ବଲାଙ୍ଗୀରରେ ଉତ୍ତରପ୍ରଦେଶର ଏଟିଏମ୍ ଲୁଟେରା- ଏଟିଏମ୍ରୁ ହାଇଟେକ୍ ଉପାୟରେ ଟଙ୍କା ଗାୟବ କରୁଥିବା ବେଳେ ହେଲେ ଗିରଫ

ବଲାଙ୍ଗିର: ଓଡିଶାରେ କାନପୁର ଲୁଟେରା । ୟୁପିରୁ ଆସି ଓଡିଶାର ବିଭିନ୍ନ ସ୍ଥାନରେ କରୁଥିଲେ ଲୁଟ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଏମ୍ ଲୁଟ୍ କରୁଥିବା ବେଳେ ପୁଲିସ ଗିରଫ କରିଛି । ବଲାଙ୍ଗିର ସହରର ଠିକାଦାରପଡା ଏସବିଆଇ ଏଟିଏମ୍ କାଉଣ୍ଟର୍ ୟରୁ ଟଙ୍କା ଉଠାଉଥିବା ବେଳେ ଦୁଇ ଆନ୍ତଃରାଜ୍ୟ ଠକଙ୍କୁ ଟାଉନ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶ କାନପୁର ଜିଲ୍ଲା ଚକେରୀ ଥାନା ଅନ୍ତର୍ଗତ ଗିରିଜାନଗରର ସତ୍ୟ ସିଂ ପରିହାର ଓ କାନପୁରନଗରର ଅଜୟ କୁମାର ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଟିକ୍ରାପଡାର ନିର୍ମଲ କୁମାର ସାମଲ ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରରେ ଏସବିଆଇ ଏଟିଏମ୍ର ସିକ୍ୟୁରିଟି ଅଫିସର୍ ଭାବେ କାମ କରୁଛନ୍ତି । ଗତ କିଛିଦିନ ହେଲା ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଏଟିଏମ୍ ଓ ବଲାଙ୍ଗିର ସହରର ବିଭିନ୍ନ ଏଟିଏମ୍ କାଉଣ୍ଟର୍ ଗୁଡିକରୁ ଟଙ୍କା ଗାୟବ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ନିର୍ମଲ କୁମାର ସାମଲ ଘଟଣା ସଂପର୍କରେ ଗତ ୨୭ ତାରିଖରେ ବଲାଙ୍ଗିର ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଟାଉନ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ଭାରତ ବନ୍ଦ ଦିନ ଠିକାଦାରପଡା ଏସବିଆଇ ଏଟିଏମ୍ କାଉଣ୍ଟର୍ରୁ ଟଙ୍କା ଉଠାଉଥିବା ବେଳେ ଟାଉନ ପୋଲିସ ୨ ଜଣ ସଂଦିଗ୍ଧ ଯୁବକଙ୍କୁ କାବୁ କରି ପଚରା ଉଚୁରା କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଯୁବକ ମାନଙ୍କ ନିକଟରୁ ନଗଦ ଦେଢ ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କର ୨୦ଟି ଏଟିଏମ୍ କାର୍ଡ ସହ ୨ ଟି ମୋବାଇଲ ଫୋନ, ୨ଟି ଆଧାର କାର୍ଡ ଓ ୨ ଟି ପାନ୍ କାର୍ଡ ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ଠକେଇ କରି ବିଭିନ୍ନ ଏଟିଏମ୍ କାଉଣ୍ଟର୍ ରୁ ଲକ୍ଷ ଲକ୍ଷ ଟଙ୍କା ଉଠେଇ ନେଉଥିବା ଅଭିଯୋଗରେ ଟାଉନ ପୋଲିସ ୨ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରିଛି ।