ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ନୂଆଦିଲ୍ଲୀ, ୨୩/ ୧୦: ସୋମବାର ଦିନ ଭାରତୀୟ ଯବାନ ପୂର୍ବ ଲଦାଖର ଡେମଚୋକ ଅଞ୍ଚଳରୁ ଜଣେ ଚୀନ୍‌ ସୈନିକଙ୍କୁ ଗିରଫ କରିଥିଲା। ଯାହାଙ୍କ ନିକଟରୁ ସ୍ଲିପିଙ୍ଗ ବ୍ୟାଗ୍, ଷ୍ଟୋରେଜ ଡିଭାଇସ୍‌ ଏବଂ ଏକ ମୋବାଇଲ ଫୋନ୍‌ ଜବତ କରାଯାଇଥିଲା। ଚୀନ୍‌ ସୈନିକ ଜଣକ ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତ ସୀମାରା ବୁଲୁଥିବା ବେଳେ ଭାରତୀୟ ସୈନ୍ୟ ତାକୁ ଗିରଫ କରିଥିଲେ।

ନ୍ୟୁଜ୍‌ ଏଜେନ୍ସି ସଂସ୍ଥା ଏନଆଇକୁ ଜଣେ ସରକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଯେବେ ଆମେ ଚୀନ ସୈନିକକୁ ଧରିଥିଲୁ ତାଙ୍କ ପାଖରୁ ଏକ ସ୍ଲିପିଙ୍ଗ୍ ବ୍ୟାଗ୍, ଖାଲି ଡାଟା ଷ୍ଟୋରେଜ ଡିଭାଇସ୍‌ ଓ ଏକ ମୋବାଇଲ ଫୋନ୍‌ ସହିତ ଏକ ମିଲିଟାରି ଆଇକାର୍ଡ ମିଳିଥିଲା।

ଚୀନ୍‌ର ଏହି ସୈନିକ ପଶୁଚରାଳୀଙ୍କ ସହାୟତା କରୁଥିବା ବେଳେ ଅଜାଣତରେ ଭାରତୀୟ ସୀମା ଭିତରକୁ ପଶି ଆସିଥିବାର ସଫେଇ ଦେଇଥିଲେ। ତେବେ ତାଙ୍କଠାରୁ ଜବତ ସାମଗ୍ରୀରୁ ସେ ତଥ୍ୟ ଲୁଚାଉ ଥିବାର ସନ୍ଦେହ କରାଯାଉଥିଲା। ତେବେ ତା ନିକଟରୁ ମିଳିଥିବା ଷ୍ଟୋରେଜ ଡିଭାଇସ୍ ସମ୍ପୂର୍ଣ୍ଣ ଖାଲିଥିବାବେଳେ ମୋବାଇଲ ଫୋନରୁ ସେପରି କିଛି ସନ୍ଦିଗ୍ଧ ମିଳି ନଥିଲା। ଅପରପକ୍ଷରେ ଭାରତୀୟ ସେନା ପକ୍ଷରୁ ଚୀନ୍‌ ସୈନିକକୁ ଚିକିତ୍ସକୀୟ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ପରେ ପ୍ରୋଟକୋଲ ଅନୁଯାୟୀ ତାଙ୍କୁ ଚୀନ ସେନାକୁ ହସ୍ତାନ୍ତର କରାଯାଇଥିଲା।

ଏପ୍ରିଲ-ମେ ମାସରୁ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି। ବାସ୍ତବିକ ନିୟନ୍ତଣ ରେଖା ନିକଟରେ ଦୁଇ ଦେଶର ହଜାର ହଜାର ସୈନ୍ୟ ନିୟୋଜିତ ଅଛନ୍ତି। ଭାରତୀୟ ସେନା ଚୀନର ବିସ୍ତାରବାଦ ରଣନୀତିକୁ ମାତ୍‌ ଦେବାକୁ ଯାଇ ଅଗଷ୍ଟ ୨୯-୩୦ରେ ଏଲଏସିର ନିକଟବର୍ତ୍ତୀ ଲଦାଖ ପେଙ୍ଗାଙ୍ଗ ହଦ୍ରର ଦକ୍ଷିଣ ଅଞ୍ଚଳରେ ଥିବା ଉଚ୍ଚାଥିବା ଅଞ୍ଚଳକୁ ନିଜ କବଜାକୁ ଅକ୍ତିଆର କରିଥିଲା ଭାରତୀୟ ସେନା।