପରିଚାଳନା ଟେଣ୍ଡର ନେଇଥିବା ସଂସ୍ଥା ଟିକେଟ୍ କରିନି ଆଜି । କାମଚଳାରେ ହାତ ଲେଖାରେ ‘ସହାୟ’, ‘ମେ ଆଇ ହେଲ୍ପ ୟୁ’ ଡେସ୍କ ଓ ସିକ୍ୟୁରିଟି ସଂସ୍ଥା ଟିକେଟ୍ କାଟିଛନ୍ତି । ଏ ପଟେ ‘ସହାୟ’, ସିକ୍ୟୁରିଟି ଓ ହେଲ୍ପ ଡେସ୍କ କର୍ମଚାରୀ ନିଜ କାମ ଛାଡ଼ି ଟିକେଟ୍ ଦାୟିତ୍ୱରେ ଥିବାରୁ ରୋଗୀ ନାହିଁ ନଥିବା ହଇରାଣ ହୋଇଛନ୍ତି । କେଉଁ ବିଭାଗ ଓପିଡି କେତେ ନମ୍ବର ରୁମ୍ରେ ହେଉଛି? ଏ ସବୁ ତଥ୍ୟ ‘ସହାୟ’, ସିକ୍ୟୁରିଟି ଆଉ ହେଲ୍ପ ଡେସ୍କର ସବୁ ଷ୍ଟାଫ୍କୁ ଜଣା ନାହିଁ । ଯେଉଁଥିପାଇଁ ରୋଗୀ ଏ ଦୁଆରରୁ ସେ ଦୁଆରକୁ ବୁଲୁଥିବାର ଦେଖାଯାଇଛି । ଏ ପଟେ ଟିକେଟ କାଉଣ୍ଟର ପରିଚାଳନା ଟେଣ୍ଡର ନେଇଥିବା ସଂସ୍ଥା ‘ୟୁନିସଫ୍ଟ’ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନୋଟିସ୍କୁ ଖାତିର କରିନି । ନୋଟିସ୍ର ଉତ୍ତର ଦେବାକୁ ଚାହିଁନି । ଏପଟେ ଆଜି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗତ ୬ ମାସ ହେଲା କ୍ୟାବିନ୍ ଆଉ ନର୍ସିଂହୋମ୍ ନେଉଥିବା ରୋଗୀଙ୍କଠୁ ଟଙ୍କା ଆଦାୟ କରି ରଖିଛି ‘ୟୁନିସଫ୍ଟ’ ।
ସବୁ ମିଶିଲେ ପାଖପାଖି ୧୨ ଲକ୍ଷ ଟଙ୍କା ହେବ । ଏ ସବୁ ଟଙ୍କା ମାସକୁ ମାସ ହିସାବ ଦେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା କଥା । ହେଲେ ସବୁଟଙ୍କାକୁ ଚାପି ବସିଛି ‘ୟୁନିସଫ୍ଟ’ । ମାସେ ହେଲାଣି କ୍ୟାବିନ୍ ଓ ନର୍ସିଂହୋମ ଟଙ୍କା ହସ୍ପିଟାଲ କର୍ତ୍ତୃପକ୍ଷ ରଖୁଛନ୍ତି । ତେବେ ୬ ମାସର ଟଙ୍କା ଏବେ ବି ଚାପି ରଖିଛି ‘ୟୁନିସଫ୍ଟ’ । ଆହୁରି ଗୁରୁତର କଥା ହେଲା ଗତ ୯ ମାସ ହେଲା ‘ୟୁନିସଫ୍ଟ’ ସବୁ ମାସରେ କେତେ ଟିକେଟ୍ କାଟିଲା । ତା’ର ହିସାବ ଦେଇନି । ହିସାବ ଦେଲେ ଟିକେଟ ପିଛା ସଂସ୍ଥା ୧ଟଙ୍କା ୯୯ ପଇସା ନେବ । ତେବେ ସଂସ୍ଥା ହିସାବ ଦେଇନଥିବାରୁ ଟଙ୍କା ଦିଆଯାଉନି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ କଥା ହେଉଛି ୬ ମାସ ହେଲା ଲକ୍ଷ ଲକ୍ଷ ଟଙ୍କାକୁ ଚାପି ବସିଥିଲେ ବି ହସ୍ପିଟାଲ କର୍ତ୍ତୃପକ୍ଷ ଖାଲି ନୋଟିସ୍ ଦେଇ ବସିଛନ୍ତି । ଏହା ମଧ୍ୟରେ ସଂପୃକ୍ତ ସଂସ୍ଥାକୁ ୩ ଥର ନୋଟିସ୍ ଦିଆଯିବା ପରେ ବି ଜବାବ୍ ରଖୁନି । ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ‘ୟୁନିସଫ୍ଟ’ ବିରୋଧରେ ଆଇନଗତ ପଦକ୍ଷେପ ନେଇ ନାହାନ୍ତି । ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।