ରାସ୍ତାରେ ହୋର୍ଡିଂ ଖସିପଡ଼ିବାରୁ ଯୁବତୀ ମୃତ

ଚେନ୍ନାଇ ୧୪/୯: ରାସ୍ତାକଡରେ ବେଆଇନ ହୋର୍ଡିଂ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାସ୍ତାକଡରେ ଲାଗିଥିବା ଏଭଳି ଏକ ବେଆଇନ ହୋର୍ଡିଂ ଯୋଗୁ ଦକ୍ଷିଣ ଚେନ୍ନାଇର ପଲ୍ଲୀକରନାଇ ଅଞ୍ଚଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବତୀଙ୍କ ନାମ ଆର. ଶୁଭଶ୍ରୀ (୨୨) ଓ ପେସାରେ ସେ ଜଣେ ଇଞ୍ଜିନିୟର ବୋଲି ଜଣାପଡିଛି।

ଗୁରୁବାର ଅପରାହ୍ନ ୨ଟା ୪୫ ମିନିଟ୍‌ରେ ଯୁବତୀ ଜଣକ ସ୍କୁଟି ଯୋଗେ ଅଫିସରୁ ନିଜ ଘରକୁ ଫେରିବା ସମୟରେ ରାସ୍ତାରେ ଲାଗିଥିବା ଏକ ହୋର୍ଡ଼ିଂ ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ସେ ଭାରସାମ୍ୟ ହରାଇ ସ୍କୁଟିରୁ ତଳକୁ ଖସିପଡ଼ିଥିଲେ। ଏହି ସମୟରେ ତାଙ୍କ ପଛରେ ଆସୁଥିବା ଏକ ଦ୍ରୁତଗାମୀ ପାଣି ଟ୍ୟାଙ୍କର ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପୁଲିସ ଏହି ଘଟଣାରେ ପାଣି ଟ୍ୟାଙ୍କର ଡ୍ରାଇଭରଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ଏହି ହୋର୍ଡିଂ ଏଆଇଏଡିଏମ୍‌କେ କାଉନସିଲର ସି. ଜୟଗୋପାଳ ଲଗାଇଥିଲେ। ସେଠାରେ ଥିବା ଏକ ବିବାହ ମଣ୍ଡପରେ ତାଙ୍କ ପୁଅର ବିବାହ ଥିବାରୁ ସେ ଏହି ହୋର୍ଡିଂ ଲଗାଇଥିଲେ। ସେଥିରେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଫୋଟ ରହିଥିଲା। ପୁଲିସ ଜୟଗୋପାଳଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ହୋର୍ଡିଂ ଲଗାଇଥିବା ସଂସ୍ଥାର କାର୍ଯ୍ୟାଳୟକୁ ସିଲ୍‌ କରିଦେଇଛି। ଅନ୍ୟପକ୍ଷରେ ମାଡ୍ରାସ ହାଇକୋର୍ଟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୃତ ଯୁବତୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ସହ ବେଆଇନ ହୋର୍ଡିଂ ଲଗାଇବାକୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୁବତୀଙ୍କ ମୃତ୍ୟୁକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଟ୍ରାଫିକ ରାମସ୍ୱାମୀ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାଖଲ କରିଥିଲେ ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌