ଘରୋଇ ବିଦ୍ୟାଳୟ ଫି’ ଛାଡ଼ ପାଇଁ ମାମଲା: ଜବାବ ଦାଖଲ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୨୫/୪ କରୋନା ଭଳି ମହାବିପତ୍ତି ସମୟରେ ରୋଜଗାରର ସମସ୍ତ ପନ୍ଥା ବନ୍ଦ । ଏଭଳି ଅସମୟରେ ଜଣେ ଅଭିଭାବକ ତା’ର ପିଲା ପାଇଁ ସ୍କୁଲ୍‌ ଫି’ ଦାଖଲ କରିବାକୁ ଅକ୍ଷମ । ବିଶେଷକରି ଘରୋଇ ସ୍କୁଲ୍‌ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ତେଣୁ ମାର୍ଚ୍ଚରୁ ଜୁନ୍‌ -୪ ମାସର ଟ୍ୟୁସନ୍‌ ଫି’ ଛାଡ କରିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ଆର୍‌. ଷଡ଼ଙ୍ଗୀ ଏବଂ ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । ସମ୍ବଲପୁରର ଆଇନଜୀବୀ ମହମ୍ମଦ ମୁସ୍ତାକ୍‌ ଅନ୍‌ସାରୀ ଏହି ମାମଲା ରୁଜୁ କରିଥିଲା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଏବଂ ଗଣଶିକ୍ଷା ଶିକ୍ଷା ସଚିବଙ୍କୁ ଏନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ମିଳିଛି ।

ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ, କରୋନା ପାଇଁ ଗତ ମାସେ ହେଲା ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆଗକୁ ଆହୁରି କେତେ ମାସ ବନ୍ଦ ରହିବ ତାହା କହିବା ମୁସ୍କିଲ୍‌ । କିନ୍ତୁ ସ୍କୁଲ୍‌ ବନ୍ଦ ରହିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଟ୍ୟୁସନ୍‌ ଫି’ ନେବା ପାଇଁ ଦାବି କରୁଛନ୍ତି । ଏହି ସମୟରେ ଅନ୍ୟାନ୍ୟ ଫି’ ବୃଦ୍ଧି ଆଶଙ୍କାକୁ ବି ଏଡ଼ାଇ ଦେଇହେବ ନାହିଁ । ଗୋଟିଏପଟେ ଲୋକଙ୍କର ରୋଜଗାର ନଥିଲାବେଳେ ଅନ୍ୟପଟେ ବିଦ୍ୟାଳୟର ଫି’ ବୋଝ ଚିନ୍ତା ବଢାଇ ଦେଇଛି । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡ଼ିକୁ ଫି’ କମାଇବା ଲାଗି ଅନୁରୋଧ କରିଛନ୍ତି । କିନ୍ତୁ ଏହା ସତ୍ତେ୍ୱ କୌଣସି ଘରୋଇ ବିଦ୍ୟାଳୟରେ ଫି’ ଛାଡ଼ କିମ୍ବା ହ୍ରାସ ପାଇଁ କିଛି ବି ପଦକ୍ଷେପ ନିଆଯାଇନି ।

ତେଣୁ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଟ୍ୟୁସନ୍‌ ଫି’ ସଂଗ୍ରହ ନକରିବା, ଏଭଳି ଅସମୟରେ କୌଣସି ଫି’ ବୃଦ୍ଧି ନକରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ସ୍କୁଲ୍‌ ଫି’ ଛାଡ଼ ଯୋଗୁଁ ଘରୋଇ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସେମାନଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀଙ୍କୁ ଦରମା ଦେବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ହୋଇପାରେ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ବିଦ୍ୟାଳୟଗୁଡିକୁ ଆର୍ଥିକ ସହାୟତାର ହାତ ବଢ଼ାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ଲାଗି ମଧ୍ୟ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

   ସମ୍ବନ୍ଧିତ ଖବର


ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?