କଠୋର ହେଲେ ରାଜ୍ୟ ସରକାର, କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ବନ୍ଧା ହେବେ

ଭୁବନେଶ୍ୱର, ୫/୫: ପ୍ରବାସୀ ଓଡ଼ିଆ ଘରମୁହାଁ ହେଉ ହେଉ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଲାଣି । ମହାମାରୀ କରୋନାର ସଂକ୍ରମଣକୁ ନିଜ ନିୟନ୍ତ୍ରଣରେ ରାଜ୍ୟ ସରକାର ରଖିଥିଲା ବେଳେ କିଛି ପ୍ରବାସୀ ଓଡ଼ିଆଙ୍କ ବିଶୃଙ୍ଖଳା ଏବେ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଖୋଦ ମୁଖ୍ୟମନ୍ତ୍ରୀ ସୋମବାର ଦିନ ପ୍ରବାସୀ ଓଡ଼ିଆମାନଙ୍କୁ ଚେତାବନୀ ଦେଇଛନ୍ତି । ନିଜ ଗାଁକୁ ଫେରୁଥିବା ଓଡ଼ିଆମାନେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ବାଧ୍ୟ। କେହି ଏହାର ଉଲ୍ଲଂଘନ କଲେ ତାଙ୍କ ବିରୋଧରେ ସରକାର କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସାମୂହିକ ସ୍ୱାର୍ଥ ପାଇଁ ନିୟମ ଖିଲାପକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

କରୋନା ପାଇଁ ଲକଡାଉନ କଟକଣାରୁ ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଫସି ରହିଥିଲେ । ସେମାନଙ୍କ ଯତ୍ନ ନେବାକୁ ପ୍ରଥମରୁ ମୁଖ୍ୟମନ୍ତ୍ରୀ ଆନ୍ତରିକତା ଦେଖାଇବା ସହ ସେମାନେ କିଭଳି ସୁବିଧାରେ ଫେରିବେ ସେଥିପାଇଁ ଅଣ୍ଟା ଭିଡ଼ି ସଫଳ ହୋଇଛନ୍ତି । ମାତ୍ର ବାହାର ରାଜ୍ୟରୁ ଫେରିଥିବା କିଛି ଓଡ଼ିଆ ଏବେ କ୍ୱାରେଣ୍ଟାଇନ କେନ୍ଦ୍ରରେ ନିଜ ମନମାନି ଆରମ୍ଭ କରିଥିଲା ବେଳେ ସରକାରଙ୍କ ମାର୍ଗଦର୍ଶିକାକୁ ମଧ୍ୟ ଉଲ୍ଲଂଘନ କରିବାର ଅଭିଯୋଗ ଆସୁଛି । ପରିସ୍ଥିତି ଯେପରି ସରକାରଙ୍କ ହାତରୁ ଖସିନଯାଏ ସେଥିପାଇଁ ଆଜି ନିଜେ ମୁଖ୍ୟମନ୍ତ୍ରୀ ଅମାନିଆ ଏ ପ୍ରବାସୀ ଓଡ଼ିଆଙ୍କୁ ସତର୍କବାଣୀ ଶୁଣାଇଛନ୍ତି ।

ନବୀନ କହିଛନ୍ତି, ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଓଡ଼ିଶା କରୋନା ସଂକ୍ରମଣରେ ଭଲ ସ୍ଥିତିରେ ଅଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି କାମ କରୁଛନ୍ତି । ବହୁ ଓଡ଼ିଆ ନିଜ କାମରୁ ଉଧ୍ୱର୍କୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦ୍ଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜର ତଥା ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ । ଏହାର ଉଲ୍ଲଂଘନ ହେଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବେ । ନିୟମ ଭଙ୍ଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ବସ୍‌ ସହ ଟ୍ରେନରେ ୮ ହଜାର ୮୩୦ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ବସରେ ୬,୩୮୨ ଜଣ ଫେରିଥିଲା ବେଳେ ଟ୍ରେନରେ ୨୪୦୯ ଜଣ ଫେରିଛନ୍ତି । ଅନ୍ୟ ଗାଡ଼ିରେ ୩୯ ଜଣ ମଧ୍ୟ ଫେରିଛନ୍ତି । ତେବେ ସବୁଠାରୁ ବିଡ଼ମ୍ବନା କେଉଁଠି କ୍ୱାରେଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀମାନେ ନିୟମ ଭାଙ୍ଗି ନାଚଗୀତ କରି ଟିକଟକ୍‌ ଭିଡିଓ ସେୟାର୍‌ କଲେଣି ତ ଆଉ କେଉଁଠି ଖାଇବା ଫିଙ୍ଗିଲେଣି । ଏପରିକି କେଉଁଠି କ୍ୱାରେଣ୍ଟାଇନ କେନ୍ଦ୍ରରୁ ପ୍ରବାସୀ ଚମ୍ପଟ ମଧ୍ୟ ମାରିଲେଣି । ଏଭଳି ପରିସ୍ଥିତିକୁ ଦେଖି ରବିବାର ମୁଖ୍ୟ ଶାସନ ସଚିବ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲେ । ମାତ୍ର ଏହାସତ୍ତେ୍ୱ ବିଭିନ୍ନ ସ୍ଥାନରେ ବାହାରୁ ଫେରିଥିବା କିଛି ଓଡ଼ିଆଙ୍କ ଜାଣିଶୁଣି ନିୟମ ଭଙ୍ଗ ସରକାରଙ୍କ ଅକଲ ଗୁଡୁମ୍‌ କରି ଦେଇଛି । ତେଣୁ ଆଜି ମୁଖ୍ୟମନ୍ତ୍ରୀ ଏଭଳି ବିଶୃଙ୍ଖଳକାରୀଙ୍କୁ ନାଲିଆଖି ଦେଖାଇଛନ୍ତି । ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାର ବିିନଯୋଗ କରିବାକୁ କହିଛନ୍ତି ।

ସେମବାର ଦିନ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ଚରମବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ବାହାରୁ ଫେରୁଥିବା ବ୍ୟକ୍ତିବିଶେଷ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତୁ । ମହାମାରୀ ସମୟରେ ଆମକୁ ଅନେକ ତ୍ୟାଗ ସହିବାକୁ ହେବ । ୧୪ ଦିନ ନିୟମ ମାନି କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏଥରୁ ଖସିଯିବାର ସବୁ ବାଟ ବନ୍ଦ । ତେଣୁ ପ୍ରଶାସନର ଧୈର୍ଯ୍ୟର ପରୀକ୍ଷା ନନେଇ ପ୍ରବାସୀ ଓଡ଼ିଆମାନେ ନିୟମ ମାନି ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ପୁଲିସ ଡିଜି ଅଭୟ ମଧ୍ୟ ଶୃଙ୍ଖଳା ଭଙ୍ଗକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ବାହାର ଫେରନ୍ତାମାନେ ଆମର ଆତିଥେୟତାକୁ ଦୁର୍ବଳତା ବୋଲି ନଭାବି ନିୟମ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି । ନଚେତ୍‌ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

   ସମ୍ବନ୍ଧିତ ଖବର


ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ଓଟିଭିର ବଢ଼ିଲା ସମସ୍ୟା; ମୁଖ୍ୟ ଅଫିସ କୋଠାରେ ଅଗ୍ନି ନିରାପତ୍ତା ନାହିଁ, ”ଅଘଟଣ ଘଟିଲେ ଆମେ ଦାୟୀ ହେବୁ ନାହିଁ”: ଅଗ୍ନିଶମ ବିଭାଗ