
ନିତ୍ୟ ବ୍ୟବହାର୍ଯ୍ୟ ବହୁ ଜିନିଷ କେମିକାଲଯୁକ୍ତ । ସେଗୁଡିକ ମଧ୍ୟରେ ରହିଛି ଟୁଥ୍ପେଷ୍ଟ, ସାବୁନ୍ ଓ ସାମ୍ପୋ ଆଦି ଅନ୍ୟତମ । ଏସବୁ କେବଳ ଶରୀର ପାଇଁ ନୁହେଁ, ବରଂ ପରିବେଶ ପାଇଁ ମଧ୍ୟ କ୍ଷତିକାରକ । ସେଥିପାଇଁ ଆଜିକାଲି ବହୁ ସଚେତନ ନାଗରିକ ଦୀର୍ଘ ଜୀବନ ପାଇଁ କେମିକାଲ୍ଠାରୁ ଦୂରେଇବା ଦିଗରେ ପ୍ରୟାସ କରୁଛନ୍ତି । କେବଳ ନିଜ ପାଇଁ ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ନିଜ ଘରେକେମିକାଲ ମୁକ୍ତ ସାବୁନ ତିଆରି କରି ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି ଅନୁରାଧା ।
ବେଙ୍ଗାଲୁରୁର ଅନୁରାଧା । ସେ ଗତ ୫ ବର୍ଷ ତଳେ ଘରେ କେମିକାଲ୍ମୁକ୍ତ ଓ ପ୍ରାକୃତିକ ସାବୁନ୍ ତିଆରି କରି ବିକ୍ରି ଆରମ୍ଭ କରିଥିଲେ । ସେ ଜଣେ କମ୍ପ୍ୟୁଟର ସ୍ନାତକ । ଅନୁ ଏକ ଗାର୍ଡେନ୍ ଷ୍ଟୋର ‘ନିତ୍ୟ ଜୈବିକ’ଚଳାଉଛନ୍ତି । ସେ ନିଜେ ଗାର୍ଡେନିଂ କରିବା ସହ ବିଭିନ୍ନ ଗାର୍ଡେନ୍ ସମ୍ବନ୍ଧୀୟ ବିଭିନ୍ନ ଜିନିଷ, ଚାରା, ସାର ଓ ପୋଷକତତ୍ତ୍ୱ ଆଦି ତିଆରି କରିଥାନ୍ତି । ଅନୁ ଏକ କେମିକାଲ୍ ମୁକ୍ତ ଜୀବନଶୈଳୀ ବଞ୍ଚିବା ଦିଗରେ ବେଶ୍ ସଚେତନ । ତେଣୁ ଗତ ୫ ବର୍ଷ ହେଲା ନିଜ ଘରେ ସାବୁନ ତିଆରି କରି ବ୍ୟବହାର କରୁଥିଲେ । ପ୍ରଥମେ ସାବୁନ ତିଆରି ତାଙ୍କର ନିଶାଥିଲା, ଏବେ ତାହା ପେସାରେ ପଦଳିଯାଇଛି । ଏବେ ସେ ବିଭିନ୍ନ ତ୍ୱଚାକୁ ସୁହାଇବା ପରି ସାବୁନ ତିଆରି କରୁଛନ୍ତି । ଫଳରେ ଏବେ ତାଙ୍କ ପାଖରେ ଅର୍ଡର ଦିନକୁ ଦିନ ବଢିବାରେ ଲାଗିଛି ।
‘‘ନିତ୍ୟ ଜୈବିକ’ ବ୍ୟାନର୍ରେ ହିଁ ସାବୁନ ବିକ୍ରି କରୁଛି । ମୁଁ ଲୋକମାନଙ୍କୁ ସିଧାସଳଖ ସାବୁନ ବିକିବା ସହ ହୋଲ୍ସେଲ୍ ଓ ରିଟେଲ୍ରେ ମଧ୍ୟ ଦେଉଛି । ଅବଶ୍ୟ କମର୍ସିଆଲ୍ ମାକେର୍ଟରେ ମୋର ବହୁତ ବଡ଼ ମାନ୍ୟତା ନାହିଁ । କିନ୍ତୁ ଯେତିକି ଚାଲିଛି, ତାହା ମୋତେ ଖୁସି ଦେଉଛି । ନିଜେ ସାବୁନ ତିଆରି କରିବା ସହ ପ୍ରାୟ ୮୦ ଜଣଙ୍କୁ ସାବୁନ ତିଆରି କରିବା ଶିଖାଇ ସାରିଲିଣି’ ବୋଲି ଅନୁ କହନ୍ତି ।
ଯେକେହି ଚାହିଁଲେ ନିଜ ଘରେ କେମିକାଲମୁକ୍ତ ସାବୁନ ତିଆରି କରିପାରିବେ । ଏଥିପାଇଁ ନିଜକୁ ସାବୁନ ତିଆରି କରି ଆସିଥିବା ବହୁତ ଜରୁରି । ଏଥିପାଇଁ କୌଣସି ସାବୁନ କର୍ମଶାଳା ଯାଇ ଏହାର ତିଆରି ଶୈଳୀ ଶିଖିପାରିବେ । ପରେ ଘରେ ଏହାର ଅଭ୍ୟାସ ନିଶ୍ଚୟ କରନ୍ତୁ । ଭଲରେ ତିଆରି କରିବା ଶିଖିବା ପରେ ହିଁ ବ୍ୟବସାୟ କଥା ଚିନ୍ତା କରିପାରିବେ । ଯଦି ସାବୁନ ବ୍ୟବସାୟ କରିବାକୁ ଚାହୁଁଥାନ୍ତି । ତେବେ ଅନୁଙ୍କ ପରାମର୍ଶ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ।
‘ସାବୁନ ତିଆରି ପାଇଁ ପ୍ରଥମେ କ୍ଷଚ୍ଚର, ନଡ଼ିଆ ତେଲ, ଫ୍ୟାଟ୍, ଏସନ୍ସ ଅଏଲ୍ ଓ ପ୍ରାକୃତିକ ରଙ୍ଗ ପାଇଁ ଯଥା ହଳଦୀ, ପୋଦିନା ଓ ଗୋଲାପ ପରି ପ୍ରାକୃତିକ ଜିନିଷ ଦରକାର ପଡିଥାଏ । ସେହିପରି ଅନ୍ୟ କିଛି ଉପକରଣ ମଧ୍ୟ ଆବଶ୍ୟକ । କିନ୍ତୁ ଏସବୁ ଜିନିଷ ପାଇଁ ବହୁ ଅର୍ଥର ଆବଶ୍ୟକ ପଡିବ ନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଇ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବସାୟ ପାଇଁ କୌଣସି ସାର୍ଟିଫିକେଟ୍ର ଆବଶ୍ୟକତା ନଥାଏ । ୟୁନିଟ୍ ସେଟ୍ କରିବାକୁହେଲେ ସାର୍ଟିଫିକେଟ୍ ଆବଶ୍ୟକ ହୋଇଥାଏ ।
ସାବୁନ୍କୁ ପ୍ୟାକେଜିଂ କରିବା ସମୟରେ ଇକୋଫ୍ରେଣ୍ଡଲୀ ବିକଳ୍ପକୁ ଗୁରୁତ୍ୱ ଦେବା ଉଚିତ୍ ହେବ । ବ୍ୟବସାୟର ପ୍ରସାର ପାଇଁ ଇନ୍ଷ୍ଟା ଓ ଫେସ୍ବୁକ୍ର ସହାୟତା ନେଇପାରିବେ’ ବୋଲି ଅନୁରାଧା କହନ୍ତି ।