କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨୪ ଆହତ

ଭରୁଚ, ୨୩/୨ : ଗୁଜୁରାଟର ଭରୁଚ ଜିଲ୍ଲାର ଝଗଡିଆ ସ୍ଥିତ ଏକ କେମିକାଲ କମ୍ପାନୀ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ମଙ୍ଗଳବାର ରାତ୍ରି ୨ଟା ସମୟରେ ଏହି ବିସ୍ଫରଣ ଘଟିଛି। ଏହି ଦୁର୍ଘଟଣାରେ ୨୪ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଦୁର୍ଘଟଣା କମ୍ପାନୀର ସିଏମ ନାମକ ପ୍ଲାଣ୍ଟରେ ହୋଇଛି। ତେବେ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ୧୫ କି.ମି ଯାଏଁ ଏହାର ଶବ୍ଦ ଶୁଣାଯାଇଥିଲା। ଆଖପାଖ ଗାଁରେ ରହୁଥିବା ଲୋକ ଭୂମିକମ୍ପ ହେଲାଭଳି ଅନୁଭବ କରିଥିଲେ।
ୟୁପିଏଲ କମ୍ପାନୀରେ ହୋଇଥିବା ବିସ୍ଫୋରଣରେ ୨୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବଡୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡ ହେବା କାରଣରୁ ଆଖାପାଖ ଅଞ୍ଚଳରେ ଧୂଆଁର ଆସ୍ତରଣ ବିଛେଇ ହୋଇଯାଇଥିଲା। ଏହାପୂର୍ବରୁ ଗତବର୍ଷ ଜୁନରେ ଭରୁଚରେ ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।