ବନ୍ଦର ସହରକୁ ଛୁଟିବ ନିବେଶ: ୯,୪୯୪ କୋଟି ଆଣିବ ଆଇଓସିଏଲ୍, ୩,୭୦୦ କୋଟି ଖଟାଇବ ପାରାଦୀପ ବନ୍ଦର

ଭୁବନେଶ୍ୱର,୪ା୨(ବ୍ୟୁରୋ): ବନ୍ଦର ସହର ପାରାଦୀପକୁ ଛୁଟିବ ନିବେଶର ସୁଅ । କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସିଏଲ୍) ଓ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ବିଭିନ୍ନ ପ୍ରକଳ୍ପ ଜରିଆରେ ଏଠାରେ ମୋଟ୍ ୧୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବେ । ଫେବ୍ରୁଆରୀ ୬ରେ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ଙ୍କ କରକମଳରେ ଏସବୁ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ, ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ଆଇଓସିଏଲ୍ ଓ ପିପିଟି ପକ୍ଷରୁ ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆଇଓସିଏଲ୍ ପକ୍ଷରୁ ମୋଟ୍ ୯,୪୯୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉନ୍ମୋଚନ ହେବାକୁ ଥିବା ବେଳେ ପାରାଦୀପ ବନ୍ଦର ୩,୭୦୦ କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡବ୍ରେକିଂ କରିବ ।
ଆଇଓସିଏଲ୍ ପାରାଦୀପ ରିଫାଇନରି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଟିଡିଭିଏସ୍ ଗୋପାଳ କ୍ରିଷ୍ଣା କହିଛନ୍ତି, ପାରାଦୀପ ରିଫାଇନରିରେ ୩,୧୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ବିଶ୍ୱଶ୍ରେଣୀୟ ପଲିପ୍ରପିଲିନ୍ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହି ପ୍ଲାଣ୍ଟର କ୍ଷମତା ୬.୮ ଲକ୍ଷ ଟନ୍ ରହିଛି । ନିକଟରେ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି । ଫେବ୍ରୁଆରୀ ୬ରେ ଏହାର ଆନୁଷ୍ଠାନିକ ଉଦ୍ଘାଟନ ଦେବ । ଚଳିତ ବର୍ଷ ଏପ୍ରିଲରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ । ଏହି ପଲିପ୍ରପିଲିନ୍ ପ୍ଲାଣ୍ଟ ସ୍ଥାନୀୟ ଅଞ୍ଚଳରେ ଡାଉନ୍ଷ୍ଟ୍ରିମ୍ ପ୍ଲାଷ୍ଟିକ୍ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଇବ ବୋଲି ସେ କହିଛନ୍ତି ।
ଏ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ୍ ଗଡ଼କରୀ, ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ପାରାଦୀପ ରିଫାଇନରିରେ ମନୋଏଥିଲିନ୍ ଗ୍ଲାଇକଲ୍ (ଏମ୍ଇଜି) ପ୍ଲାଣ୍ଟର ଭିତ୍ତିପ୍ରସ୍ତର ବି ସ୍ଥାପନ କରିବେ । ୫,୬୫୪ କୋଟି ଟଙ୍କା ପୁଞ୍ଜିନିବେଶରେ ସ୍ଥାପନ ହେବାକୁ ଥିବା ଏହି ପ୍ଲାଣ୍ଟର କ୍ଷମତା ବାର୍ଷିକ ୩.୫୭ ଲକ୍ଷ ଟନ୍ ରହିବ । ଏଲ୍ ଆଣ୍ଡ ଟିକୁ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ୨୦୨୧ ଜୁଲାଇ ସୁଦ୍ଧା ଏଠାରୁ ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ କ୍ରିଷ୍ଣା କହିଛନ୍ତି ।
ଏହାବାଦ୍ ପାରାଦୀପ ବନ୍ଦରରେ ଏଲ୍ପିଜି ଆମଦାନି ଭିତ୍ତିଭୂମି ସୁଦୃଢ଼ କରିବା ଲକ୍ଷ୍ୟରେ ଆଇଓସିଏଲ୍ ୦.୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟର ଏଲ୍ପିଜି ଟର୍ମିନାଲ୍ ସ୍ଥାପନ କରିବ । ଶୁଭ ପଡ଼ିବାକୁ ଥିବା ଏହି ଏଲ୍ପିଜି ଟର୍ମିନାଲ୍ ସ୍ଥାପନ ପାଇଁ କମ୍ପାନି ୬୯୦ କୋଟି ଟଙ୍କା ନିବେଶ କରିବ ।
ପାରାଦୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି, ଫେବ୍ରୁଆରୀ ୬ରେ ବନ୍ଦର ପକ୍ଷରୁ ୩,୭୦୦ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ୩ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସ୍ୱଚ୍ଛ କାର୍ଗୋ ପରିଚାଳନା ନିମନ୍ତେ ନିର୍ମାଣ ହୋଇଥିବା ବହୁମୁଖୀ ବର୍ଥର ଉଦ୍ଘାଟନ ହେବ । ଏହି ବର୍ଥର କାର୍ଗୋ ପରିଚାଳନା କ୍ଷମତା ୫ ନିୟୁତ ଟନ୍ ରହିଥିବା ବେଳେ ଏଥିପାଇଁ ୪୩୦ କୋଟି ୭୮ ଲକ୍ଷ ଟଙ୍କା ପୁଞ୍ଜିନିବେଶ ହୋଇଛି ।
ପାରାଦୀପ ବନ୍ଦରର ଇଷ୍ଟ କ୍ୱେ (ଇକ୍ୟୁ)ର ୧, ୨, ୩ ବର୍ଥର ଯାନ୍ତ୍ରିକରଣ କାର୍ଯ୍ୟ ପାଇଁ ମଧ୍ୟ ଏ ଅବସରରେ ଭିତ୍ତି ପଡ଼ିବ । ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର (ବିଓଟି) ମୋଡ୍ରେ ନିର୍ମାଣ ହେବାକୁ ଥିବା ଏ ପ୍ରକଳ୍ପ ପାଇଁ ୧,୪୩୭ କୋଟି ୭୬ ଲକ୍ଷ ଟଙ୍କା ନିବେଶ ହେବ । ଏହାବ୍ୟତୀତ ୬୫୫ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟରେ ବାର୍ଷିକ ୧୦ ନିୟୁତ ଟନ୍ କ୍ଷମତାର କୋଇଲା ବର୍ଥ ବିକାଶ କାର୍ଯ୍ୟକୁ ମଧ୍ୟ ୩ ମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଶ୍ରୀ ରାୟ କହିଛନ୍ତି ।
ସେହିଭଳି ଫେବ୍ରୁଆରୀ ୬ରେ ପାରାଦୀପ ବନ୍ଦର ଦ୍ୱାରା ନିର୍ମାଣ ହେବାକୁ ଥିବା ମଲ୍ଟିମୋଡାଲ୍ ଲଜିଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ୧୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଲଜିଷ୍ଟିକ୍ ପାର୍କର ନିର୍ମାଣ କାର୍ଯ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କନ୍କର୍କୁ ପ୍ରଦାନ କରାଯାଇଛି । ଏଥିପାଇଁ ବନ୍ଦର ଟ୍ରଷ୍ଟ ପକ୍ଷରୁ ମୋଟ୍ ୨୦୦ କୋଟି ଟଙ୍କା ନିବେଶ ହେବ । ଏସବୁ ପ୍ରକଳ୍ପ ବ୍ୟତୀତ ପାରାଦୀପ ରେଳ ଷ୍ଟେସନର ନୂଆ ଭବନ, ସୌରଶକ୍ତି ପ୍ଲାଣ୍ଟ, ବନ୍ଦରର ୨ ହଜାର କର୍ମଚାରୀଙ୍କ ପାଇଁ ଜୀବନ ବୀମା ଭଳି ପଦକ୍ଷେପର ମଧ୍ୟ ଶୁଭାରମ୍ଭ ହେବ ବୋଲି ପିପିଟି ଅଧ୍ୟକ୍ଷ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇଓସିଏଲ୍ ଇଡି ତଥା ତୈଳ କମ୍ପାନିଗୁଡ଼ିକର ରାଜ୍ୟ ସଂଯୋଜକ ପ୍ରୀତିଶ ଭରତ, ଆଇଓସିଏଲ୍ ମହାପ୍ରବନ୍ଧକ ସୁଜୟ ଚୌଧୁରୀ, ଆଇଓସିଏଲ୍ ଦକ୍ଷିଣ ପଶ୍ଚିମାଞ୍ଚଳ ପାଇପଲାଇନ୍ର ମୁଖ୍ୟମହାପ୍ରବନ୍ଧକ (ମାନବସମ୍ବଳ) ଏସ୍ ପଟ୍ଟନାୟକ ଉପସ୍ଥିତ ଥିଲେ ।