PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ରହ ରହ କ୍ଷଣେ ବାଷ୍ପୀୟ ଶକଟ… ମରିଯିବ କି ଚିଲିକା ରାଣୀ

ଆନ୍ତରିକତା ଅଭାବରୁ ‘ଭାତହାଣ୍ଡି’ ଧ୍ୱଂସମୁହାଁ

ଭୁବନେଶ୍ୱର(ସରୋଜ ସାହୁ) ,୪/୦୮: ମରିଯିବ କି ମରାଳ ମାଳିନୀ ନୀଳାମ୍ବୁ ଚିଲିକା ! ଏସିଆ ମହାଦେଶର ସର୍ବବୃହତ୍‌ ଲୁଣିହ୍ରଦ ଏବେ ପରିବେଶଗତ ସଙ୍କଟରେ । ଚିଲିକା ଉପରେ ଚାପ ବଢ଼ୁଛି । ଗର୍ଭ ଓ ମୁହାଣ ପୋତି ହୋଇପଡୁଛି । ଜଳରେ ଲବଣାଂଶ ମାତ୍ରାରେ ବିଭ୍ରାଟ ବଢ଼ି ବଢି ଚାଲିଛି । ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ପାଇଁ ହ୍ରଦର ବିରଳ ଜୈବ ବିବିଧତା ଏବେ ଧ୍ୱଂସମୁଖରେ। ଏହାର ଜୈବ ବିବିଧତାକୁ ସୁରକ୍ଷା ପାଇଁ ବେଳ ଥାଉ ଥାଉ ସ୍ୱତନ୍ତ୍ର ଦୀର୍ଘମିଆଦି ଯୋଜନା ହାତକୁ ନିଆ ନଯାଏ, ତେବେ ଚିଲିକା ଶେଷ ନିଃଶ୍ୱାସ ଗଣିବ। ମରିଯିବ ଚିଲିକା ରାଣୀ । ମୃତ ହ୍ରଦରେ ପରିଣତ ହେବ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଏ ‘ଭାତହାଣ୍ଡି’ । ଏମିତି ଭୟାନକ ଭବିଷ୍ୟବାଣୀ କରିଛନ୍ତି ପରିବେଶବିତ୍‌ । ଚିଲିକା କୂଳର ଚାପଗ୍ରସ୍ତ ପାରମ୍ପରିକ ମତ୍ସ୍ୟଜୀବୀ ମଧ୍ୟ ଆଗକୁ ‘ଆତ୍ମହତ୍ୟା’ ପନ୍ଥା ଅବଲମ୍ବନ କରିବେ ବୋଲି ସତର୍କ କରାଇ ଦେଇଛନ୍ତି ସମାଜବିଜ୍ଞାନୀ ।

ରାମ୍‌ସାର ସାଇଟ୍‌ର ମାନ୍ୟତା ପାଇଥିବା ଏ ବିଶାଳ ଜୀବମଣ୍ଡଳ ଦିନକୁ ଦିନ ପୋତି ହୋଇପଡୁଛି । ଚିଲିକାରେ ଛୋଟବଡ଼ ପ୍ରାୟ ୫୨ଟି ନଦୀ ମିଶିଛି । ଏ ନଦୀଗୁଡ଼ିକ ବୋହି ଆଣୁଥିବା କାଦୁଅ ଯୋଗୁଁ ଚିଲିକାର ଗଭୀରତା କମୁଛି । ପଚାସଢ଼ା ଦଳ ଓ କାଦୁଅ ମିଶି ଚିଲିକାର ନିମ୍ନଅଂଶରେ ସେଡିମେଣ୍ଟ ନିର୍ମାଣ କରି ପୋତି ପକାଉଛି । ଏ ହ୍ରଦର ଜଳରାଶି, ଜଳଜ ଉଦ୍ଭିଦ ଦଳ ଦ୍ୱାରା ଆଚ୍ଛାଦିତ ହୋଇଯାଉଛି । ଚିିଲିକାର ସନ୍ତୁଳିତ ଜୀବନଚକ୍ର ପାଇଁ ଏହା ବଡ଼ ଆହ୍ୱାନ ।

ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ୭୯୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଚିଲିକାର ଅବସ୍ଥିତି । ସତୁରୀ ଦଶକରେ ଏହାର ଆୟତନ ୯୧୬ ବର୍ଗ କିମି ଥିଲା । ସାଟେଲାଇଟ୍‌ ସର୍ଭେ କହୁଛି ଯେ, ୪ ଦଶନ୍ଧି ଭିତରେ ଏହାର ଆୟତନ ୧୨୬ ବର୍ଗ କିମି କମିଛି । ୧୯୭୩ ମସିହାରେ ମାତ୍ର ୮୦ ବର୍ଗ କିମି ଦଳପୂର୍ଣ୍ଣ ଥିଲା । ଏବେ ଏହା ପ୍ରାୟ ୬ ଶହ ବର୍ଗ କିମିକୁ ଆଚ୍ଛାଦିତ କରି ଦେଲାଣି । ଏହା ହେଉଛି ପରିବେଶଗତ ବିପର୍ଯ୍ୟୟର ବଡ଼ ସୂଚନା । ବିଳମ୍ବ ନ କରି ରାଜ୍ୟ ସରକାର ଓ ସିଡିଏ ତୁରନ୍ତ ଏ ଦିଗରେ ଆନ୍ତରିକତା ଦେଖାଇବାକୁ ହେବ ।

ଚିଲିକା ଉପରେ ଅନୁଧ୍ୟାନ କରୁଥିବା ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି (ବିଏଚ୍‌ଏନଏସ୍‌) ଗବେଷକଙ୍କ ରିପୋର୍ଟ କହୁଛି, ଗ୍ଳୋବାଲ ୱାର୍ମିଂ ବା ପୃଥିବୀର ବର୍ଦ୍ଧିତ ତାପମାତ୍ରା ଯୋଗୁ ଚିଲିକାରେ ଅନାବନା ଦଳ ବଢ଼ିବାକୁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଦଳ ପଚିବାରୁ ବିଷାକ୍ତ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହେଉଛି । ଏହି ପ୍ରକ୍ରିୟା ଚିଲିକାରେ ଦଳର କାୟା ବିସ୍ତାର ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରୁଛି । ବୈଜ୍ଞାନିକ ଭାଷାରେ ଏହାକୁ ‘ଇଉଟ୍ରୋଫିକେସନ’ କୁହାଯାଏ ।

ଯେଉଁ ହ୍ରଦ ବା ଜଳାଶୟ ଦଳରେ ପରିପୂର୍ଣ୍ଣ ହୋଇ ଇଉଟ୍ରୋଫିକେସନ ଦ୍ୱାରା ଆକ୍ରାନ୍ତ ହୁଏ, ତାହାର ଜୀବନକାଳ ସ୍ୱଳ୍ପ ହୋଇଯାଏ । ପରିବେଶଗତ ସନ୍ତୁଳନ ହରାଇବାରୁ ବହୁ ପ୍ରଜାତିର ଜୀବଜନ୍ତୁ ଏବେ ଏଠାରେ ବିଲୁପ୍ତ । ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏ ଜୈବମଣ୍ଡଳର ସୁରକ୍ଷା ପାଇଁ ଏବେଠାରୁ ସମନ୍ୱିତ ଦୀର୍ଘମିଆଦି ଯୋଜନା ଜରୁରୀମଣିଷର ଜୀବନଧାରା ସହ ଆର୍ଥିକ ବିକାଶରେ ଏ ଆର୍ଦ୍ରଭୂମିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଚିଲିକାର ବିଶେଷତ୍ୱ ହେଉଛି ନଦୀରୁ ଆସୁଥିବା ମଧୁର ଜଳ ଏବଂ ସମୁଦ୍ରରୁ ଆସୁଥିବା ଲୁଣିଜଳ ମିଶି ଖାରଜଳ ସୃଷ୍ଟି ହୁଏ । ଯାହାକି ପ୍ରାକୃତିକ ସନ୍ତୁଳନ ସୃଷ୍ଟି କରେ । ଚିଲିକାର ପରିବେଶ ସନ୍ତୁଳିତ ହୋଇ ରହିଥାଏ । ଚିଲିକା ଜଳର ଲବଣାଂଶ ବଢ଼ିଲେ କିମ୍ବା କମିଲେ ପ୍ରାକୃତିକ ବୈଷମ୍ୟ ଉପୁଜେ ।ୱେଟ୍‌ଲ୍ୟାଣ୍ଡ ଇଣ୍ଟର ନ୍ୟାସନାଲର ରିପୋର୍ଟ କହୁଛି, ଚିଲିକାରେ ପୁଣି ଜଳୀୟ ସନ୍ତୁଳନ ଅବକ୍ଷୟ ହେଉଛି । ମହାବାତ୍ୟା ‘ଫୋନି’ ଚିଲିକା ଉପରେ ମାଡ଼ ହୋଇ ନୂଆ ମୁହାଣ ସୃଷ୍ଟି କରିଛି । ଯାହା ମଧୁର ଜଳ ତୁଳନାରେ ଲୁଣି ଜଳ ପରିମାଣକୁ ବଢ଼ାଇଛି ।

ପରିବେଶବିତ୍‌ ଡ. ନୀଳଲୋହିତ ହରିଚନ୍ଦନ କହନ୍ତି, ଚିଲିକା ଗର୍ଭକୁ ଏବେ ଅପେକ୍ଷାକୃତ ଅଧିକ ଲୁଣି ଜଳ ଆସି ଲବଣାଂଶକୁ ବଢ଼ାଇ ସନ୍ତୁଳନକୁ ବିଗାଡ଼ିଛି । ସିଡିଏ ମାନୁ କି ନ ମାନୁ, ଚିଲିକାରେ ଗତ କିଛି ବର୍ଷ ହେବ ମାଛ, କଙ୍କଡ଼ା ଉତ୍ପାଦନ ଢେର କମିଛି । ମୁହାଣ ଅଞ୍ଚଳରେ ଚିଙ୍ଗୁଡ଼ି ମାଫିଆଙ୍କ ସାମ୍ରାଜ୍ୟ ବଢ଼ି ଚାଲିଛି । ପୂର୍ବରୁ ବର୍ଷକ ବାର ମାସ ଚିଲିକାରୁ ମାଛ ମିଳୁଥିଲା । ମାତ୍ର ଏବେ ଏହା ୪ ମାସ (ଏପ୍ରିଲ-ଜୁଲାଇ)କୁ ଖସିଛି । ଚିଲିକା ମାଟି ସମୁଦ୍ରକୁ ଯାଉନି । ନଳଘାସ ମାଡ଼ିଲାଣି । ଏ ଧାରା ଜାରି ରହିଲେ ଚିଲିକା ଉପରେ ଜୀବିକା ପାଇଁ ନିର୍ଭରଶୀଳ ପାରମ୍ପରିକ ମତ୍ସ୍ୟଜୀବୀ ଏକ ଦାରୁଣ ଅର୍ଥନୈତିକ ଓ ସାମାଜିକ ବିପର୍ଯ୍ୟୟର ସମ୍ମୁଖୀନ ହେବେ । ଜୀବିକା ହରାଇ ଆଗକୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ।

ଚିଲିକାରେ ଘେରି ବାନ୍ଧିଥିବା ମାଫିଆମାନେ ଅଧିକ ଉତ୍ପାଦନ ପାଇଁ ରାସାୟନିକ ସାର ପ୍ରୟୋଗ କରୁଛନ୍ତି । ଏଥିରେ ଗୁଳ୍ମଜାତୀୟ ପଚିଯିବା ସହ ଜଳରାଶି ବିଷାକ୍ତ ହୋଇପଡ଼ୁଛି । ପକ୍ଷୀ ବିଶାରଦମାନଙ୍କ ସର୍ଭେ କହୁଛି, ଅସନ୍ତୁଳିତ ପରିବେଶ, ବିଷାକ୍ତ ଜଳରାଶି ସହ ଗ୍ଲୋବାଲ ୱାର୍ମିଂର ପ୍ରଭାବରୁ ବିଦେଶୀ ପକ୍ଷୀଙ୍କ ଆଗମନ କମିବାରେ ଲାଗିଛି । ବହୁ ବିରଳ ପ୍ରଜାତିର ପକ୍ଷୀ ମଧ୍ୟ ଆଉ ଦେଖାଯାଉନାହାନ୍ତି । ୧୫ ବର୍ଷ ତଳେ ୧୫ ଲକ୍ଷରୁ ଅଧିକ ପକ୍ଷୀ ଆସୁଥିଲେ । ଏବେ ଏ ସଂଖ୍ୟା ୮ ରୁ ୯ ଲକ୍ଷ ମଧ୍ୟରେ ରହୁଛି । ୨୨୦ ପ୍ରଜାତି ସ୍ଥାନରେ ଏବେ ୧୬୦ ପ୍ରଜାତି ଆସୁଛନ୍ତି ।

କୋଲକତାସ୍ଥିତ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସର୍ଭେ କହୁଛି, ଦୁଇ ଦଶନ୍ଧି ତଳେ ଚିଲିକାରେ ୮ ଶହ ପ୍ରଜାତିର ପ୍ରାଣୀ ବାସ କରୁଥିଲେ । ୨ ଶହ ପ୍ରଜାତିର ଉଦ୍ଭିଦ, ୨୨୫ ଜାତିର ମାଛ, ୬୧ ଜାତିର ଏକକୋଷୀ ପ୍ରାଣୀ, ୨୯ ପ୍ରକାରର ଜିଆ, ୩୭ ପ୍ରକାର ସରୀସୃପ ଓ ୧୬୭ ପ୍ରଜାତିର ପକ୍ଷୀ ଥିଲେ । ମାତ୍ର ପରିବେଶଗତ ସଂକଟ ସୃଷ୍ଟି ହେବାରୁ ଏ ବିରଳ ଜୈବ ବିବିଧତାର ପ୍ରଜାତି ସଂଖ୍ୟା ଏବେ ୬ ଶହକୁ ଖସି ଆସିଲାଣି । ଆଗକୁ ଏହା ବଡ଼ ବିପର୍ଯ୍ୟୟର ସଂକେତ ଦେଉଛି । ତେବେ ଏ ସଂକଟରେ ଇର୍‌ୱାଡି ଡଲ୍‌ଫିନଙ୍କ ବଂଶବିସ୍ତାର ଆମ ପାଇଁ ଟିକିଏ ଆଶ୍ୱାସନା ।

ଚିଲିକା ପୋତି ହୋଇ ପଡ଼ିବା, ଲବଣାଂଶ ହ୍ରାସ ସହ ଜୈବ ବିବିଧତା ସ୍ପର୍ଶକାତର ହେବା କାରଣରୁ ଏହାକୁ ରାମସର୍‌ର‘ମଣ୍ଟରିକ୍‌ସ’ ତାଲିକାଭୁକ୍ତ କରାଯାଇଥିଲା । ଏହା ଏ ଜୈବମଣ୍ଡଳ ପରିଚାଳନା ପ୍ରତି ଚେତାବନୀ ଥିଲା । ମାତ୍ର ସରକାର ଚେତିଲେନି । ଏ ବିରଳ ହ୍ରଦ ପ୍ରତି ଏକରକମ ଆଖି ବୁଜି ଦେଇଛନ୍ତି । ଯାହାର ଫଳ ହେଲା ଓଡ଼ିଶାର ଗୌରବ ଓ ଅର୍ଥନୀତିର ମେରୁଦଣ୍ଡ ଏବେ ବଞ୍ଚିବାକୁ ସଂଘର୍ଷ କରୁଛି ।

ପରିବେଶ ବିଜ୍ଞାନୀଙ୍କ ମତ ହେଲା, ଚିଲିକା ଉପରେ ମଣିଷର ଅତ୍ୟାଚାର ଲକ୍ଷ୍ମଣରେଖା ଡେଇଁଛି । ମୃତ୍ତିକା ସଂରକ୍ଷଣ ପାଇଁ ନଦୀ ମୁହାଣରେ ଅଧକ ଲୁଣା ଜଙ୍ଗଲ ସୃଷ୍ଟି, ଡଲଫିନ୍‌ଙ୍କ ସୁରକ୍ଷା ପାଇଁ ମୋଟର ଡଙ୍ଗା ଉପରେ ରୋକ, ବେଆଇନ ଘେରି ଉଚ୍ଛେଦ, ଦଳ ନିୟନ୍ତ୍ରଣ ପାଇଁ ସୁଦୀର୍ଘ ଯୋଜନା କରାଯାଉ । ଚିଲିକା ଉପରୁ ଚାପ ହଟାଇ ମତ୍ସ୍ୟଜୀବୀଙ୍କୁ ଭିନ୍ନ ଜୀବିକା ଯୋଗାଇବା ଆବଶ୍ୟକ । ଆଉ ଡେରି ନକରି ସରକାର ଅଣ୍ଟା ଭିଡ଼ନ୍ତୁ । ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ ।

ସରକାର ନିଷ୍ଠା ନ ଦେଖାଇଲେ, ଉତ୍କଳମଣି ଗୋପବନ୍ଧୁଙ୍କ କବିତା ରହ ରହ କ୍ଷଣେ ବାଷ୍ପୀୟ ଶକଟ… ଆମ ନୂଆ ପିଢ଼ି କେବଳ ପଢ଼ା ବହିରେ ହିଁ ପଢ଼ିବେ । ଚିଲିକାର ଚାରୁ ଚିତ୍ରପଟ ଦେଖିବାରୁ କିନ୍ତୁ ବଞ୍ଚିତ ହେବେ । ଆମ ଅଣଦେଖାରୁ ସମୟର ଚୋରା ବାଲିରେ ନିଶ୍ଚିହ୍ନ ହୋଇଯିବ ମରାଳ ମାଳିନୀ ।