୧୩ ଦିନ ଭିତରେ ପରିବାରରୁ ଚାଲିଗଲା ୩ ଜଣଙ୍କ ଜୀବନ: ବାପା, ଦାଦାଙ୍କ ପରେ ଜାଗୁଆର୍ କାର୍ ଦୁର୍ଘଟଣାରେ ଆଖିବୁଜିଲେ ପୁଅ ଗୌତମ

କଟକ, ୧୮/୧୦: କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ ସାଙ୍ଗରେ ନେଇ ଆସେ । ଆଉ ଏଭଳି ଦୁଃଖର ପାହାଡ଼ ତଳେ ଚାପି ହୋଇ ରହିଛନ୍ତି ଗୋପାଳପୁରରେ ରହୁଥିବା ଦାଶ ପରିବାର ଲୋକେ । ଗଲା ୧୩ ଦିନ ଭିତରେ ଏହି ପରିବାରର ତିନି ତିନିଟି ଜୀବନ ଅକାଳରେ ଝଡ଼ିପଡ଼ିଛି । ପ୍ରଥମେ ପରିବାରର ମୁଖ୍ୟଙ୍କ ମୃତ୍ୟୁ ଘଟିଥିଲା । ଦୁଇ ଦିନ ପରେ ତାଙ୍କ ସାନ ଭାଇଙ୍କର ଦେହାନ୍ତ ହେଲା । ଆଉ ଗତକାଲି ରାତିରେ ବଡ଼ ଭାଇଙ୍କର ପୁଅ ସୋନି ଓରଫ ଗୌତମ ଦାଶଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ପରିବାରର ଅନ୍ୟ ଜଣେ ଭାଇଙ୍କ ପୁଅର ମଧ୍ୟ ଗତବର୍ଷ ମୃତ୍ୟୁ ଘଟିଥିଲା । ଏଭଳି ଦୁଃଖଦ ଘଟଣା ଖାଲି ଦାଶ ପରିବାରକୁ ଭାଙ୍ଗି ଦେଇନି ଅଞ୍ଚଳବାସୀଙ୍କୁ ମଧ୍ୟ ସ୍ତବ୍ଧ କରି ଦେଇଛି ।

ଦୀର୍ଘ ଦିନ ହେଲା ଦାଶ ପରିବାର ଗୋପାଳପୁରରେ ରହୁଛନ୍ତି । ଏହି ପରିବାରର ଦୁଇ ଭାଇ ଓ ତାଙ୍କ ପୁଅ ପୁତୁରାମାନେ ଏକା ସାଙ୍ଗରେ ରହନ୍ତି । ତେବେ ଗତ ୪ ତାରିଖର ଘଟଣା । ପରିବାରର ମୁଖ୍ୟ ତଥା ବଡ଼ ଭାଇ ରଘୁ ଦାଶଙ୍କର ହଠାତ୍‌ ହୃଦ୍‌ଘାତରେ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୭ ତାରିଖରେ ରଘୁଙ୍କ ସାନ ଭାଇ ଭଗବାନ ଦାଶ ଯେ’କି କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ସେ ମଧ୍ୟ ପ୍ରାଣ ହରାଇଥିଲେ ।

ଏହି ଦୁଇ ଭାଇଙ୍କର ଦଶାହ ଓ ଦ୍ୱାଦଶ କର୍ମ ଗତ ୧୩ ଓ ୧୫ ତାରିଖରେ ଶେଷ ହୋଇଛି । ଏହି ଦୁଃଖଦ ଘଟଣାର ଶୁକ୍ରବାର ଥିଲା ୧୩ ଦିନ ଅର୍ଥାତ୍‌ ତ୍ରୟୋଦଶ ଦିବସ । ଲୋକକଥାରେ ଅଛି ଶୁଦ୍ଧି କ୍ରିୟାର ତ୍ରୟୋଦଶ ଦିନ ବହୁତ ଅଶୁଭ । ଆଉ ଏହି ଅଶୁଭ ଦିନ ଥିଲା ଗତକାଲି । ସାଙ୍ଗମାନେ ଭୁବନେଶ୍ୱର ଯିବାକୁ ଡାକିବାରୁ ରାତି ୨ଟା ବେଳେ ରଘୁଙ୍କ ପୁଅ ସୋନି ଓରଫ ଗୌତମ ହଠାତ୍‌ ନିଦରୁ ଉଠି କାର୍‌ରେ ବସି ଚାଲିଯାଇଥିଲେ । ଆଉ କାର୍‌ରେ ଯିବାର କିଛି ମିନିଟ୍‌ ଭିତରେ ତେଲେଙ୍ଗାପେଣ୍ଠ ପାଖରେ ହେଲା ଦୁର୍ଘଟଣା। ଯେଉଁଥିରେ ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ସୋନିଙ୍କର ଅଳାଳ ମୃତ୍ୟୁ ହେଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଛାଇଯାଇଥିବା ବେଳେ ଖୋଦ ଦାଶ ପରିବାର ନିଜର ଗୋପାଳପୁର ଘରକୁ ଅଶୁଭ ବୋଲି କହୁଛନ୍ତି । ସେହି ଘରେ ରହିବାରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ମଧ୍ୟ ହେଉଛି । ଏପରିକି ସେହି ଘରେ ଏବେ ରହୁଥିବା ମୃତ ସୋନିଙ୍କ ଆଉ ଜଣେ ଦାଦା ଘର ଛାଡ଼ି ଯିବାକୁ ଜିଦ୍‌ କରିଥିବା ଶୁଣିବାକୁ ମିଳୁଛି । ସେ ଯାହା ବି ହେଉ, ୧୩ ଦିନରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯିବା ଦାଶ ପରିବାରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି