ଟ୍ରାଫିକ୍ ନିୟମ କଡ଼ା କରିବାକୁ ନିର୍ଦ୍ଦେଶ -ହେଲମେଟ୍ ନ ପିନ୍ଧି ୪୧ ପ୍ରତିଶତ ମରୁଛନ୍ତି:ମୁଖ୍ୟ ଶାସନ ସଚିବଙ୍କ ସଡ଼କ ନିରାପତ୍ତାସ୍ଥିତି ସମୀକ୍ଷା

https://www.amarujala.com/
- ଦୁର୍ଘଟଣା ଯୋଗୁଁ ୩.୧୪ ପ୍ରତିଶତ ଜିଡିପି କ୍ଷତି
- ଭୁବନେଶ୍ୱର,୮ା୩(ବ୍ୟୁରୋ): ହେଲ୍ମେଟ୍ ନ ପିନ୍ଧିବା ଯୋଗୁଁ ପ୍ରାୟ ୪୧ ପ୍ରତିଶତ ଦୁର୍ଘଟଣାରେ ବାଇକ ଆରୋହୀ ମୃତ୍ୟୁ ମୁଖରେ ପଡୁଛି । ସ୍ପିଡ୍ରେ ଗାଡି଼ ଚଳାଇବାରୁ ଶହେରୁ ୬୯ଜଣଙ୍କ ଦୁର୍ଘଟଣା ଘଟୁଛି । ସବୁଠୁ ସାଂଘାତିକ ତଥ୍ୟ ହେଉଛି, ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁଁ ପ୍ରତି ବର୍ଷ ଜାତୀୟସ୍ତରରେ ଜିଡିପିରେ ୩.୧୪ ପ୍ରତିଶତ କ୍ଷତି ହେଉଛି । ଯାହାକି, ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷା କରି ଏହି ଉଦ୍ବେଗଜନକ ସ୍ଥିତିକୁ ଦର୍ଶାଇଛନ୍ତି । ସଡ଼କ ନିରାପତ୍ତା ନିୟମ କଡ଼ାକଡି଼ କରିବାକୁ ସମସ୍ତ ଆର୍ଟିଓ ଓ ଟ୍ରାଫିକ୍ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଆଜିର ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି, ସଡ଼କ ସୁରକ୍ଷା ନିୟମକୁ କଡ଼ା କର । ଜିଲ୍ଲାୱାରୀ କାର୍ଯ୍ୟଯୋଜନା ପ୍ରସ୍ତୁତ କର । ସଡ଼କ ନିରାପତ୍ତାରେ ଆଗ୍ରହୀ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସାମିଲ୍ କର । ଜାତୀୟ ରାଜପଥ ଓ ଅନ୍ୟ ମୁଖ୍ୟ ରାସ୍ତାର ସଂଯୋଗସ୍ଥଳ ଠିକ୍ ପୂର୍ବରୁ ‘ରମ୍ବଲ’ ଲଗାଇବା ସହ ସତର୍କ ସୂଚନା ଫଳକରହିବ । ଆମ୍ବୁଲାନ୍ସର ରିୟଲ ଟାଇମ୍ ପରିଚାଳନାକୁ ଗୁରୁତ୍ୱ ଦିଅ ।
ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଥିଲେ, ୨୦୧୬ ମସିହାରେ ୨୮୬ଟି ଦୁର୍ଘଟଣା ପ୍ରବଣ ସ୍ଥାନ(ବ୍ଲାକ୍ ସ୍ପଟ୍) ଚିହ୍ନଟ ହୋଇଥିଲା । ୨୦୧୭ରେ ୪୩୫ଟି, ୨୦୧୮ରେ ୨୭୫ଟି ଓ ୨୦୧୯ରେ ୩୩୫ଟି ବ୍ଲାକ୍ ସ୍ପଟ ଚିହ୍ନଟ ହୋଇଛି । ୨୦୧୯ରେ ଚିହ୍ନଟ ବ୍ଲାକ୍ ସ୍ପଟର ମରାମତି ତୁରନ୍ତ ସାରିବା ପାଇଁ ବୈଠକରେ ନିର୍ଦ୍ଦେଶ ମିଳିଥିଲା । ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆର୍ଟିଓମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉ କି, ୨୦୧୯ରେ ପ୍ରାୟ ୨୩୯୭ଜଣ ବାଇକ୍ ଆରୋହୀ ହେଲ୍ମେ୍ଟ ପିନ୍ଧି ନଥିବାରୁ ମସ୍ତିଷ୍କରେ ଆଘାତ ପାଇ ପ୍ରାଣ ହରାଇଛନ୍ତି । ୨୦୧୯ରେ ଏହି ସଂଖ୍ୟା ବଢ଼ି ୫୩୩୩ ରେ ପହଞ୍ଚିଥିଲା । କୋଭିଡ୍ କଟକଣା ଯୋଗୁଁ ୨୦୨୦ ମସିହାରେ ୧୧ ପ୍ରତିଶତ ହ୍ରାସ ପାଇଥିଲା ।