ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୨୪/୯  ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଇଓ ଶ୍ରୀ କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୦୨-ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ ଗଣତି ସହ ନିର୍ବାଚନ ପ୍ରକ୍ରିୟା ଶେଷ ଇତ୍ୟାଦି ତଥ୍ୟଗୁଡ଼ିକୁ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବା ସହ ଆସନ୍ତା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ଶ୍ରୀ କୁମାର ସେମାନଙ୍କର ସହଯୋଗ କାମନା କରିଥିଲେ ।

ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି । ସର୍ବସାଧାରଣ କୋଠାମାନଙ୍କରେ ନିର୍ବାଚନ ସଂପର୍କିତ ବ୍ୟାନର, ହୋଡିଂ ଓ ପୋଷ୍ଟରଗୁଡ଼ିକୁ ନଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କର କର୍ମୀମାନଙ୍କୁ ଅନୁରୋଧ କରାଯାଇଛି । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନଂ ୨୬ରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ, ହେଲେ ସତ୍ୟପାଠ ଫର୍ମର କୌଣସି ସ୍ତମ୍ଭ କିମ୍ବା କୌଣସି ଧାଡ଼ି ଖାଲି ରହିବ ନାହିଁ । ଯଦି କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥାଏ, ତେବେ ସେମାନେ, ନିର୍ବାଚନ ପ୍ରଚାର ସମୟରେ ଅନ୍ତତଃ ୩ ଥର ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମରେ ସେମାନେ ତାହାର ପ୍ରଚାରପ୍ରସାର କରାଇବେ । ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌/ଭିଭିପାଟ୍‌ କ୍ଷେତ୍ରରେ ଏମ୍‌-୩ ଭର୍ସନ ମେସିନ୍‌ (୨୦୧୨ ମସିହା ପରେ ତିଆରି ହୋଇଥିବା ସର୍ବଶ୍ରେଷ୍ଠ ସଂସ୍କରଣ) ନିର୍ବାଚନରେ ବ୍ୟବହାର କରାଯିବ ।

ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଅଶୋକ କୁମାର ତି୍ରପାଠୀ, ବିଜୁ ଜନତା ଦଳର ସାଧାରଣ ସଂପାଦକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜାତି ଜନମୋର୍ଚ୍ଚାର ସାଧାରଣ ସଂପାଦକ ସଂଜୟ କୁମାର ସେଠୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର ଓ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ନୀତି ଶେଖର ସେନ୍‌ ପ୍ରମୁଖ ଯୋଗଦେଇଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ