କାର୍‌ ଧକ୍କାରେ ଚାଲିଗଲା ମା’, ଆହା ପଦେ କହିବାକୁ କେହି ନାହାନ୍ତି ପାଖରେ…

ଖଲ୍ଲିକୋଟ, ୧୯।୮: ସଡ଼କ ଦୁର୍ଘଟଣାରେ ମାଆ ମୃତ । ସାଇକେଲ୍‌ରେ ବସି ଆସୁଥିବା ଜଣେ ମହିଳାଙ୍କୁ ବାଲୁଗାଁ ନିକଟରେ ଧକ୍କା ଦେଲା ଦ୍ରୁତ ଗତିରେ ଚଳାଇ ଆସୁଥିବା କାର୍‌ । ମୃତକ ଖଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଉମା ଦାସ । ମାଆଙ୍କ ମୃତ୍ୟୁ ପରେ ବେସାହାରା ହୋଇ ଗଲେ ୪ ନାବାଳିକା ଝିଅ । ଖଲିକୋଟ ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନୋଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ନୋଭାଲ ଫାଣ୍ଡି କେସ ୧୪୫/୨୦୨୦ରେ ମାମଲା ରୁଜୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ ଗତ ରବିବାର ଉମା ଦାସ ଭୁବନେଶ୍ୱରରୁ କାମଧନ୍ଦା ସାରି କୌଣସି ମତେ ବାଲୁଗାଁ ଠାରେ ପହଞ୍ଚି ଥିଲେ । ସେଠାରୁ ତାଙ୍କ ପୁତୁରା ସହ ଏକ ସାଇକେଲରେ ବସି ନିଜ ଗାଁକୁ ଫେରୁଥଲେ । ଏହି ସମୟରେ ନୋଭାଲ ଛକ ନିକଟରେ ଏକ କାର୍‌ ଧକ୍କା ଦେଇଥିଲା । ଉଭୟେ ସାଇକେଲ ଚାଳକ ଓ ମହିଳା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅଚେତ ଅବସ୍ଥାରେ ରହିଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଗତକାଲି ଗାଁକୁ ମୃତଦେହ ଅଣାଯାଇ ସତ୍କାର କରାଯାଇଥିଲା ।

ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଉମା ଦାସ ପୋଲସରା ଢୁଙ୍କାପଡା ଗ୍ରାମର ଅମର ଦାସଙ୍କୁ ବିବାହ କରିଥିଲେ । ଅମର ଦାସଙ୍କ ଗତ ୧୧ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ପରେ ସେ ୪ ଝିଅଙ୍କୁ ଧରି ଶାଶୂ ଘର ଛାଡ଼ି ବାପା ଘରକୁ ଚାଲି ଯାଇଥିଲେ । ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଏକ ଭଡ଼ା ଘରେ ରହୁଥିଲେ । ଦିନ ମଜୁରିଆ ଭାବେ କାମ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ଦୁଃଖ କଷ୍ଟରେ ଚଳି ଯାଉଥିଲେ । କେତେକ ସମୟରେ ଚେନ୍ନାଇ ମଧ୍ୟ କାମଧନ୍ଦା କରିବା ପାଇଁ ଯାଉଥିଲେ । ଉମାଙ୍କ ମୃତ୍ୟୁ ପରେ ତାଙ୍କ ୪ ଝିଅ ଏବେ ବେସାହାରା ହୋଇଛନ୍ତି । ବଡ଼ ଝିଅ ମମତା ଦାସ ମାଟ୍ରିକ ପରେ ପାଠରେ ଡୋରି ବାନ୍ଧି ଥିଲେ । ଦ୍ୱିତୀୟ ଝିଅ ସସ୍ମିତା ଦଶମ ଶ୍ରେଣୀରେ ପଢୁଛି । ତୃତୀୟ ଝିଅ ସୁଜାତା ଅଷ୍ଟମ ଓ ସାନ ଝିଅ ରୀତା ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ମାଆ ରୋଜଗାର କରି ଆଣିଲେ ଏମାନେ ଚଳୁଥିଲେ । ଏବେ ମାଆର ମୃତ୍ୟୁ ପରେ ଚାରି ଭଉଣୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଏବେ ସେମାନେ ନିଜର ଅର୍ଦ୍ଧ ନିର୍ମିତ ଘରେ ରହୁଛନ୍ତି । ପାଖରେ ଥିବା ଆଈ ମଝିରେ ମଝିରେ ଆସି ଭଲମନ୍ଦ ବୁଝି ଯାଉଛନ୍ତି । ଏ ସମ୍ପର୍କରେ ସରପଞ୍ଚ ରବୀନ୍ଦ୍ର ସେଠୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାହା ସରକାରୀ ସହାୟତା ମିଳି ପାରିବ ସେ ବିଷୟରେ ବିଡିଓଙ୍କ ସହ ଆଲୋଚନା କରି ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ