
ବେଜିଂ– ପୁଣି ଚିନ୍ତା ବଢ଼ାଇଲା ଚୀନ୍ । ଥରକୁ ଥର ସେ ଯେକୌଣସି ବିଷୟକୁ ନେଇ ଚର୍ଚ୍ଚାକୁ ଆସୁଛି । ଏବେ ତିବ୍ବତରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଏକ ପ୍ରମୁଖ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛି । ଯାହାର ଖବର ଏବେ ସାମନାକୁ ଆସିଛି । ଆସନ୍ତା ବର୍ଷରୁ ଲାଗୁ ହେବାକୁ ଥିବା ୧୪ତମ ପଞ୍ଚବାର୍ଷିୟ ଯୋଜନା ସମ୍ୱନ୍ଧିତ ପ୍ରସ୍ତାବ ଉପରେ ବିଚାର କରାଯାଇ ସାରିଛି । ଚୀନ୍ ଅଫିସିଆଲ ମିଡ଼ିଆ ଡ୍ୟାମ୍ କରିବାର ଦାୟିତ୍ୱ ଚୀନ୍ର ଏକ କମ୍ପାନୀର ପ୍ରମୁଖଙ୍କ ଠାରୁ ପ୍ରାପ୍ତ ସୂଚନା ଆଧାରରେ ଦେଇଛି ।
ଗ୍ଲୋବାଲ ଟାଇମ୍ସ ର ଖବର ମୁତାବକ , ପାୱର କନଷ୍ଟ୍ରକସନ କର୍ପୋରେସନ ଅଫ୍ ଚାଇନା ର ଅଧ୍ୟକ୍ଷ ୟାଙ୍ଗ୍ ଜିୟୋଙ୍ଗ୍ କହିଛନ୍ତି କି ଚୀନ୍ ୟାରଲୁଙ୍ଗ ଜଙ୍ଗବୋ ନଦୀ( ବ୍ରହ୍ମପୁତ୍ରର ତିବ୍ବତ ନାମ)ର ତଳ ଅଂଶରେ ଜଳ ବିଦ୍ୟୁତ୍ ଉପଯୋଗ ପରିଯୋଜନା ଆରମ୍ଭ କରିବ । ଏହି ପରିଯୋଜନା ଜଳ ଉତ୍ସ ଓ ଘରୋଇ ସୁରକ୍ଷାକୁ ଦୃଢ଼ କରିବାରେ ସାହାଯ୍ୟ ହୋଇପାରେ ।
ଗ୍ଲୋବଲ ଟାଇମ୍ସ ରବିବାର ଦିନ କମ୍ୟୁନିଷ୍ଟ ୟୁଥ୍ ଲିଗ୍ ଅଫ୍ ଚାଇନାର କେନ୍ଦ୍ରୀୟ ସମିତିର ଭି-ଚ୍ୟାଟ୍ ଆକାଉଣ୍ଟରେ ଥିବା ଏକ ଆର୍ଟିକଲ ଅନୁସାରେ ସୂଚନା ଦେଇଛି କି ୟାଙ୍ଗ୍ କହିଛନ୍ତି ଚାଇନାର ରୁଲିଂ କମ୍ୟୁନିଟି ପାର୍ଟି ( ସିପିସି) ଦେଶର ୧୪ତମ ପଞ୍ଚବାର୍ଷିୟ ଯୋଜନା( ୨୦୨୧-୨୫) ପ୍ରସ୍ତୁତ କରିବାର ପ୍ରସ୍ତାବରେ ଏହି ପରିଯୋଜନାକୁ ସାମିଲ କରିବ ଓ ୨୦୩୫ ଯାଏ ଏହା ମାଧ୍ୟମରେ ଦୀର୍ଘକାଳୀନ ଲକ୍ଷ୍ୟ ହାସଲ କରିବାକୁ ନେଇ ବିଚାର କରି ସାରିଛନ୍ତି । ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଆସନ୍ତା ବର୍ଷ ନ୍ୟାସନାଲ ପିପୁଲ୍ସ କଂଗ୍ରେସ(ଏନ୍ପିସି) ଦ୍ୱାରା ଔପଚାରିକ ସମର୍ଥନ କରାଯିବା ପରେ ସାମନାକୁ ଆସିବାର ଆଶା ରହିଛି।
ବ୍ରହ୍ମପୁତ୍ର ନଦୀ ଭାରତ ଓ ବାଂଲାଦେଶ ଦେଇ ପ୍ରବାହିତ ହେଉଛି । ଆଉ ଏହି ଭିତରେ ଡ୍ୟାମ୍ ନିର୍ମାଣର ପ୍ରସ୍ତାବରେ ଦୁଇ ଦେଶର ଚିନ୍ତା ବଢ଼ି ଯାଇଛି । ଏହାକୁ ଖାରଜ କରି ଚୀନ କହିଛି , ସେ ତାଙ୍କର ଭଲ ପାଇଁ ମଧ୍ୟ ଧ୍ୟାନ ଦେବ । ଏଥିରେ କାହାର ଅସୁବିଧା ହେବ ନାହିଁ ।