ପ୍ରେସ୍ ଛକରେ ଚିଣ୍ଟୁ ହତ୍ୟା ମାମଲା: ଯାଜପୁର, ଭଦ୍ରକରେ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର ୧୮/୦୧: ପ୍ରେସ୍ ଛକ ନିରଞ୍ଜନ ପରିଡ଼ା ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୁଲିସ ତନାଘନା ଚଳାଇଛି । ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଯାଜପୁରର ମିଲୁ ଓରଫ ସୌମ୍ୟରଞ୍ଜନ ବେହେରା ଓ ଅନ୍ୟଜଣେ ଅଭିଯୁକ୍ତକୁ ଧରିବା ୨ଟି ଟିମ୍ ଯାଜପୁର ଓ ଭଦ୍ରକରେ ଚଢ଼ଉ ଚଳାଇଛନ୍ତି । ସେପଟେ ଧରା ପଡ଼ିଥିବା ୨ ହତ୍ୟାକାରୀ ନୂଆପଲ୍ଲୀରେ ରହୁଥିବା ଭଦ୍ରକର ସତ୍ୟପ୍ରକାଶ ସିଂହ ଓ ସତ୍ୟପ୍ରକାଶ ପାଣ୍ଡବଙ୍କୁ ଆଜି ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି, ଶନିବାର ସନ୍ଧ୍ୟାରେ ପ୍ରେସ୍ ଛକରେ କମେଣ୍ଟ୍ ମରାକୁ କେନ୍ଦ୍ରକରି ଗାଡ଼କଣର ଚିଣ୍ଟୁ ଓ ତାଙ୍କ ଦୁଇ ବନ୍ଧୁ ବିଶାଲ ପାତ୍ର ଓ ଶ୍ରୀତନୁ ମିଶ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରା ଯାଇଥିଲା । ବାଇକ୍ ସୋ’ରୁମ୍ରେ କାମ କରୁଥିବା ୨ ସତ୍ୟ, ମିଲୁ ଓ ଅନ୍ୟଜଣେ ସହଯୋଗୀ ଛୁରା ମାଡ କରିଥିଲେ । ଏଥିରେ ଚିଣ୍ଟୁଙ୍କର ମୃତ୍ୟୁ ଘଟିଥିବା ବେଳେ ବିଶାଲ ଓ ଶ୍ରୀତନୁ ଗୁରୁତର ଆହତ ହୋଇଥିଲେ । ଏହାକୁ କମିଶନରେଟ୍ ପୁଲିସ ଗୁରୁତ୍ୱର ସହ ନେଇ ତନାଘନା ଆରମ୍ଭ କରିଥିଲା । ରାତାରାତି ପୁଲିସ ୨ ସତ୍ୟଙ୍କୁ ଗିରଫ କରିଥିଲା । ତେବେ ମିଲୁ ଓ ଅନ୍ୟଜଣେ ଅଭିଯୁକ୍ତ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲେ ।