ଶୀତ ବଢ଼ିବା ସହ ବଢ଼ୁଛି ସଂକ୍ରମଣ: କରୋନା ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ ୨୨/୧୧: କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ସଂକ୍ରମଣ ଉପରେ ନଜର ରଖିବାକୁ ହେଲେ କରୋନା ନମୁନା ପରୀକ୍ଷା (ଟେଷ୍ଟିଂ) ବଢ଼ାଇବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ଆମେରିକା ଓ ୟୁରୋପୀୟ ଦେଶରେ ସଂକ୍ରମଣ ବଢ଼ିଛି । ଭାରତରେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ତଥାପି ଉତ୍ତର ଭାରତର କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ଟେଷ୍ଟିଂକୁ ବଢ଼ାଯିବା ଆବଶ୍ୟକ । ଭାରତରେ ଏବେ ଦୈନିକ ସଂକ୍ରମଣ ହାର ୩.୪ ପ୍ରତିଶତ ରହିଛି । ଟେଷ୍ଟିଂ ମଧ୍ୟରୁ ପଜିଟିଭ୍‌ ହାର ୪ ପ୍ରତିଶତରୁ ସାମାନ୍ୟ ଅଧିକ ଅଛି ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଲଗାତାର ଭାବେ ଦୁଇ ସପ୍ତାହ ଧରି ଯଦି ପଜିଟିଭ୍‌ ହାର ୫ ପ୍ରତିଶତ କିମ୍ବା ତା’ଠାରୁ କମ୍‌ ରୁହେ ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି ଧରାଯିବ । ଭାରତରେ ଏବେ ଦୈନିକ ୧୦ ଲକ୍ଷରୁ ଅଧିକ ଟେଷ୍ଟିଂ କରାଯାଉଛି । ଜାନୁଆରୀ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ପାଖାପାଖି ୧୩ କୋଟି ଟେଷ୍ଟିଂ କରାଯାଇସାରିଲାଣି । ଦିଲ୍ଲୀ ସମେତ ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ଜାତୀୟ ହାର ଠାରୁ କମ୍‌ ଥିବା ମନ୍ତ୍ରଣାଳୟ କହିଛି ।