ଭାରତ ପ୍ରତି ବିପଦ, ଚୀନ୍‌ ମୁତୟନ କଲା ‘ଏଚ-୬’ ବୋମାବର୍ଷୀ ବିମାନ

ନୂଆଦିଲ୍ଲୀ,୨୭ ।୪(ଏଜେନ୍ସି): ଡୋକଲାମ ବିବାଦ ପର ଠାରୁ ଭାରତ ସଂଲଗ୍ନ ସୀମା ନିକଟରେ ଚୀନ୍‌ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏବେ ସୂଚନା ମିଳିଛି କି ଚୀନ୍‌ ତିକ୍ରତ ସ୍ୱୟଂଶାସିତ ଅଞ୍ଚଳରେ ନିଜର ଏକ ଶକ୍ତିଶାଳୀ ବୋମାବର୍ଷୀ ବିମାନ’ ଏଚ୍‌-୬’କୁ ମୁତୟନ କରିଛି । ଏହା ଭାରତ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।

ଭାରତୀୟ ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନା ଅନୁସାରେ,ଚୀନ୍‌ ତିକ୍ରତର ହୋପିଙ୍ଗ ବାୟୁସେନା ଘାଟିରେ ଏହି ବିମାନକୁ ମୁତୟନ କରିଛି । ସେଠାରେ ଏହି ବିମାନକୁ ରଖିବା ପାଇଁ ସ୍ୱତନ୍ତ୍ର ହ୍ୟାଙ୍ଗର( କଂକ୍ରିଟ ଢାଞ୍ଚା) ବି ତିଆରି କରାଯାଇଛି । ହୋପିଙ୍ଗ ବିମାନଘାଟିକୁ ପୂର୍ବରୁ ଚୀନ୍‌ ଉଭୟ ସାମରିକ ଏବଂ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲା । କିନ୍ତୁ ଏବେ ଚୀନର ପିପୁଲ୍‌ସ ଲିବରେସନ ଆର୍ମି ଏହାକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନକୁ ନେଇଯାଇଛି । ଭାରତ ଦାୟିତ୍ୱରେ ଥିବା ଚୀନ୍‌ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଏହି ବିମାନଘାଟିକୁ ରଖାଯାଇଛି । ସେଠାରେ ନୂଆ କରି ଉକ୍ତ ଯୁଦ୍ଧବିମାନକୁ ମୁତୟନ କରାଯାଇଛି ।
ଏଚ୍‌-୬ ହେଉଛି ଚୀନ୍‌ର ଏକ ଅତି ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ବୋମାବର୍ଷୀ ବିମାନ । ଚୀନ୍‌ ପୂର୍ବରୁ ରୁଷ ନିର୍ମିତ ଯେଉଁ ଟୁପୋଲୋଭ ଟିୟୁ-୧୬ ବୋମାବର୍ଷୀ ବିମାନ ବ୍ୟବହାର କରୁଥିଲା, ଏହା ହେଉଛି ତାହାର ଏକ ବିକଶିତ ସଂସ୍କରଣ । ରିଭର୍ସ ଇଞ୍ଜିନିୟରିଂ ମାଧ୍ୟମରେ ଚୀନ୍‌ ଏହି ବିମାନକୁ ନିର୍ମାଣ କରିଛି ।

ଏହା ସାହାଯ୍ୟରେ ଚୀନ୍‌ ବାୟୁସେନା ଅଧିକ ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବ । ଆମେରିକାର ବିମାନବାହୀ ଯୁଦ୍ଧଜାହାଜଗୁଡିକ ଉପରେ ଆକ୍ରମଣ କରି ସେଗୁଡିକୁ ନଷ୍ଟ କରିବା ପାଇଁ ଚୀନ୍‌ ଏହି ବିମାନ ନିର୍ମାଣ କରିଛି । କିନ୍ତୁ ତା’କୁ ଭାରତ ସୀମାରେ ମୁତୟନ କରିବାର ଅର୍ଥ ସିଏ ଏହାକୁ ଭାରତ ବିରୋଧରେ ବି ପ୍ରୟୋଗ କରିବ । ତେଣୁ ଭାରତ ସହିତ ଯୁଦ୍ଧ ଲାଗିଲେ ଏହି ବିମାନ କିଭଳି ଭୂମିକା ନିର୍ବାହ କରିବ ଏବଂ ସୀମା ନିକଟରେ ଚୀନ୍‌ ଆଉ କେଉଁଠି ଏଭଳି ବିମାନ ମୁତୟନ କରିଛି, ସେସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା ଏବେ ତଥ୍ୟ ସଂଗ୍ରହ କରୁଛନ୍ତି ।

ଏହାଛଡା ଚୀନ୍‌ ମଧ୍ୟ ଏବେ ନିଜ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଭେହିକିଲ ମାଉଣ୍ଟେଡ ୧୫୫ଏମଏମ କାଲିବର କ୍ଷମତା ବିଶିଷ୍ଟ ହ୍ୱିଜର ଗନ୍‌ ମୁତୟନ କରିଛି । ଏହି ତୋପ ବ୍ୟବହାର କରି ଚୀନ୍‌ ଉଭୟ ଲେଜର ଏବଂ ଜିପିଏସ ସଂଚାଳିତ ଗୋଳା ମାଡ଼ କରିପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫୦ କିମି । ଚୀନ୍‌ ମଧ୍ୟ ଅରୁଣାଚଳ ପ୍ରଦେଶ ସୀମା ଠାରୁ ୯୦୦ କିମି ଦୂରରେ ଅବସ୍ଥିତ ୟୁକ୍ସିରେ ନିଜର ଏକ ମିସାଇଲ ବ୍ରିଗେଡ ମୁତୟନ କରିଛି । ‘ ୬୨୨ ମିସାଇଲ ବ୍ରିଗେଡ’ ନାମରେ ନାମିତ ଚୀନ୍‌ ସେନାର ଏହି ୟୁନିଟ ଗାଇଡେଡ୍‌ ମିସାଇଲ ପରିଚାଳନା କରିଥାଏ । ଏହା ମଧ୍ୟ ଅଧିକ ଦୂର ଯାଏଁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ମିସାଇଲ ପ୍ରୟୋଗ କରିଥାଏ । ଚୀନ୍‌ର ଏସବୁ ପଦକ୍ଷେପରୁ ସିଏ ଭାରତକୁ ଯୁଦ୍ଧରେ ମାତ୍‌ ଦେବାକୁ ସବୁପ୍ରକାର ପ୍ରସ୍ତୁତି କରୁଥିବାର ସୂଚନା ମିଳୁଛି । ଏହା ଭବିଷ୍ୟତରେ ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ