କ୍ୟାପିଟାଲ ରିଜିଅନ ରିଙ୍ଗ୍‌ରୋଡ୍‌: ସାଢ଼େ ଚାରି ବର୍ଷ ବିତିଲା, ଡିପିଆର୍‌ ସରିନି

ଭୁବନେଶ୍ୱର ୧୫/୯: ନୂଆ ନିୟମ କରନ୍ତୁ କି ଟ୍ରାଫିକ କଟକଣା ଲଗାନ୍ତୁ, କଟକ-ଭୁବନେଶ୍ୱର ଜାତୀୟ ରାଜପଥ (ଏନ୍‌ଏଚ୍‌) ଯନ୍ତ୍ରଣା କମିବନି । ଲୋକେ ଯେମିତି ଏନଏଚ୍‌ ଟ୍ରାଫିକରେ ପେଶି ହେଉଛନ୍ତି, ସେମିତି ନୟାନ୍ତ ହେବେ । ଯେଉଁଭଳି ଭାବେ ଏନ୍‌ଏଚ୍‌ରେ ଗାଡ଼ିମୋଟର ସଂଖ୍ୟା ବଢ଼ି ଚାଲିଛି, ଦିନକୁ ଦିନ ସମସ୍ୟା ଆହୁରି ବଢ଼ିବ । ନିକଟ ଭବିଷ୍ୟତରେ ଏ ଯନ୍ତ୍ରଣାରୁ ନିସ୍ତାର ମିଳିବାର ଚିହ୍ନବର୍ଣ୍ଣ ଦେଖାଯାଉନି ।

ଏକଥା ନୁହେଁ ଯେ, କଟକ-ଭୁବନେଶ୍ୱର ଏନ୍‌ଏଚ୍‌ ଯନ୍ତ୍ରଣା କମାଇବା ପାଇଁ ଯୋଜନା ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ସୁଚିନ୍ତିତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯୋଜନା ଥିଲା, କଟକ-ଭୁବନେଶ୍ୱର ଏନଏଚ୍‌ରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ସହର କଡ଼େ କଡ଼େ ବାଇପାସ୍‌ ନିର୍ମାଣ ହେବ । ରିଙ୍ଗ୍‌ରୋଡ୍‌ ଭଳି ଏନଏଚ୍‌ ୫୫ ଓ ଏନଏଚ୍‌ ୧୬କୁ ଏହା ସଂଯୋଗ କରିବ । ମାତ୍ର ଘୋଷଣାର ସାଢ଼େ ୪ ବର୍ଷ ପରେ ବି ଏହି ଯୋଜନା ନାଲିଫିତାରୁ ବାହାରି ପାରିନି । କେତେବେଳେ ଡିପିଆର୍‌ ତ ପୁଣି କେବେ ଫିଜିବିଲିଟି ଷ୍ଟଡି ନାଁରେ ଗଡ଼ି ଚାଲିଛି ସମୟ । ଏବେ ବି ପ୍ରକଳ୍ପର ‘ପ’ ଅକ୍ଷର ଆରମ୍ଭ ହୋଇନି । ଟେଣ୍ଡର ହେବାକୁ ଆହୁରି ଦେଢ଼ ବର୍ଷ ଲାଗିଯିବ ବୋଲି କୁହାଯାଉଛି । ୨୦୧୫ ଜାନୁଆରୀରେ ଭାରତୀୟ ସଡ଼କ କଂଗ୍ରେସର ୭୫ ତମ ଅଧିବେଶନ ବସିଥିଲା ଭୁବନେଶ୍ୱରରେ ।

ସେତେବେଳେ ଘୋଷଣା ହେଲା, ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱର ଏନ୍‌ଏଚ୍‌ରୁ ଭିଡ଼ କମାଇବା ପାଇଁ ଖୋର୍ଦ୍ଧା ପିତାପଲ୍ଲୀ ଛକରୁ ମଙ୍ଗୁଳି ଛକକୁ ଫିଟିବ ବାଇପାସ୍‌ । ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଥିଲା । ଯୋଜନା ଥିଲା, ଭାରୀଯାନଗୁଡ଼ିକ ଆଉ କଟକ-ଭୁବନେଶ୍ୱର ସହର ଭିତରକୁ ପ୍ରବେଶ କରିବେ ନାହିଁ । ସବୁ ଭାରୀଯାନ ବାଇପାସ୍‌ ଦେଇ ସହର ବାହାରେ ବାହାରେ ଏନ୍‌ଏଚ୍‌ରେ ପଳାଇବେ । ଫଳରେ ସହର ଭିତରେ ଭିଡ଼ କମିବା ସହ ସଡ଼କ ଦୁର୍ଘଟଣା କମିବ । ରାଜ୍ୟ ପୂର୍ତ୍ତ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଖାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ନେବ ବୋଲି କୁହାଯାଇଥିଲା । ପରେ ପ୍ରକଳ୍ପର ନାଁ ଦିଆଗଲା କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ରୋଡ୍‌ ।

ଇତିମଧ୍ୟରେ ଘୋଷଣାକୁ ସାଢ଼େ ୪ ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପର ନାଁ ଗନ୍ଧ ନାହିଁ । ଯୋଜନା ମୁତାବକ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସହର ପାଖ ପାଳତୋଟାପଡ଼ାରୁ ଚୌଦ୍ୱାର ନିକଟସ୍ଥ ବଉଳା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ନିର୍ମାଣ ହେବ । ଏହି ରାସ୍ତା କୁଣ୍ଡିଲୋ, ମୁକ୍ତାପୁର, ଅଂଶୁପା, ରାଧାମୋହନପୁର ଦେଇ ବଉଳା ନିକଟରେ ଏନ୍‌ଏଚ୍‌ ୫୫ରେ ମିଶିବ । ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ରାସ୍ତା ବାହାରି ଏନଏଚ୍‌ ୧୬ରେ ଟାଙ୍ଗୀ ନିକଟସ୍ଥ ବନ୍ଦାଲୋରେ ମିଶିବ । ଦ୍ୱିତୀୟ ପର୍ଯ୍ୟାୟ ରାସ୍ତାର ଲମ୍ବ ୨୧ କିମି ରହିବ ।

ପ୍ରଥମ ପର୍ଯ୍ୟାୟର ୬୮ କିମି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ଫିଜିବିଲିଟି ସର୍ଭେ କରିବା ଲାଗି ଏକ ସଂସ୍ଥାକୁ ନିୟୋଜିତ କରିଥିଲା । ସେଇ ସଂସ୍ଥା ଦେଇଥିବା ରିପୋର୍ଟରେ ୪ ଲେନ୍‌ ରାସ୍ତା ପାଇଁ ପ୍ରସ୍ତାବ ଥିବାବେଳେ ଏନଏଚଏଆଇ ଏହାକୁ ନାପସନ୍ଦ କରିଥିଲା । ଏହାକୁ ୬ ଲେନ୍‌ ରାସ୍ତା କରିବା ପାଇଁ ଏନଏଚଏଆଇ କହିଥିଲା । ସେଇ ସଂସ୍ଥାକୁ ଠିକ୍‌ ଭାବେ ଡିପିଆର କରିବା ପାଇଁ ଏନଏଚଏଆଇ ଦାୟିତ୍ୱ ଦେଇଥିଲା । ମାତ୍ର ଉକ୍ତ ସଂସ୍ଥା ଏନଏଚଏଆଇ ପ୍ରସ୍ତାବରେ ରାଜି ନ ହେବାରୁ ଏନଏଚଏଆଇ ଏବେ ଡିପିଆର ପାଇଁ ଟେଣ୍ଡର ଆହ୍ୱାନ କରିଛି । ଏକାଧିକ ସଂସ୍ଥା ଏଥିରେ ଆବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଡିପିଆର ପାଇଁ କୌଣସି ସଂସ୍ଥା ଚୟନ ହୋଇନି । ଏଥିପାଇଁ ଆହୁରି କିଛି ପ୍ରକ୍ରିୟା ବାକି ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୨୧ କିମି ରାସ୍ତା ପାଇଁ ଏନଏଚଏଆଇ ଡିପିଆର୍‌ ପ୍ରସ୍ତୁତ କରିଥିବା କହିଛି । ଏହାକୁ ଅନୁମୋଦନ ପାଇଁ ଏନଏଚଏଆଇ ମୁଖ୍ୟାଳୟକୁ ପଠାଯାଇଛି ।

ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ଆର୍‌.ପି.ପଣ୍ଡା କହିଛନ୍ତି, କ୍ୟାପିଟାଲ ରିଜିଅନ ରିଙ୍ଗ୍‌ରୋଡ୍‌ ପାଇଁ ରାଜ୍ୟ ସରକାର ଜମି ଯୋଗାଇବାକୁ ରାଜି ଅଛନ୍ତି । କେତେକ ଜାଗାରେ ପୂର୍ବରୁ ରାସ୍ତା ଥିବାବେଳେ ପ୍ରାୟତଃ ନୂଆ ରାସ୍ତା ନିର୍ମାଣ କରିବାକୁ ହେବ । ତେଣୁ ବହୁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ । ବ୍ରିଜ୍‌ ମଧ୍ୟ ନିର୍ମାଣ କରାଯିବ । ଏହା ପୂର୍ବରୁ ଡିପିଆର କାମ ସାରିବାକୁ ହେବ । ଡିପିଆର ସରିବା ପରେ ହିଁ ଅନ୍ୟ ପ୍ରକ୍ରିୟା ଆଗେଇବ । ସବୁ ପ୍ରକ୍ରିୟା ସରିଲା ପରେ ୨୦୨୧ ମାର୍ଚ୍ଚ ବେଳକୁ ଟେଣ୍ଡର ଆହ୍ୱାନ କରାଯାଇପାରେ । ଟେଣ୍ଡର ଦିଆଯିବା ପରେ କାମ ଆରମ୍ଭ ହେବାକୁ ୨୦୨୧ ଜୁନ୍‌ ହୋଇପାରେ । ପ୍ରକଳ୍ପ କାର୍ଯ୍ୟ ସାରିବାକୁ ପ୍ରାୟ ଅଢ଼େଇ ବର୍ଷ ସମୟ ଲାଗିବ । ଏଥିରୁ ଅନୁମାନ କରାଯାଇପାରେ, ଯଦି ସବୁ କିଛି ଠିକଠାକ୍‌ ଚାଲେ ତେବେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ରୋଡ୍‌ କାମ ଆରମ୍ଭ ହେବାକୁ ଆହୁରି ଦେଢ଼ ବର୍ଷରୁ ଅଧିକ ସମୟ ଲାଗିବ । ସରିଲାବେଳକୁ ୨୦୨୪ ଡେଇଁପାରେ । ସେ ପର୍ଯ୍ୟନ୍ତ ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତି ନାହିଁ ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ