ବୁଧବାର ପ୍ରଥମ ଦିନିକିଆ; କିଏ କରିବେ ଓପନିଂ , ଖୁଲାସା କଲେ କେଏଲ ରାହୁଲ

ନୂଆଦିଲ୍ଲୀ,୧୮/୦୧: ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ପାଇଁ ପ୍ରସ୍ତୁତ କେଏଲ ରାହୁଲ। ରୋହିତ ଶର୍ମାଙ୍କ ଆହାତ କାରଣରୁ ରାହୁଲ ଦକ୍ଷିଣ ଆଫ୍ରିକା ବିରୋଧରେ ତିନୋଟି ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ମଙ୍ଗ ଧରିବେ। ଜାନୁଆରୀ ୧୯ ରେ ହେବାକୁ ଥିବା ଦିନିକିଆ ପୂର୍ବରୁ ମଙ୍ଗଳବାର ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ ସ୍ଥାନରେ ସେ ଓପନିଂ ସମ୍ଭାଳିବେ ।
ଦିନିକିଆରେ ଟିମ ଇଣ୍ଡିଆ ପାଇଁ ବିଭିନ୍ନ କ୍ରମରେ ଖେଳିଥିବା ରାହୁଲ କହିଛନ୍ତି, ରୋହିତ ଶର୍ମା ଓ ଶିଖର ଧୱନଙ୍କ ଯୋଡି ଟିମ୍ ପାଇଁ ଓପନିଂ କରିଆସୁଛନ୍ତି। ସେ ଏନେଇ କହିଛନ୍ତି ଯେ ଗତ ୧୪ରୁ ୧୫ ମାସ ହେବ ମୁଁ ଟିମ୍ର ବିଭିନ୍ନ କ୍ରମରେ ଖେଳି ଆସିଛି। କେତେ ବେଳେ ଓପନିଂ ତ ଆଉ କେତେବେଳେ ମିଡିଲ ଓର୍ଡର ସମ୍ଭାଳିଛି। ରାହୁଲ ଆହୁରି କହିଛନ୍ତି ଯେ ମୋ ପାଖରେ କୌଣସି ଯୋଜନା ଏବଂ ଲକ୍ଷ୍ୟ ନାହିଁ। ମୁଁ ଗୋଟିଏ ଥରରେ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଯେଉଁଭଳି ମୁଁ କ୍ରିକେଟ ଖେଳେ ସେହିପରି ଟିମର ନେତୃତ୍ୱ ନେବାକୁ ଚାହିଁବି।
ସୂଚନାଥାଉକି ରାହୁଲ ପ୍ରଥମେ ଟି-୨୦ରେ ଓପନିଂ କରିଥିଲେ। ଗତ ବର୍ଷ ଟି-୨୦ ବିଶ୍ୱକପରେ ଧାୱନ ବାହାର ହେବା ପରେ ରାହୁଲ ଓପନିଂ କରିଥିଲେ। ଏବେ ଦେଖିବାର ଅଛି ଯେ ଟିମ୍ ମ୍ୟାନେଜମେଣ୍ଟ ରାହୁଲଙ୍କ ସହିତ ଶିଖର ଧୱନ ନା ଋତୁରାଜ ଗାୟକୱାଡ଼ଙ୍କୁ ସୁଯୋଗ ଦେବ। ରାହୁଲ ଏହି ସାମ୍ୱାଦିକ ସମ୍ମିଳନୀରେ ଆହୁରି କହିଛନ୍ତି ଯେ ଅଧିନାୟକ ଭାର ସମ୍ଭାଳିବା ସମୟରେ ବିରାଟ କୋହଲି ଏବଂ ଧୋନିଙ୍କ ଠାରୁ ଶିଖିଥିବା କୌଶଳକୁ ବ୍ୟବହାର କରିବି। ସୂଚନାଯୋଗ୍ୟ ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୧୯ ଅପରାହ୍ନ ୨ଟାରେ ପାର୍ଲରେ ଖେଳା ଯିବ। କୋହିଲି ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମାଙ୍କ ଉପରେ ଏହାର ଭାର ରହିଥିଲା। ହେଲେ ରୋହିତ ଏବେ ଆହତ ହେବା କାରଣରୁ କେଲ ରାହୁଲ ଟିମ୍ ଣ୍ଡିଆର ମଙ୍ଗ ଧରିଛନ୍ତି।