ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ବେଜିଂ : ଚୀନ୍‌ରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭାଇରସ ଯୋଗୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୯,୫୦,୦୦୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ବିଭିନ୍ନ ଦେଶ କରୋନାର ମୁକାବିଲା ଜାରି ରଖିଥିଲାବେଳେ ଚୀନ୍‌ରେ ଏବେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ କରିଛି । ଏହା ମଧ୍ୟ ବାୟୁ ଜରିଆରେ ବ୍ୟାପୁଛି । ଏହାଯୋଗୁ ପୁରୁଷମାନେ ପ୍ରଜନନ କ୍ଷମତା ହରାଇବାର ସମ୍ଭାବନା ରହିଛି ।

ଏହି ରୋଗର ନାମ ହେଉଛି ବ୍ରୁସିଲୋସିସ୍‌ । ଏହା ଏକ ପ୍ରକାର ବ୍ୟାକ୍ଟେରିଆ ( ଯାହାର ନାମ ବ୍ରୁସିଲା) ଦ୍ୱାରା ବ୍ୟାପିଥାଏ । ଉକ୍ତ ରୋଗକୁ ମଧ୍ୟ ମାଲଟା ଜ୍ୱର ଅଥବା ମେଡିଟରିୟାନ ଜ୍ୱର ବୋଲି କୁହାଯାଏ । ଚୀନ୍‌ର ଉତ୍ତର-ପଶ୍ଚିମ ଭାଗରେ ୩୨୪୫ ଜଣ ବ୍ୟକ୍ତି ଏହା ଦ୍ୱାରାସଂକ୍ରମିତ ହୋଇଛନ୍ତି । ଚୀନ୍‌ର ନ୍ୟାସନାଲ ହେଲଥ କମିଶନ ଗତ ମଙ୍ଗଳବାର ଏହି ରୋଗ ବ୍ୟାପିବା ଘଟଣାକୁ ସ୍ୱୀକାର କରିଛି । ଗାନସୁ ପ୍ରଦେଶର ରାଜଧାନୀ ଲାନଝୋଉରେ ଏହା ବ୍ୟାପୁଛି । ଚୀନ୍‌ର ସ୍ୱାସ୍ଥ୍ୟ କମିଶନ କହିଛି କି ସେଠାରେ ସମୁଦାୟ ୨୧,୦୦୦ ଲୋକଙ୍କର ପରୀକ୍ଷା କରାଯାଇଥିଲା ଯା’ ଭିତରୁ ଏତିକି ଲୋକ ସଂକ୍ରମିତ ହୋଇଥିବାର ସ୍ପଷ୍ଟ ହୋଇଛି ।

ବିନା ପାଶ୍ଚନ ପ୍ରକ୍ରିୟାରେ ପ୍ରସ୍ତୁତ କ୍ଷୀର ପିଇବା କିମ୍ବା ଭଲ ଭାବେ ସିଝା ହୋଇନଥିବା ମାଂସ ଖାଇବା ଦ୍ୱାରା ବ୍ରୁସିଲୋସିସ୍‌ ବ୍ୟାପିଥାଏ । କିନ୍ତୁ ବାୟୁରେ ବି ଏହି ବ୍ୟାକ୍ଟେରିଆ ତିଷ୍ଠିପାରେ । ତେଣୁ ଏହି ବ୍ୟାକ୍ଟେରିଆ ଥିବା ବାୟୁକୁ ଆଘ୍ରାଣ କଲେ ଜଣେ ଉକ୍ତ ରୋଗ ଦ୍ୱାରା ଜଣେ ସଂକ୍ରମିତ ହୋଇପାରିବ । ସେହିପରି ବ୍ରୁସିଲା ବ୍ୟାକ୍ଟେରିଆ ଥିବା କିଛି ପଶୁଙ୍କ ସଂସ୍ପର୍ଶରେ ଆସିଲେ ବି ଏହି ରୋଗ ହୋଇପାରେ । ଏ ପ୍ରକାର ସଂକ୍ରମଣ ଯୋଗୁ ପୁରୁଷମାନଙ୍କ ଅଣ୍ଡକୋଷ ଫୁଲିଥାଏ ଏବଂ ସେମାନେ ନିଜର ପ୍ରଜନନ କ୍ଷମତା ହରାଇଥାନ୍ତି । ୟୁଏସ ସେଣ୍ଟରସ ଫର ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ( ସିଡିସି) କହିଛି ଯେ ମଣିଷ ଠାରୁ ମଣିଷ ଦେହକୁ ଏହି ରୋଗ ବ୍ୟାପିବା ଅତି ବିରଳ । କେବଳ ଅପମିଶ୍ରିତ ଖାଦ୍ୟ ଖାଇଲେ କିମ୍ବା ଉକ୍ତ ବ୍ୟାକ୍ଟେରିଆ ଥିବା ବାୟୁ ଆଘ୍ରାଣ କଲେ ଏହି ରୋଗରେ ଜଣେ ଆକ୍ରାନ୍ତ ହେବ । ଏବେ ଏହା ଚୀନ୍‌ର ଲାନଝୋଉ ସହରରେ ବ୍ୟାପୁଥିବାରୁ ତାହା ସେଠାରେ ହିଁ ସୀମିତ ରହିବ । କରୋନା ଭଳି ଅନ୍ୟ ଦେଶକୁ ଏତେ ସହଜରେ ବ୍ୟାପିବ ନାହିଁ ।

କେମିତି ବ୍ୟାପିଲା

ଚୀନ୍‌ ସରକାରଙ୍କ କହିବାନୁଯାୟୀ, ଚୀନ୍‌ର ଝୋଙ୍ଗମୁ ଲାନଝୋଉ ବାୟୋଲୋଜିକାଲ ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରି ପଶୁମାନଙ୍କୁ ବ୍ରୁସିଲା ବ୍ୟାକ୍ଟେରିଆ କବଳରୁ ରକ୍ଷା କରିବା ପାଇଁ ଏକ ଟୀକା ବିକାଶ କରିବାକୁ ଉଦ୍ୟମ କରୁଥିଲା । ଗତ ବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ କଂପାନି ସେଠାରୁ ବାହାରୁଥିବା ବର୍ଜ୍ୟର ବିଶୋଧନ କରିଥିଲା । କିନ୍ତୁ ଏଥିପାଇଁ ଏକ୍ସପାରି ଡେଟ୍‌ ଚାଲିଯାଇଥିବା ବିଶୋଧକ ବ୍ୟବହାର କରିଥିଲା । ଫଳରେ ସବୁ ବ୍ୟାକ୍ଟେରିଆ ନିପାତ ହୋଇନଥିଲେ ଏବଂ କିଛି ବାୟୁରେ ମିଶିଯାଇଥିଲେ । ପ୍ରଥମେ ଉକ୍ତ ଫ୍ୟାକ୍ଟ୍ରିର କର୍ମଚାରୀମାନେ ତା’ ଦ୍ୱାରା ସଂକ୍ରମିତ ହୋଇଥିଲେ ଏବଂ ଧୀରେ ଧୀରେ ଏହା ବ୍ୟାପିବାରେ ଲାଗିଥିଲା । ଗତ ନଭେମ୍ବର ମାସରୁ ଏହି ରୋଗ ବ୍ୟାପୁଛି ।

ଏହି ରୋଗର ଲକ୍ଷଣ କ’ଣ

ବ୍ରୁସିଲା ବ୍ୟାକ୍ଟେରିଆ ମଣିଷ ସହିତ କିଛି ପଶୁ ଯେପରିକି ମେଣ୍ଢା, ଗୋରୁଗାଈ, ଛେଳି, ଘୁଷୁରି ଏବଂ କୁକୁରଙ୍କୁ ବି ସଂକ୍ରମିତ କରିପାରେ । ଏଥିରେ ଆକ୍ରାନ୍ତ ହେଲେ ଜ୍ୱର ହେବା, ଦେହହାତ ଘୋଳାବିନ୍ଧା ହେବା, ପେଟରେ ଯନ୍ତ୍ରଣା ହେବା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଓଜନ କମିବା, ହଜମ ଶକ୍ତି କମିବା ଏବଂ ଥଣ୍ଡା ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ । ଏଗୁଡିକ ମଧ୍ୟରୁ କିଛି ଲକ୍ଷଣ ଦୀର୍ଘ ଦିନ ଯାଏଁ ଦେହରେ ରହିପାରେ । ବ୍ରୁସିଲୋସିସ୍‌ ଦେହର ପ୍ରାୟ ସବୁ ଅଙ୍ଗକୁ ପ୍ରଭାବିତ କରିଥାଏ । ହୃତ୍‌ପିଣ୍ଡ, ଲିଭର, ସ୍ନାୟବିକ ପ୍ରଣାଳୀ ଏବଂ ପ୍ରଜନନ ପ୍ରଣାଳୀ ଏହାଦ୍ୱାରା ପ୍ରଭାବିତ ହୋଇଥାଏ । ତେଣୁ ଅନେକ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡେ । ତେବେ ଏହି ରୋଗଯୋଗୁ ମୃତ୍ୟୁହାର ୨% ରହିଛି । କେମିତି ବ୍ୟାପେ କ୍ଷୀର, ମାଂସ, ଅଣ୍ଡା ଭଳି ପ୍ରାଣୀଜ ଦ୍ରବ୍ୟକୁ ବିନା ଗରମ କରି ଖାଇଲେ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ସଂକ୍ରମିତ ପଶୁ ସଂସ୍ପର୍ଶରେ ଆସିଲେ କିମ୍ବା ବ୍ୟାକ୍ଟେରିଆ ଥିବା ବାୟୁକୁ ଆଘ୍ରାଣ କଲେ ବି ଏହା ବ୍ୟାପିଥାଏ । ସଂକ୍ରମିତ ମାଆ ଠାରୁ ସ୍ତନ୍ୟପାନ କରିଥିବା ଶିଶୁ ଦେହକୁ ଏହା ଯାଇପାରେ । ସଂକ୍ରମିତ ବ୍ୟକ୍ତି ଠାରୁ ରକ୍ତ ନେଲେ ବି ଜଣେ ସଂକ୍ରମିତ ହେବ ।

ଚିକିତ୍ସା

ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଭଳ  ହେବା ପାଇଁ କିଛି ସପ୍ତାହ କିମ୍ବା ମାସ ଲାଗିପାରେ । ସାଧାରଣତଃ ଏଭଳି ରୋଗୀଙ୍କ ଚିକିତ୍ସା ପାଇଁ ରିଫାମପିନ୍‌ କିମ୍ବା ଡକ୍ସିସାଇକ୍ଲିନ୍‌ ପରି ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଏ । ପଶୁମାନଙ୍କ ସଂସ୍ପର୍ଶରେ ଆସିଲାବେଳେ ରବର ଗ୍ଲୋଭସ ବ୍ୟବହାର ଏବଂ ପ୍ରାଣୀଜ ଦ୍ରବ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଦ୍ୱାରା ସଂକ୍ରମିତ ହେବାକୁ ଏଡାଇ ଦିଆଯାଇପାରିବ ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ