ବିକ୍ରି ହ୍ରାସର କାରଣ କହିଲେ ମାରୁତି ଅଧ୍ୟକ୍ଷ: ମହଙ୍ଗା କାର୍‌ ସାଜୁଛି ସମସ୍ୟା

ନୂଆଦିଲ୍ଲୀ ୧୧/୯ : ଲଗାତର ଦଶମ ମାସ ପାଇଁ ଅଟୋମୋବାଇଲ କ୍ଷେତ୍ର ବିକ୍ରି ହ୍ରାସ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛି । ଛୋଟବଡ଼ ସବୁ କମ୍ପାନି ଏହାର ଶିକାର ହୋଇଛନ୍ତି । ତେବେ କ’ଣ ପାଇଁ ଏଭଳି ସ୍ଥିତି ଉପୁଜୁଛି, ସେ ବାବଦରେ ମୁହଁ ଖୋଲିଛନ୍ତି ମାରୁତି ସୁଜୁକି ଇଣ୍ଡିଆ ଅଧ୍ୟକ୍ଷ ଆର୍‌ ସି ଭାର୍ଗବ । କାର୍‌ଗୁଡ଼ିକ ମହଙ୍ଗା ହେବା ଯୋଗୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।

ଏ ବାବଦରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିବାକୁ ଯାଇ ଭାର୍ଗବ କହିଛନ୍ତି, ଘରୋଇ ବଜାରରେ ଉପଲବ୍ଧ କାର୍‌ ଏବେ ମହଙ୍ଗା ହୋଇଛି । ଏଥିରେ ଅତିରିକ୍ତ ନିରାପଦ ବୈଶିଷ୍ଟ୍ୟାବଳି ଯୋଗ କରିବାକୁ ସରକାର ନିୟମ ଆଣିଛନ୍ତି । ଫଳରେ କାର୍‌ଗୁଡ଼ିକରେ ଏୟାରବ୍ୟାଗ୍‌ ଓ ଏବିଏସ୍‌ ଭଳି ବ୍ୟବସ୍ଥା ଖଞ୍ଜିବାକୁ ପଡୁଛି । ଏଥିପାଇଁ ଉତ୍ପାଦନ ଖର୍ଚ୍ଚ ବଢୁଛି । କମ୍ପାନିମାନେ ଏହି ଅତିରିକ୍ତ ଖର୍ଚ୍ଚ ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ବାଧ୍ୟ ହେଉଛନ୍ତି । ତା’ଛଡ଼ା ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସ୍ଥାଣୁ ହୋଇଯାଇଛି । ଖାଲି ସେତିକି ନୁହେଁ, ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟିକସ ଏବଂ ଗାଡ଼ି ପଞ୍ଜୀକରଣ ଦେୟ ବୃଦ୍ଧି ଭଳି ଅନ୍ୟ ଘଟଣା କାର୍‌ ବିକ୍ରିକୁ ନିରୁତ୍ସ।।ହିତ କରୁଛି । ଏହିସବୁ ସମସ୍ୟାର ପ୍ରତିକାର ପାଇଁ ସରକାର ଜିଏସ୍‌ଟି ହ୍ରାସ କରିବା ଜରୁରି ହୋଇପଡ଼ିଛି । ଅସ୍ଥାୟୀ ଭାବେ ଜିଏସ୍‌ଟି ହ୍ରାସ କଲେ ଏହାର ଫାଇଦା କିଛି ହେବନାହିଁ ବୋଲି ଭାର୍ଗବ କହିଛନ୍ତି ।

କାର୍‌ ବିକ୍ରି କମିବା ପଛରେ ଓଲା ଏବଂ ଉବର ଭଳି ‘ସେୟାର୍‌ ମୋବିଲିଟି’ ଦାୟୀ ବୋଲି ସରକାର ଯେଉଁ ଯୁକ୍ତି ବାଢ଼ୁଛନ୍ତି, ମାରୁତି ଅଧ୍ୟକ୍ଷ ତାହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ଏଭଳି ଯୁକ୍ତିକୁ ଆଦୌ ଗ୍ରହଣ କରିପାରିବି ନାହିଁ । ଏହା ମନଗଢ଼ା କଥା । କଠୋର ନିରାପତ୍ତା ନିୟମ, ବର୍ଦ୍ଧିତ ବୀମା ଖର୍ଚ୍ଚ ଓ ସଡ଼କ ଟିକସ ଯୋଗୁ ବିକ୍ରି ପ୍ରଭାବିତ ହୋଇଛି । ଏହିସବୁ କାରଣ ଯୋଗୁ ଏକ କମ୍ପାକ୍ଟ କାର୍‌ ମୂଲ୍ୟ ପାଖାପାଖି ୫୫,୦୦୦ ଟଙ୍କା ବୃଦ୍ଧି ପାଇଛି । ଅତ୍ୟଧିକ ସଡ଼କ ଟିକସ ଯୋଗୁ କାର୍‌ ମୂଲ୍ୟ ୨୦,୦୦୦ ଟଙ୍କା ବଢ଼ିଛି । ସେହିଭଳି କାର୍‌ ଫାଇନାନ୍ସ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ କାଣିଚାଏ ରିସ୍କ ନେବାକୁ ରାଜି ହେଉ ନଥିବାରୁ ଏହା କାର୍‌ ବିକ୍ରି ହ୍ରାସରେ ବଡ଼ କାରଣ ସାଜୁଛି ବୋଲି ଭାର୍ଗବ କହିଛନ୍ତି ।

   ସମ୍ବନ୍ଧିତ ଖବର


୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ଏଥର ଦୀପାବଳିରେ ବାଣ ଫୁଟିବ ତ ? ବାଣ ମଗାଇବେ କି’ ନାହିଁ ଦ୍ୱନ୍ଦ୍ୱରେ ହୋଲ୍‌ସେଲ୍‌ ବ୍ୟବସାୟୀ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍