କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶନାମା: ୧୦ ଦିନରେ ଡିସ୍‌ଚାର୍ଜ ହେବେ ସଂକ୍ରମିତ, ଡିସ୍‌ଚାର୍ଜ ପୂର୍ବରୁ ହେବନି ଟେଷ୍ଟ

ନୂଆଦିଲ୍ଲୀ ୧୦/୫: କରୋନା ସଂକ୍ରମିତ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ନେଇ ପୂର୍ବରୁ ଥିବ ନିୟମାବଳିରେ କେତେକ ପରିବର୍ତ୍ତନ କରାଯାଇଛି । ପୂର୍ବର ଜଣେ କରୋନା ରୋଗୀ ହସ୍ପିଟାଲରେ ଅତି କମ୍‌ରେ ୧୪ ଦିନ ରହିବା ବାଧ୍ୟତା ମୂଳକ ଥିଲା । କିନ୍ତୁ ଏବେ କମ୍‌ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରିବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହା ବ୍ୟତୀତ ପୂର୍ବରୁ ସମସ୍ତ ରୋଗୀଙ୍କର ୨-୨ ଥର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହେଉଥିଲେ । କିନ୍ତୁ ନୂଆ ନିୟମ ମୁତାବକ କମ୍‌ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରିବା ପୂର୍ବରୁ ତାଙ୍କର କୌଣସି ଟେଷ୍ଟ କରାଯିବ ନାହିଁ । ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ସେମାନଙ୍କୁ ନିଜ ଘରେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯିବ ।ରୋଗୀ ଡିସଚାର୍ଜ ହେବା ନେଇ ଜାରି ହୋଇଥିବା ନୂଆ ନିୟମ ମୁତାବକ, ଗୁରୁତର କରୋନା ରୋଗୀ ଏବଂ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା କରୋନା ରୋଗୀଙ୍କର ଚିକିତ୍ସା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲି ପାରିବ । ପରେ ସେମାନଙ୍କର ଆର୍‌ଟି- ପିସିଆର୍‌ ଟେଷ୍ଟ କରାଇ ହସ୍ପିଟାଲରୁ ଡିସଚାର୍ଜ କରାଯିବ । କରୋନା ସଂକ୍ରମିତ ହୋଇଥିବା ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରାଇଥିବା କରୋନା ରୋଗୀମାନଙ୍କର ମଧ୍ୟ ଆର୍‌ଟି-ପିସିଆର୍‌ ଟେଷ୍ଟ ପରେ ଡିସ୍‌ଚାର୍ଜ କରାଯିବ ।

ସେହିପରି ଯେଉଁ କରୋନା ରୋଗୀଙ୍କ ଦେହରେ ଜ୍ୱର, ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ଆଦି ଲକ୍ଷଣ ଯଦି ୩ ଦିନ ମଧ୍ୟରେ ଭଲ ହୋଇଯାଉଛି ଏବଂ ତାଙ୍କୁ ଅମ୍ଲଜାନ ଦେବାକୁ ପଡୁନାହିଁ ସେମାନଙ୍କୁ ମଧ୍ୟ ୧୦ ଦିନ ପରେ ବିନା ଟେଷ୍ଟରେ ଡିସ୍‌ଚାର୍ଜ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିନା ଲକ୍ଷଣ ଏବଂ ଅଳ୍ପ ଲକ୍ଷଣ ଯୁକ୍ତ କରୋନା ରୋଗୀଙ୍କର ତାପମାତ୍ରା ଦୈନିକ ମପାଯିବ । ଫଳରେ ସେମାନେ ୧୦ ଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ଯୋଗ୍ୟ କି ନାହିଁ ଜାଣିବ ସହଜ ହୋଇପାରିବ । ଯଦି ଜଣେ ରୋଗୀଙ୍କର ୩ ଦିନ ମଧ୍ୟରେ ଜ୍ୱର ଭଲ ହେଉନାହିଁ ଏବଂ ତାଙ୍କୁ ଅମ୍ଳଜାନ ଦରକାର ପଡୁଛି । ତେବେ ସେଭଳି ରୋଗୀଙ୍କୁ କମ୍‌ ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯିବନି । ହସ୍ପିଟାଲରୁ ଡିସଚାର୍ଜ ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯିବ । ଡିସଚାର୍ଜ ହେବା ପରେ ଯଦି କୌଣସି ରୋଗୀଙ୍କ ନିକଟରେ କଫ, ଜ୍ୱର, କାଶ, ଛିଙ୍କ ଆଦି କରୋନା ଲକ୍ଷଣ ଦେଖାଯାଏ ସେମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସ୍ୱାସ୍ଥ୍ୟଗତ ପରାମର୍ଶ ନେଇ ପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଲକ୍ଷଣବିହୀନ ରହିଛନ୍ତି । ୮୦ ପ୍ରତିଶତ ସଂକ୍ରମିତଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି । ଏଣୁ ଏହି ରୋଗୀମାନଙ୍କୁ ୧୦ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ଏହା ଦ୍ୱାରା ଡାକ୍ତରଖାନା ଉପରେ ଚାପ କମିପାରିବ ବୋଲି କୁହାଯାଉଛି ।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…