
ନୂଆଦିଲ୍ଲୀ,୧୪/୦୧: ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ଉତ୍ତର ଓ ଦକ୍ଷିଣ ଦିଲ୍ଲୀର ପୌର ନିଗମ ପକ୍ଷରୁ ଚିକେନ୍ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି । ଏଥିସହ ଉକ୍ତ ଅଞ୍ଚଳରେ ଥିବା ହୋଟେଲ ଓ ରେସ୍ତୋରାଁଗୁଡ଼ିକରେ ଅଣ୍ଡା କିମ୍ବା ଚିକେନ୍ ଭିତ୍ତିକ ଖାଦ୍ୟ ନ ପରଷିବାକୁ ସତର୍କ କରାଯାଇଛି ।
ଉତ୍ତର ଦିଲ୍ଲୀ ପୌର ନିଗମ (ଏନ୍ଡିଏମ୍ସି) ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ନିଗମ ଅଧୀନରେ ଆସୁଥିବା ସମସ୍ତ ମାଂସ ଓ ମାଂସ ପ୍ରକ୍ରିୟାକରଣ ୟୁନିଟ୍ଗୁଡ଼ିକୁ ତତ୍କ୍ଷଣାତ୍ ଚିକେନ୍ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । ଚିକେନ୍ର ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ଉପରେ ବି ରୋକ ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ସେହିଭଳି ଲୋକଙ୍କୁ ଚିକେନ୍ ଓ ଅଣ୍ଡାଭିତ୍ତିକ ଖାଦ୍ୟ ନ ପରଷିବାକୁ ହୋଟେଲ ଓ ରେସ୍ତୋରାଁଗୁଡ଼ିକୁ କୁହାଯାଇଛି । ନିର୍ଦ୍ଦେଶ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଦକ୍ଷିଣ ଦିଲ୍ଲୀ ପୌର ନିଗମ (ଏସ୍ଡିଏମ୍ସି) ମଧ୍ୟ ସମାନ ନିର୍ଦ୍ଦେଶନାମା ଜାରି କରିଛି । ନିୟମ ଉଲ୍ଲଂଘନ କଲେ ଲାଇସେନ୍ସ ବାତିଲ କରାଯିବା ନେଇ ସତର୍କ କରାଯାଇଛି ।