ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡ଼ଯନ୍ତ୍ର: ସୁପ୍ରିମକୋର୍ଟଙ୍କ ଚେତାବନୀ, ନିଆଁ ସହ ଖେଳ ନାହିଁ, ଜଳିଯିବ

ନୂଆଦିଲ୍ଲୀ,୨୫ ।୪(ଏଜେନ୍ସି): ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ପ୍ରସଙ୍ଗରେ ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚେତାବନୀ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ନ୍ୟାୟପାଳିକା ଉପରେ ଅତି ଯୋଜନାବଦ୍ଧ ଭାବେ କରାଯାଉଥିବା ଆକ୍ରମଣକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଯେଉଁମାନେ ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ସେମାନଙ୍କୁ ଚେତାଇ ଦେଇଥିଲେ । ଅଦାଲତ କହିଥିଲେ କି ଯେଉଁମାନେ ଏପରି କରୁଛନ୍ତି ସେମାନେ ନିଆଁ ସହିତ ଖେଳୁଛନ୍ତି । ଏଭଳି ଉଦ୍ୟମ ଯୋଗୁ ସେମାନଙ୍କ ହାତ ଜଳିଯିବ ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଯୌନ ନିର୍ଯାତନା ଅଭିଯୋଗ କରାଯାଇଛି ଏବଂ ଏହାପଛରେ ଏକ କର୍ପୋରେଟ ସଂସ୍ଥାର ମାଲିକ ଓ ସୁପ୍ରିମକୋର୍ଟରୁ ବହିଷ୍କୃତ ହୋଇଥିବା କିଛି କର୍ମଚାରୀଙ୍କ ହାତ ଅଛି ବୋଲି ଉତ୍ସବ ବୈନସ ନାମକ ଓକିଲ ଦାବି କରିଥିଲେ । ସୁପ୍ରିମକୋର୍ଟ ଆଜି ଏହି ଦାବିର ସତ୍ୟାସତ୍ୟ ଜାଣିବା ପାଇଁ ଏକ ଜଣିକିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଓକିଲ ବୈନସଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଯାଞ୍ଚ କରି ସିଲ୍‌ କଭରରେ ସର୍ବୋଚ୍ଚ ଅଦାଲତଙ୍କୁ ନିଜର ରିପୋର୍ଟ ଦେବେ ।
ତାଙ୍କୁ ଏହି ଯାଞ୍ଚ ସମୟରେ ଦିଲ୍ଲୀ ପୁଲିସ କମିଶନର, ସିବିଆଇ ଓ ଆଇବି ମୁଖ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ । ବିଚାରପତି ଅରୁଣ ମିଶ୍ରା, ବିଚାରପତି ଆର ଏଫ ନରିମାନ ଏବଂ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗୁରୁବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ଖଣ୍ଡପୀଠ ମଧ୍ୟ କହିଛନ୍ତି କି ଏଭଳି ଦାବି କରିଥିବା ଓକିଲ ବୈନସଙ୍କୁ ପ୍ରମାଣ ଆଇନର ଧାରା ୧୨୬ ଅଧୀନରେ କୌଣସି ବିଶେଷାଧିକାର ଦିଆଯିବ ନାହିଁ । ତାଙ୍କୁ ଏହି ଦାବି ସମ୍ପର୍କିତ ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କୁ ଅଦାଲତରେ ଉପସ୍ଥାପନ କରିବାକୁ ପଡ଼ିବ । କିନ୍ତୁ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି କି ଏହି ଜଣିକିଆ କମିଟି ପ୍ରଧାନ ବିଚାରପତିଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ଯାଞ୍ଚ କରିବ ନାହିଁ ।
ଖଣ୍ଡପୀଠ ଆହୁରି କହିଥିଲେ କି ଆମେ ଦେଶର କିଛି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏହା ଜଣାଇଦେବାକୁ ଚାହୁଁ ଯେ ସେମାନେ ନ୍ୟାୟପାଳିକାରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ହୁଅନ୍ତୁ । ନଚେତ ସେମାନଙ୍କ ହାତ ଜଳିଯିବ । ଯେତେବେଳେ ବି କିଛି ଗୋଟାଏ ବଡ଼ ମାମଲା ଆସୁଛି, ୩ରୁ୪% ଓକିଲ ରେଜିଷ୍ଟ୍ରିକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି । ସେମାନଙ୍କ ଏଭଳି ହରକତ ଯୋଗୁ ପୂରା ଓକିଲ ସମୁଦାୟ ଏବଂ ନ୍ୟାୟପାଳିକା ବଦନାମ ହେଉଛି । ସର୍ବୋଚ୍ଚ ଅଦାଲତ ମଧ୍ୟ ଆଜି କହିଥିଲେ କି ଗତ ୩ ରୁ ୪ ବର୍ଷ ହେଲା ଅତି ଯୋଜନାବଦ୍ଧ ଭାବେ ନ୍ୟାୟପାଳିକାର ବିଶ୍ୱସନୀୟତା ହ୍ରାସ କରିବାକୁ ଉଦ୍ୟମ କରାଯାଇଆସୁଛି । ଏବେ ଏହାକୁ ରୋକିବା ନିତାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଲାଣି ।
ସୂଚନାଯୋଗ୍ୟ, ଓକିଲ ବୈନସ ମଙ୍ଗଳବାର ସତ୍ୟପାଠ ଦାଖଲ କରି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ କି ଜେଟ ଏୟାରୱେଜର ମାଲିକ ନରେଶ ଗୋୟଲ ନିଜ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପାଇବା ପାଇଁ ଉଦ୍ୟମ କରିଥିଲେ । ସେ ଏଥିପାଇଁ ତାଙ୍କ ସମ୍ପର୍କିତ ମାମଲାକୁ ଗୋଟିଏ ଖଣ୍ଡପୀଠରୁ ଅନ୍ୟ ଏକ ଖଣ୍ଡପୀଠକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ । ମାତ୍ର ଏଥିରେ ବିଫଳ ହେବାରୁ ସେ ସୁପ୍ରିମକୋର୍ଟର ଦୁଇ ଜଣ ବହିଷ୍କୃତ କୋର୍ଟ ମାଷ୍ଟରଙ୍କ ସହ ମିଶି ପ୍ରଧାନ ବିଚାରପତିଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର ରଚନା କରିଛନ୍ତି ।
ଶୁଣାଣିରୁ ଓହରିଲେ ବିଚାରପତି ରମନ୍ନା
ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ କରିଥିବା ଅଭିଯୋଗର ଶୁଣାଣି କରିବା ପାଇଁ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା । ଏଥିରେ ବିଚାରପତି ଏସ ଏ ବୋବଡେ, ବିଚାରପତି ଏନ ଭି ରମନ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀ ସଦସ୍ୟ ଥିଲେ । କିନ୍ତୁ ଏବେ ବିଚାରପତି ରମନ୍ନା ଏହି ଖଣ୍ଡପୀଠରୁ ଓହରି ଯାଇଛନ୍ତି । କାରଣ ବୁଧବାର ଅଭିଯୋଗକାରିଣୀ ଉକ୍ତ ଖଣ୍ଡପୀଠରେ ବିଚାରପତି ରମନ୍ନାଙ୍କୁ ସଦସ୍ୟ କରାଯିବା ନେଇ ଆପତ୍ତି ଉଠାଇଥିଲେ । ସେ କହିଥିଲେ କି ବିଚାରପତି ରମନ୍ନା ପ୍ରଧାନ ବିଚାରପତି ଗୋଗୋଇଙ୍କ ଅତି ଘନିଷ୍ଠ ବନ୍ଧୁ ଅଟନ୍ତି । ବିଚାରପତି ରମନ୍ନାଙ୍କୁ ପ୍ରଧାନ ବିଚାରପତି ଗୋଗୋଇ ନିଜ ପରିବାରର ଜଣେ ସଦସ୍ୟ ବୋଲି ମନେ କରିଥାନ୍ତି । ତେଣୁ ତାଙ୍କୁ ଖଣ୍ଡପୀଠରେ ରଖାଗଲେ ସେ ଉଚିତ୍‌ ନ୍ୟାୟ ପାଇପାରିବେ ନାହିଁ । ସେ ମଧ୍ୟ ଖଣ୍ଡପୀଠରେ ଅଧିକ ମହିଳା ସଦସ୍ୟ ନିଯୁକ୍ତ କରିବାକୁ ଦାବି କରିଥିଲେ । ଏହାପରେ ବିଚାରପତି ରମନ୍ନା ନିଜ ଆଡୁ ଉକ୍ତ ଖଣ୍ଡପୀଠର ସଦସ୍ୟତାରୁ ଓହରିଯାଇଛନ୍ତି । ତାଙ୍କ ସ୍ଥାନରେ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ଖଣ୍ଡପୀଠର ନୂଆ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି ।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ