କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଲା ୬ଟି ରାଜ୍ୟର ବର୍ଦ୍ଧିତ ସଂକ୍ରମଣ ମାମଲା, ତତ୍କାଳ ଯାଞ୍ଚ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨/୨ : ଦେଶରେ ୬ଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ସମସ୍ତ ରାଜ୍ୟ ଗୁଡିକୁ ଯାଞ୍ଚ୍ ବଢାଇବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ତତ୍କାଳ ଆରଟିପିସିଆର ଯାଞ୍ଚ୍ ବଢାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଗୁଡିକୁ ପତ୍ର ଲେଖିଛନ୍ତି। ଏହା ସହ ଆଣ୍ଟିଜେନ ଯାଞ୍ଚ୍ ନେଗେଟିଭ୍ ଆସିବା ପରେ ଆରଟିପିସିଆଇର ଯାଞ୍ଚ୍ ଅନିବାର୍ଯ୍ୟ କରିବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି। ଏପରିକି ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନ ଗୁଡିକରେ କୌଣସି ପ୍ରକାର ଅସାବଧାନତାକୁ ବରଦାସ୍ତ କରାଯିବନି ବୋଲି କୁହାଯାଇଛି।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୨୮୧, କେରଳରେ ୪୬୫୦, ମଧ୍ୟପ୍ରଦେଶରେ ୨୫୭, ପଞ୍ଜାବରେ ୩୫୨, ଜାମ୍ମୁ କାଶ୍ମୀରରେ ୬୮ ଏବଂ ଛତିଶଗଡରେ ୨୬୩ ସକ୍ରିୟ କରୋନା ରୋଗୀ ଅଛନ୍ତି। ମହାରାଷ୍ଟ୍ର ଏବଂ କେରଳରେ ଦେଶର ୭୪ ପ୍ରତିଶତ ରୋଗୀ ଅଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, କେରଳର ଅଲପୁଝା ଜିଲ୍ଲାରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ଦର ୧୦.୭ ପ୍ରତିଶତରେ ପହଞ୍ଚିଛି। ସେହିପରି ମହାରାଷ୍ଟ୍ରର ଅକୋଲାରେ ସଂକ୍ରମଣ ହାର ୫୫ ପ୍ରତିଶତ ରହିଛି। ଯାହାକି ଦେଶର ସର୍ବୋଚ୍ଚରେ ରହିଛି।
କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ରାଜ୍ୟ ଗୁଡିକୁ କରୋନା ଟିକାକରଣ ଅଭିଯାନକୁ ତୀବ୍ର କରିବାକୁ କହିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଟିକାକରଣ ଅଭିଯାନ ବୃଦ୍ଧି କରିବା ପାଇଁ ସପ୍ତାହରେ ଚାରି ଦିନ କିମ୍ବା ଏହାଠାରୁ ଅଧିକ ଦିନ ଯାଏଁ ବୃଦ୍ଧି କରିବାକୁ କୁହାଯାଇଛି।