ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଗୋଗୋଇ କହିଲେ- ବିପଦରେ ନ୍ୟାୟ ପାଳିକା

ନୂଆଦିଲ୍ଲୀ,୨୦।୪: ଦେଶର ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଛି ଯୌନ ଉତ୍ପୀଡନ ଅଭିଯୋଗ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ଯେଉଁଥିପାଇଁ ଆଜି ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ପ୍ରଧାନବିଚାରପତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶନିବାର ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉପରେ ଏକ ଜରୁରୀ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ବାରା ବିଚାରପତି ଅରୁଣ ମିଶ୍ରା ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ଆଜି ବିଚାର ବିଭାଗ ପ୍ରତି ଭୟଙ୍କର ବିପଦ ମାଡ଼ିଆସିଛି। ଏହା ଅବିଶ୍ଵସନୀୟ। ମୁଁ ଭାବୁନି ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ମୋତେ ଏତେ ତଳକୁ ଖସିବାକୁ ପଡ଼ିବ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଛି ବୋଲି ଗୋଗୋଇ କହିଛନ୍ତି। ସେ କହିଛନ୍ତି ଏଭଳି ଅଭିଯୋଗ ଆଣିବା ଦ୍ବାରା ଏବେ ନ୍ୟାୟପାଳିକା ବିପଦରେ ରହିଛି। ଆଗାମୀ ସପ୍ତାହରେ ବହୁ ମହତ୍ବପୂର୍ଣ୍ଣ ମାମଲାର ଶୁଣାଣି ରହିଛି। ତେଣୁ ଜାଣିଶୁଣି ମୋ ବିରୋଧରେ ଏଭଳି ଅଭିଯୋଗ ଅଣାଯାଉଛି। ୨୦ ବର୍ଷର କାର୍ଯ୍ୟକାଳରେ ମୋତେ ଏଭଳି ପୁରସ୍କାର ମିଳିଲା। ଦୀର୍ଘ ବର୍ଷର ସେବା ପରେ ମୋ ଆକାଉଣ୍ଟରେ କେବଳ ୬,୮୦,୦୦୦ ଟଙ୍କା ରହିଛି। ଯେ କେହି ମଧ୍ୟ ମୋର ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଚେକ୍ କରିପାରନ୍ତି। ମୋର ଚପରାସୀ ପାଖରେ ମୋ ଠାରୁ ଅଧିକ ଟଙ୍କା ରହିଛି ବୋଲି ଶୁଣାଣି ବେଳେ ସେ କହିଛନ୍ତି।

ଏହାସହ ପ୍ରଧାନବିଚାରପତି କହିଛନ୍ତି, ମୁଁ ଆଜି କୋର୍ଟରେ ବସି ଅସମାନ୍ୟ ଏବଂ ଅସାଧାରଣ ପଦକ୍ଷେପ ଗ୍ରହଣ କରିଛି। କାରଣ ସବୁ କଥା ଏବେ ଖୁବ୍ ଆଗକୁ ବଢିଯାଇଛି। ବିଚାର ବିଭାଗ ଏବଂ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଦୁର୍ବଳ କରିବା ପାଇଁ ଅନେକ ଶକ୍ତି କାର୍ଯ୍ୟ କରୁଛନ୍ତି। ଏହି ଲୋକ ଟଙ୍କା ମାମଲାରେ ମୋ ଉପରେ ଅଙ୍ଗୁଳି ଉଠାଇ ପାରିବେନି, ତେଣୁ ଏଭଳି ଅଭିଯୋଗ ଲଗାଇଛନ୍ତି। ମୁଁ ଦେଶର ଲୋକଙ୍କୁ କହିବାକୁ ଚାହେଁ ଯେ, କିଛି ମହତ୍ତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବି, ତେଣୁ ମୋ ଉପରେ ଏଭଳି ଅଭିଯୋଗ ଅଣାଯାଇଛି, ସେମାନେ ଜେଲରେ ଥିଲେ ଏବେ ବାହାରକୁ ଆସିଯାଇଛନ୍ତି। ଏହା ପଛରେ ଜଣେ ନୁହେଁ ବଂର ବହୁ ଲୋକଙ୍କର ହାତ ରହିଛି। ମୁଁ ଆଗାମୀ ସପ୍ତାହରେ କିଛି ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛି, ତେଣୁ ମୋ ବିରୋଧରେ ଏପରି ଅଭିଯୋଗ କରାଯାଇଛି। ମୋର ଆଉ ୭ମାସ କାର୍ଯ୍ୟକାଳ ରହିଛି। ଏହା ଭିତରେ ମାମଲାଗୁଡ଼ିକର ଯେପରି ଶୁଣାଣି ହେବା କଥା ସେପରି ହେବ ବୋଲି ସେ କହିଛନ୍ତି।

ସିଜେଆଇ ରଞ୍ଜନ ଗୋଗୋଇ କହିଛନ୍ତି, ଯେଉଁ ମହିଳା ଏପରି ଅଭିଯୋଗ ଆଣିଛନ୍ତି ସେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ତାଙ୍କ ବିରୋଧରେ ୨ଟି ଏତଲା ରହିଛି ଏବଂ ସେ ୪ ଦିନ ଜେଲରେ ଥିଲେ। ସୂଚନାଯୋଗ୍ୟ, ଉକ୍ତ ମହିଳା ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ମହିଳା ଜଣକ ସୁପ୍ରିମକୋର୍ଟର ପୂର୍ବତନ କର୍ମଚାରୀ। ମହିଳା ଜଣକ କୌଣସି ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟରେ ଚାକିରି ଦେବାର ପ୍ରଲୋଭନ ଦେଖାଇବ ତାଙ୍କ ଠାରୁ ଟଙ୍କା ହଡପ କରିଥିବାର ମଧ୍ୟ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଗତବର୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତେବେ ମହିଳା ଜଣକ ଆଜି ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କ ବାସଭବନକୁ ଶପଥପତ୍ରର କପି ପଠାଇଥିଲେ। ଏହା ସାର୍ବଜନୀନ ହେବାପରେ ମାମଳାର ସ୍ବତନ୍ତ୍ର ଶୁଣାଣି ହୋଇଥିଲା।

ଅଭିଯୋଗ ଆଣିଥିବା ପୂର୍ବତନ ମହିଳା କର୍ମଚାରୀ ନିଜର ଶପଥପତ୍ରରେ ତାଙ୍କୁ ପ୍ରଧାନବିଚାରପତି ୨୦୧୮ ଅକ୍ଟୋବରରେ ଯୌନ ଉତ୍ପୀଡନ କରିଥିଲେ ବୋଲି କହିଛନ୍ତି। ଉଲ୍ଳେଖନୀୟ ଯେ, ଏହି ସମୟରେ ଜଷ୍ଟିସ୍ ଗୋଗୋଇ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଥିଲେ। ମହିଳା ଜଣଙ୍କର ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟର ସାଧାରଣ ସଚିବ ସଞ୍ଜୀବ ସୁଧାକର କଲଗାଓଁକର କହିଛନ୍ତି। ଏପରି ଅଭିଯୋଗ ଅତ୍ୟନ୍ତ ଦୁର୍ଭାବନାପୂର୍ଣ୍ଣ। ଏହା ଉପରେ ଶୁଣାଣି ହେବ। ଏଥିପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ‘ମ୍ୟାଟର ଅଫ ଗ୍ରେଟ ପବ୍ଲିକ ଇମ୍ପର୍ଟାନ୍ସ ବା ‘ମହାନ ସାର୍ବଜନିକ ମହତ୍ଵ ମାମଲା’ ଭାବେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ସମ୍ପର୍କିତ ମାମଲା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲା ଏବଂ ତାମିଲନାଡୁରୁ ଟଙ୍କା ଜବତ ସମ୍ପର୍କିତ ମାମଲାର ଶୁଣାଣି ହେବାର ଅଛି।