ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର, ଚୋରି ହୋଇଛି ରାଫେଲ ଦସ୍ତାବିଜ

ନୂଆଦିଲ୍ଲୀ,୬ ।୩(ଏଜେନ୍ସି): ରାଫେଲ ଯୁଦ୍ଧ ବିମାନ କିଣାଯିବା ସଂକ୍ରାନ୍ତ ରାଜିନାମାର କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଇଛି । ଏହି ସବୁ ଦସ୍ତାବିଜ ଖବରକାଗଜରେ ଛପାଯାଇଛି । ସରକାର ଏହାର ଆଭ୍ୟନ୍ତରୀଣ ତଦନ୍ତ କରୁଛନ୍ତି । ସୁପ୍ରିମକୋର୍ଟରେ ଆଜି ରାଫେଲ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଅବଗତ କରାଯାଇଛି । ଏଥିସହ ଚୋରି ଦସ୍ତାବିଜ ଆଧାରରେ ପୁନର୍ବିଚାର ଆବେଦନ ଦାଖଲ କରାଯାଇଥିବାରୁ ତାକୁ ଖାରଜ କରିବା ଲାଗି ସରକାର ନିବେଦନ ମଧ୍ୟ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‌.କେ କୌଲ ଓ ବିଚାରପତି କେ.ଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଖୋଲା କୋର୍ଟରେ କରୁଛନ୍ତି । ରାଫେଲ ରାଜିନାମାରେ ବଡ ଦୁର୍ନୀତି ହୋଇଛି ଓ ସରକାର ଅନେକ ତଥ୍ୟ ଲୁଚାଇଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ, ଆଡଭୋକେଟ ପ୍ରଶାନ୍ତ ଭୂଷଣ ଓ ଏମ୍‌. ଏଲ୍‌ ଶର୍ମା ଏବଂ ଆପ୍‌ ନେତା ସଞ୍ଜୟ ସିଂହଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଛି । ଇଂରାଜି ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ରାଫେଲ ରାଜିନାମା ସଂକ୍ରାନ୍ତ କେତେକ ତଥ୍ୟ ଆଡଭୋକେଟ ଭୂଷଣ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ତାକୁ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ (ଏଜି) କେ.କେ. ବେଣୁଗୋପାଳ ବିରୋଧ କରିଥିଲେ । କହିଥିଲେ ଚୋରି ଦସ୍ତାବିଜର ତଥ୍ୟ ଖବରକାଗଜ ପ୍ରକାଶ ପାଇଛି । ସେହି ଖବରକାଗଜରେ ଫେବ୍ରୁଆରୀ ୮ରେ ତଥ୍ୟ ପ୍ରକାଶ ପାଇଥିଲା । ଆଜିର ପୁଣିଥରେ କିଛି ତଥ୍ୟ ପ୍ରକାଶ ପାଇଛି । ଏସବୁ ତଥ୍ୟ ଗୋପନ ହୋଇଥିଲା ବେଳେ ତାକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନରୁ ବାଦ୍‌ ଦିଆଯାଇଛି । କିନ୍ତୁ ଖବରକାଗଜରେ ତାହା ସାର୍ବଜନୀନ କରାଯାଇଛି । ଏହା ସରକାରୀ ଗୋପନୀୟତା ଆଇନର ଉଲ୍ଲଂଘନ । ଏସବୁ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ । ଏହା ଅଦାଲତ ଅବମାନନା ।
ତେବେ ଚୋରି ସଂକ୍ରାନ୍ତରେ ସରକାର ସତ୍ୟପାଠ କରି ଜଣାଇବେ କି ବୋଲି କୋର୍ଟ ପ୍ରଶ୍ନ କରିବାରୁ ଏଜି ଆସନ୍ତାକାଲି (ଗୁରୁବାର) ତାହା ଦାଖଲ କରିବାକୁ କହିଛନ୍ତି । ସେ ଆହୁରି ମଧ୍ୟ ଦର୍ଶାଇଥିଲେ କି କୋର୍ଟଙ୍କ ବୟାନକୁ ନେଇ ବିରୋଧୀ ଦଳ ରାଜନୀତି କରିବେ । ତେଣୁ କୋର୍ଟ ଏହି ମାମଲାରେ ସଂଯମ ଆଚରଣ କରିବା ଉଚିତ ହେବ । ପ୍ରତିରକ୍ଷା ସାମଗ୍ରୀ କ୍ରୟ ମାମଲାରେ ନ୍ୟାୟିକ ଯାଞ୍ଚ ହୋଇପାରିବ ନାହିଁ । ଯଦି ଏହାର ସିବିଆଇ ତଦନ୍ତ ହେବ ତେବେ ଦେଶର ବହୁତ ବଡ କ୍ଷତି ହେବ । ଭବିଷ୍ୟତରେ ପ୍ରତିରକ୍ଷା ସାମଗ୍ରୀ କିଣା ଉପରେ ତାହାର ପ୍ରଭାବ ପଡିବ । ଭାରତ ସହ ରାଜିନାମା କରିବା ପୂର୍ବରୁ ବିଦେଶୀ କମ୍ପାନିଙ୍କୁ ଭାବିବାକୁ ପଡିବ । ଏଜିଙ୍କ ଏହି ବୟାନ ଉପରେ ଜବାବ ରଖି ଆଡଭୋକେଟ ଭୂଷଣ କହିଲେ କି ସରକାର କୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି । ଚୋରି ଦସ୍ତାବିଜକୁ ସମସ୍ତେ ଦେଖିବା ଓ ପଢ଼ିବା ପରେ ସରକାର କହୁଛନ୍ତି କୋର୍ଟ ତାକୁ ଦେଖିପାରିବେ ନାହିଁ । ବିଚାର ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ କହିଲେ କି ଯଦି ଆପଣଙ୍କ କହିବାନୁସାରେ ରାଫେଲ ଦସ୍ତାବିଜ ଚୋରି ହୋଇଛି ଓ ଚୋରି ଦସ୍ତାବିଜ ଖବରକାଗଜରେ ଛପାଯାଇଛି ତେବେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ସେହିଭଳି ଜଷ୍ଟିସ ଯୋଶେଫ ମଧ୍ୟ କଡା ଟିପ୍ପଣୀ ଦେଇଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କୁ ପଚାରିଛନ୍ତି ଆପଣ କହୁଛନ୍ତି ଦୁର୍ନୀତି ଅଭିଯୋଗର ଆଧାର ବେଆଇନ ସୂତ୍ରରୁ ହୋଇଥିବାରୁ ଯାଞ୍ଚ ହେବନାହିଁ । ଆମେ ତାକୁ ଯାଞ୍ଚ କରିବାକୁ ପଡିବ । ଚୋରି ହୋଇଥିବା ଦସ୍ତାବିଜ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରମାଣ ଯଦି ଠିକ୍‌ ଓ ଦୁର୍ନୀତି ଯଦି ହୋଇଛି ତେବେ ତଦନ୍ତ ହେବା ନିହାତି ଦରକାର । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ରେ ହେବ । ଆଜିର ଶୁଣାଣି ବେଳେ ଆପ୍‌ ନେତା ସଞ୍ଜୟ ସିଂହଙ୍କ ଓକିଲ କୋର୍ଟରେ ପିଟିସନ ଦାଖଲ କରିବାକୁ ଚାହିଁଥିଲେ । ମାତ୍ର ସିଂହ ଅଦାଲତ ବିରୋଧରେ କଡ୍ଡା ଟିପ୍ପଣୀ ଦେଇଥିବାରୁ କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିନଥିଲେ ଏବଂ ତାଙ୍କୁ ଅଦାଲତ ଅବମାନନା ମାମଲାରେ ହାଜର ହେବାକୁ କହିଥିଲେ । ସୂଚନାଯୋଗ୍ୟ ଯେ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ କେନ୍ଦ୍ର ସରକାର କରିଥିବା ଚୁକ୍ତିରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ତାହାର ସିବିଆଇ ତଦନ୍ତ ଲାଗି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ତେବେ ୨୦୧୮ ଡିସେମ୍ବର ୧୩ରେ ସୁପ୍ରିମକୋର୍ଟ ମାମଲାର ବିଚାର କରି ରାଫେଲ ରାଜିନାମାରେ ଅନିୟମିତତା ହୋଇନାହିଁ ବୋଲି ରାୟ ଦେବା ସହିତ ଏ ସଂକ୍ରାନ୍ତରେ ଆଗତ ସବୁ ରାଜିନାମାକୁ ଖାରଜ କରିଦେଇଥିଲେ । ମାତ୍ର ଆବେଦନକାରୀମାନେ ନୂଆ ଦସ୍ତାବିଜ ଦାଖଲ କରିବା ସହ କେନ୍ଦ୍ର ସରକାର ରାଜିନାମା ବେଳେ ପ୍ରାଇସ, ପ୍ରୋସେଡ୍ୟୁର ଓ ପାର୍ଟନର ଚୟନରେ ନିୟମ ପାଳନ କରିନାହାନ୍ତି ବୋଲି ଦର୍ଶାଇ ରାୟର ପୁନର୍ବିଚାର କରିବାକୁ ପିଟିସନ ଦାଖଲ କରିଥିଲେ । ଗତ ଫେବ୍ରୁଆରୀ ୨୬ରେ ସର୍ବୋଚ୍ଚ ଅଦାଲତ ଏହାକୁ ବିଚାର ପାଇଁ ଗ୍ରହଣ କରିଥିଲେ ।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌