ଚେନ୍ନାଇନ ୨-୦ରେ ଜିତିଲା

ଭୁବନେଶ୍ୱର, ୨୯ ।୩ (ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଦ୍ୱିତୀୟ ହିରୋ ସୁପର କପ୍ । ପ୍ରି-କ୍ୱାର୍ଟର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଚେନ୍ନାଇନ ୨-୦ ଗୋଲ୍ରେ ମୁମ୍ବାଇ ସିଟିକୁ ପରାଜିତ କରିଛି ।
ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ମାତ୍ର ପ୍ରଥମାର୍ଦ୍ଧରେ ନିୟମିତ କ୍ରମରେ ଦୁଇଟି ଗୋଲ୍ ସ୍କୋର କରି ଚେନ୍ନାଇନ ବିଜୟୀ ହୋଇଥିଲା । ଆରମ୍ଭରୁ ମ୍ୟାଚ୍ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା । ଆକ୍ରମଣ ପ୍ରତିଆକ୍ରମଣ ମଧ୍ୟରେ ଖେଳ ରୋମାଞ୍ଚକର ହୋଇଥିଲା । କେହି କାହାକୁ ସୁଯୋଗ ଦେଉ ନଥିଲେ । ୪୧ ମିନିଟ୍ ପର୍ଯ୍ୟନ୍ତ ଖେଳ ଏମିତି ରହିଥିଲା । ମାତ୍ର ୪୨ତମ ମିନିଟ୍ରେ ଚେନ୍ନାଇନର ସିକେ ଭିନିଥ ଚମତ୍କାର ଗୋଲ୍ ସ୍କୋର କରି ଦଳର ଖାତା ଖୋଲିଥିଲା । ପୁଣି ଏହାର ଏକ ମିନିଟ୍ ମଧ୍ୟରେ ଦ୍ୱିତୀୟ ଗୋଲ୍ ସ୍କୋର କରି ଚେନ୍ନାଇନ ୨-୦ ଗୋଲ୍ରେ ଅଗ୍ରଣୀ ହାସଲ କରିଥିଲା । ହଠାତ ମୁମ୍ବାଇ କିଛି ବୁଝିବା ପୂର୍ବରୁ ୨ଟି ଗୋଲ୍ ଖାଇଯାଇଥିଲା । ଦ୍ୱିତୀୟ ଗୋଲଟି ଜେଜେ ସ୍କୋର କରିଥିଲେ ।
ଖେଳର ପରବର୍ତ୍ତୀ ୨ ମିନିଟ୍ ଏବଂ ଇନଜ୍ୟୁରୀ ଟାଇମିରେ ଆଉ ଗୋଲ୍ ସମ୍ଭବ ହୋଇ ନଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଚେନ୍ନାଇନ ୨ ଗୋଲ୍ରେ ଆଗୁଆ ରହି ସ୍ଥିତି ମଜବୁତ କରିଥିଲା । ଦ୍ୱିତୀୟାର୍ଦ୍ଧ ଖେଳ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା । ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ମୁମ୍ବାଇ ବହୁ ପ୍ରୟାସ କରିଥିଲେ । ସେପଟେ ଚେନ୍ନାଇ ମଧ୍ୟ ଅଧିକ ଗୋଲ୍ ସ୍କୋର କରିବା ନେଇ ଉଦ୍ୟମ ଜାରି ରଖିଥିଲା । ହେଲେ କେହି କାହାକୁ ସୁଯୋଗ ଦେଉ ନଥିଲେ । ଏମିତିରେ ଦ୍ୱିତୀୟାର୍ଦ୍ଧ ଶେଷ ହୋଇଥିଲା । ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ ସତ୍ତେ୍ୱ ମୁମ୍ବାଇ ଗୋଲ୍ ଖାତା ଖୋଲି ପାରି ନଥିଲା । ୨-୦ ଗୋଲ୍ରେ ଅଗ୍ରଣୀ ରହି ଚେନ୍ନାଇନ ମ୍ୟାଚ୍ ବିଜୟୀ ହୋଇଥିଲା । ବିଜୟୀ ଦଳର ଅଧିନାୟକ ମେଲସନ ବାରେରିଓ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଗୋଆକୁ ଭେଟିବ ଆରୋଜ ଆଜି
ଆସନ୍ତାକାଲି ୨ଟି ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ମ୍ୟାଚ୍ ଇଣ୍ଡିଆନ ଆରୋଜ ଓ ଗୋଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ ଡାଇନୋମସ ଓ ଇଷ୍ଟ୍ ବେଙ୍ଗଲ ମଧ୍ୟରେ ଖେଳାଯିବ । ପୂର୍ବରୁ ଇଷ୍ଟ୍ବେଙ୍ଗଲ ପ୍ରତିଯୋଗିତାରେ ଭାଗ ନେଇ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି । ତେଣୁ ଦିଲ୍ଲୀକୁ ୱାକଓଭର ମିଳିପାରେ । ଆରୋଜ ବେଶ କିଛି ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି । ଯୁବ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ ଆରୋଜ ଶ୍ରେଷ୍ଠ ପ୍ରଦର୍ଶନ ସହ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଅପରପକ୍ଷରେ ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଆଇଏସ୍ଏଲ୍ ଦଳ ଗୋଆ ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିବା ଟାର୍ଗେଟରେ ଅଛି । ଏହି ମ୍ୟାଚ୍ ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି ।