ରାଫେଲ ପ୍ରସଙ୍ଗରେ ଦୁଃଖ ପ୍ରକାଶ କଲେ ରାହୁଲ, କହିଲେ ନିର୍ବାଚନ ସମୟରେ ଉତ୍ତେଜନାରେ ‘ଚୌକିଦାର ଚୋର ହେ’ କହିଥିଲି

ନୂଆଦିଲ୍ଲୀ,୨୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ମାମଳାରେ ସୁପ୍ରିମକୋର୍ଟରେ ନିଜର ଜବାବ୍ ଦାଖଲ କରିଛନ୍ତି। ରାହୁଲ କହିଛନ୍ତି ସେ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନାରେ ଏଭଳି ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ରାହୁଲ ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ କରି କହିଥିଲେ ଏବେ ସୁପ୍ରିମକୋର୍ଟ ମଧ୍ୟ କହିସାରିଛନ୍ତି ଯେ, ‘ଚୌକିଦାର ଚୋର ହେ’। ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ସାଂସଦ ମୀନାଷୀ ଲେଖି କୋର୍ଟ ଅବମାନନା ଅଭିଯୋଗ ଆଣିଥିଲେ ସୁପ୍ରିମକୋର୍ଟଙ୍କ ନିକଟରେ।
ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରିଥିଲେ। ବିଜେପିର ନେତା ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ରାହୁଲଙ୍କ ବିରୋଧରେ ଆବେଦନ ଦାଖଲ କରିଥିଲେ। ତେବେ ରାହୁଲ ଆଜି ସୁପ୍ରିମକୋର୍ଟରେ ନିଜର ଜବାବରେ କହିଛନ୍ତି, ହଁ ମୁଁ ମାନୁଛି ଯେ ସୁପ୍ରିମକୋର୍ଟ କେବେ ବି ‘ଚୌକିଦାର ଚୋର ହେ’ କହିନାହାଁନ୍ତି। ନିର୍ବାଚନ ସମୟରେ ଉତ୍ତେଜନାରେ ମୁଁ ଏହା କହିଛି। ଏହି ମାମଲାରେ ରାହୁଲ ଅଣ୍ଡରଟେକିଂ ଦେଇ କହିଛନ୍ତି ଭବିଷ୍ୟତରେ ସେ ସର୍ବସାଧାରଣରେ ଏଭଳି କୌଣସି ମନ୍ତବ୍ୟ ଦେବେ ନାହିଁ, ଯେଉଁ ପର୍ଯ୍ୟନ୍ତ କୋର୍ଟରେ ଏଭଳି କୁହାଯାଇନି। ଏହା ସହ ରାହୁଲ କହିଛନ୍ତି ମୋର ଶବ୍ଦକୁ ବିରୋଧୀ ଦଳ ଭୁଲ ଭାବରେ ଉପସ୍ଥାପିତ କରିଛି। ଉଲ୍ଲେଖନୀୟ ଯେ ଗତ ୧୫ ତାରିଖରେ କୋର୍ଟ ଅବମାନନା ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଥିଲେ ‘ଚୌକିଦାର ଚୋର ହେ’ ଆମେ ଏଭଳି ମନ୍ତବ୍ୟ କେବେ ଦେଇ ନାହୁଁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁ ଯେ, ଯେଉଁ ବିଚାର କୋର୍ଟକୁ ନେଇ ମିଡିଆରେ କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ।