ସିମେଣ୍ଟ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ:୨ ମାଫିଆଙ୍କୁ ଗିରଫ

ମାଲକାନଗିରି ୧୬/୧୦: ସିମେଣ୍ଟ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ । ଆନ୍ଧ୍ରରୁ ଯାଉଥିଲା ଅନୁଗୁଳ । ଏହି ସମୟରେ ଚିତ୍ରକୋଣ୍ଡା ପୁଲିସ୍‌ ଚଢଉ କରି ଜବତ କରିଛି ୧୫ କୁଇଣ୍ଟାଲ ଗଞ୍ଜେଇ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରିଛି ପୁଲିସ୍‌ । ଅତି ଚତୁରତା ସହ ସିମେଣ୍ଟ ବ୍ୟାଗ୍‌ ଭିତରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଏହି କାରବାରରେ ୨ ମାଫିଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଅନୁଗୁଳ ଜିଲ୍ଲାର ବିଶ୍ୱଜିତ ଭଦ୍ରି(୨୬) ଓ ସିନୁ ସାମଲ(୨୨) ।

ଏସ୍‌ପି ରିଷିକେଶ ଖିଲାରିଙ୍କ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଇନ୍ସପେକ୍ଟର ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍‌ ଦୋରାଗୁଡା ଏସ୍‌ଆର କମ୍ପାନି ଛକ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଆନ୍ଧ୍ରପଟରୁ ଏକ ସିମେଣ୍ଟ ଟ୍ରକ୍‌ ଦ୍ରୁତଗତିରେ ଆସୁଥିଲା । ପୁଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲା । ପୁଲିସ ଟ୍ରକ୍‌ର ପିଛା କରିଥିଲା ।

ଏହାଦେଖି ଟ୍ରକ୍‌ରେ ବସିଥିବା ୨ଜଣ ଓହ୍ଲାଇ ଜଙ୍ଗଲକୁ ଦୌଡ଼ି ପଳାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିଥିଲା । ଯାଞ୍ଚ ବେଳେ ଟ୍ରକ୍‌ରେ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଓ ସିମେଣ୍ଟ ବୋଝେଇ ହୋଇ ରହିଥିଲା । ଚିତ୍ରକୋଣ୍ଡା ଥାନାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ମୋଟ ୧୫୦୦ କେଜି ଗଞ୍ଜେଇ ଓ ୨୦ ଟନ୍‌ ସିମେଣ୍ଟ ରହିଥିଲା । ଆନ୍ଧ୍ରପ୍ରଦେଶ ଦାରାକୋଣ୍ଡାରୁ ସିମେଣ୍ଟ ସହ ଗଞ୍ଜେଇ ବୋଝେଇ ହୋଇ ଅନୁଗୁଳ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ଗିରଫ ମାଫିଆମାନେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି ।

   ସମ୍ବନ୍ଧିତ ଖବର


ଟାପୁରେ ଫଶିଲେ ଶହ ଶହ ମାଙ୍କଡ : ୫ଦିନ ପରେ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ

ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର

ନକଲି ସାମ୍ବାଦିକଙ୍କ ଅଶ୍ଲୀଳ କାରନାମା: ବନ୍ଦ ଘରେ ମାଆ, ଝିଅଙ୍କୁ ନିର୍ଯାତନା,ଫଟୋ ଉଠାଇ କରୁଥିଲେ ବ୍ଲାକ୍‌ମେଲ୍‌

ନାବାଳିକା ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌: ଦୁଇ ନାବାଳକ ସମେତ ୩ ଗିରଫ