ପ୍ରମୁଖ ଖବର
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଘୋଡ଼ାରେ ବସି ଗୋରୁ ଜଗୁଛନ୍ତି ମାଲକାନଗିରି କ୍ରିଷ୍ଣା

ମାଲକାନଗିରି ୭/୧୦: କଥାରେ ଅଛି ଘରପୋଡ଼ିଠାରୁ ବିପତ୍ତି ନାହିଁ, ଘୋଡ଼ା ଚଢ଼ାଠାରୁ ସଂପତ୍ତି ନାହିଁ । ଏଠି କିନ୍ତୁ ଘୋଡ଼ା ଚଢିବା କେବଳ ଧନୀ ଲୋକଙ୍କ ଭାଗ୍ୟରେ ଜୁଟିଛି ତା ନୁହେଁ, ଅନେକ ଛୋଟ ଛୋଟ ବ୍ୟବସାୟୀ ବି ଘୋଡ଼ା ଚଢ଼ିବା ଆରମ୍ଭ କରିଛନ୍ତି । ସେମାନଙ୍କ ଲାଗି ଏବେ ଏହା ସଉକରେ ପରିଣତ ହୋଇଛି । ଏଭଳି ଦେଖିବାକୁ ମିଳିଛି ଜିଲ୍ଲା ସଦର ମହକୁମାରେ ।

ଘୋଡ଼ା ଚଢ଼ିଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ଏମ୍‌ଭି୪୨ ଗ୍ରାମର କ୍ରିଷ୍ଣା ମିସ୍ତ୍ରୀ(୩୫) । ଘୋଡ଼ା ପିଠିରେ ବସି ଚରୁଥିବା ଗାଈଙ୍କୁ ଜଗିଛନ୍ତି । ଗାଈ ଜଗିବା ଲାଗି ଘୋଡ଼ିଟି ମଧ୍ୟ ସ୍ୱତନ୍ତ୍ର ଭାବେ ତାଲିମ ନେଇଛି । ବାହାରକୁ ଚାଲିଯାଉଥିବା ଗୋରୁଙ୍କୁ ଆକଟ କରୁଛି । କ୍ରିଷ୍ଣା କହିଛନ୍ତି, ସେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ବାପା ଅମୂଲ୍ୟ ମିସ୍ତ୍ରୀ ରୋଗରେ ପଡି ପ୍ରାଣ ହରାଇଥିଲେ । ସେବେଠାରୁ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା । ଘରେ ବୃଦ୍ଧା ମାଆ ଅଞ୍ଜଳି ଓ ସାନଭାଇ କିଶୋରଙ୍କ ଦାୟିତ୍ୱ ପଡ଼ିଥିଲା ତାଙ୍କ ଉପରେ । ପରିବାର ଚଳାଇବା ଲାଗି ସେ ୧୧ଟି ଗାଈ କିଣିଥିଲେ । କ୍ଷୀର ବେପାର କରିବାକୁ ମନ ବଳାଇଥିଲେ । ଏକଦା ଆନ୍ଧ୍ରପ୍ରଦେଶ ବୁଲି ଯାଇଥିବା ବେଳେ ଜଣେ ଗାଈ ଚରାଳି ଘୋଡାରେ ବସି ଚରୁଥିବା ଗାଈଙ୍କୁ ଜଗିଥିବା ଦେଖିବାକୁ ପାଇଥିଲେ । ସେବେଠାରୁ ତାଙ୍କ ମନରେ ଘୋଡ଼ାଟିଏ କିଣିବା ଲାଗି ଉତ୍କଣ୍ଠା ଭରି ରହିଥିଲା।

ପ୍ରଥମେ ଆନ୍ଧ୍ରରୁ ଘୋଡ଼ାଟିଏ କିଣିଥିଲେ । ତାକୁ ଗୋରୁ ଚରାଇବାର ତାଲିମ ଦେଲେ । ଘୋଡାଟି ୫ ବର୍ଷ ପରେ ରୋଗରେ ପଡି ପ୍ରାଣ ହରାଇଥିଲା । ଏହାକୁ ନେଇ ଦୁଃଖରେ ଥିଲେ କ୍ରିଷ୍ଣା । କୌଣସି ଏକ କାମରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଯାଇଥିବା ବେଳେ ଏକ ହାଟରେ ଜଣେ ବ୍ୟକ୍ତି ଘୋଡିଟିଏ ବିକ୍ରି କରିବାକୁ ଆଣିଥିଲେ । ସେଠାରୁ ସେ ତାକୁ ମାତ୍ର ୧୧ ହଜାର ଟଙ୍କାରେ କିଣିଥିଲେ । ନାଁ ଦେଇଥିଲେ ରାଣୀ । ତାକୁ ମଧ୍ୟ ଗୋରୁ ଜଗିବାର ତାଲିମ ଦେଇଥିଲେ । ଗାଈଗୁଡିକୁ ପଡିଆରେ ଛାଡିଦେଇ ଘରକୁ ପଳାଇ ଆସିଲେ ବି ରାଣୀ ସେମାନଙ୍କୁ ଆକଟ କରିଥାଏ । ବିଶେଶ କରି ବର୍ଷାଦିନେ ପାଣି କାଦୁଅଭରା ଜମିରେ ଗୋରୁଙ୍କୁ ଜଗିବା କଷ୍ଟକର ହୋଇଥାଏ । ସେହି ଅସୁବିଧା ଏବେ ଦୂର କରିଛି ରାଣୀ । ତାଙ୍କୁ ପିଠିରେ ବସାଇ ଗୋରୁ ଜଗିବାରେ ସହାୟତା କରୁଛି ।

କ୍ରିଷ୍ଣା କହିଛନ୍ତି, ମଣିଷ ପରି ଭାତ, ରୁଟି, ତରକାରୀ ସବୁକିଛି ଖାଉଛି ରାଣୀ । ପିଠା ପ୍ରତି ବି ତା’ର ସ୍ୱତନ୍ତ୍ର ଋଚି ରହିଛି । ଘରୁ ବାହାରକୁ ବାହାରିବା ମାତ୍ରେ ରାଣୀ ତାଙ୍କ ପଛେ ପଛେ ଯାଇଥାଏ । କ୍ରିଷ୍ଣା ଏବେ ଦିନକୁ ୩୦ ଲିଟର କ୍ଷୀର ବିକ୍ରି କରୁଛନ୍ତି । ଦିନକୁ ୧୨ ଶହ ଟଙ୍କା ହିସାବରେ ମାସକୁ ୩୬ ହଜାର ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ବୀ ଜୀବନ ବିତାଉଛନ୍ତି । ପରିବାର ଚଳାଇବା ସହ ନିଜ ସଉକ ବି ପୂରା କରିଛନ୍ତି । ଏ ଭିତରେ ବିବାହ କରି ସାରିଛନ୍ତି କ୍ରିଷ୍ଣା । ଗୋରୁଙ୍କ ସେବାରେ ସହାୟତାର ହାତ ବଢାଇଛନ୍ତି ତାଙ୍କ ସ୍ତ୍ରୀ । ୨ ବର୍ଷର ଝିଅ ନମିତାକୁ ମିଳିଯାଇଛି ରାଣୀ ଭଳି ସାଥୀର ସାହାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.