ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକରାଣୀ: ଗହଣା- ଟଙ୍କା ଚୋରି କରି ଧରାପଡ଼ିଲେ ଶାଶୁ ଓ ବୋହୂ, ୧୦ ଭରି ସୁନା ଅଳଙ୍କାର ନେଇ ଚମ୍ପଟ ମାରିଲା ଜ୍ୱାଇଁ

ଭୁବନେଶ୍ୱର,୨୨/୧୧: ବିଶ୍ୱାସରେ ବିଷ । ମାଲିକଙ୍କ ଘରୁ ସୁନା ଗହଣା ଓ ଟଙ୍କା ଚୋରି କରି ନେଇଛନ୍ତି ଚାକରାଣୀ । ଅଭିଯୋଗ ପାଇ ନୂଆପଲ୍ଲୀ ଥାନା ପୁଲିସ ଉକ୍ତ ଘରେ କାମ କରୁଥିବା ବୋହୂ ଓ ତାଙ୍କ ଶାଶୁଙ୍କୁ ଗିରଫ କରିଛି । ଗିରଫ ଶାଶୁ ଓ ବୋହୂ ହେଲେ ସାଲିଆସାହି ଆଦିବାସୀ ଗାଁରେ ରହୁଥିବା ଢେଙ୍କାନାଳ ଧଳପୁରର ଚିଲିକା ଦିଘଲ ଓରଫ ଚିନୁ ଦାସ (୨୪) ଓ ତାଙ୍କ ଶାଶୁ ମନିକା ଦାସ (୫୦) । ପୁଲିସ ସେମାନଙ୍କ ଠାରୁ ୯୮ ହଜାର ଟଙ୍କା ଜବତ କରିଛି । ଚୋରି ହୋଇଥିବା ପ୍ରାୟ ୧୦ ଭରି ସୁନା ଅଳଙ୍କାର ନେଇ ଚିନୁଙ୍କ ସ୍ୱାମୀ କାହ୍ନୁ ଦିଘଲ ଫେରାର୍‌ ହୋଇ ଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

ପୁଲିସ ସୂଚନା ଅନୁଯାୟୀ, ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌/୨-୧୫୩ରେ ରହୁଛନ୍ତି ସତପାଲ ଗୁଗୁନାନିଙ୍କ ପରିବାର। ସତପାଲ ଓ ତାଙ୍କ ପତ୍ନୀ ଅର୍ଚ୍ଚନା ଗତ ୮ ତାରିଖ ସକାଳ ସାଢ଼େ ୬ଟାରେ ମର୍ଣ୍ଣିଂୱାକ୍‌ କରିବାକୁ ଯାଇଥିଲେ। ସେମାନେ ସକାଳ ୮ଟାରେ ଘରକୁ ଫେରିଥିଲେ । ଅର୍ଚ୍ଚନା ଜଣେ କର୍କଟ ରୋଗୀ । ତେଣୁ ସବୁଦିନ ମେଡିକାଲ ଚେକ୍‌ଅପ୍‌ ପାଇଁ ଯାଆନ୍ତି । ମର୍ଣ୍ଣିଂୱାକ୍‌ରୁ ଫେରି ପତିପତ୍ନୀ ତରବର ହୋଇ ହସ୍ପିଟାଲ ପଳାଇଥିଲେ । ଚେକ୍‌ଅପ୍‌ ପରେ ସେମାନେ ଫେରିଥିଲେ ।

ସନ୍ଧ୍ୟାରେ ପରିବା କିଣିବା ପାଇଁ କିଛି ଟଙ୍କା ଆବଶ୍ୟକ ପଡ଼ିବାରୁ ଅର୍ଚ୍ଚନା ଆଲମିରା ଖୋଲିଥିଲେ । ଦେଖିବା ବେଳକୁ ଲକର ଭଙ୍ଗା ଯାଇଛି । ସେଥିରେ ଥିବା ୮ଟି ସୁନା ଚୁଡ଼ି, ୩ ହଳ କାନଫୁଲ, ବ୍ରେସ୍‌ଲେଟ୍‌ ସମେତ ୧୦ ଭରି ସୁନା ଅଳଙ୍କାର ଓ ୨ରୁ ୩ ଲକ୍ଷ ଟଙ୍କା କେହି ଚୋରି କରି ନେଇଛି । ଘରେ ଥିବା ନାଇଟ୍‌ ୱାଚ୍‌ମ୍ୟାନ୍‌, ଚାକରାଣୀ ଚିନୁ ଏବଂ ତାଙ୍କ ସ୍ୱାମୀ କାହ୍ନୁଙ୍କ ଉପରେ ସନ୍ଦେହ ହୋଇଥିଲା ।

ଏ ନେଇ ସତପାଲ ନୂଆପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ପୁଲିସ ଆଦିବାସୀ ଗାଁରେ ଚଢ଼ଉ କରି ଚିନୁ ଓ ତାଙ୍କ ଶାଶୁ ମନିକାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯୮ ହଜାର ଟଙ୍କା ଜବତ କରିଥିଲା । ଜେରା ବେଳେ ସୁନାଗହଣା ସବୁ କାହ୍ନୁ ନେଇ ଫେରାର୍‌ ହୋଇ ଯାଇଥିବା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଆଜି ଚିନୁ ଓ ମନିକାଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।