PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନାଗରିକତା ଆଇନକୁ ୬ ରାଜ୍ୟର ବିରୋଧ: କେନ୍ଦ୍ରର ରୋକ୍‌ଠୋକ୍‌ ବାଣୀ, CABକୁ ସମସ୍ତ ରାଜ୍ୟ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ ୧୪/୧୨: ସଂଶୋଧିତ ନାଗରିକତା ଆଇନ ଲାଗୁ ନ କରିବାକୁ ଧମକ ଦେଇଥିବା ୬ଟି ରାଜ୍ୟକୁ ଶୁକ୍ରବାର କେନ୍ଦ୍ର ସରକାର ରୋକ୍‌ଠୋକ୍‌ ବାଣୀ ଶୁଣାଇଛନ୍ତି । କହିଛନ୍ତି, ନାଗରିକତା ଆଇନ, ୨୦୧୯କୁ କାର୍ଯ୍ୟକାରୀ କରିବାକୁ ରାଜ୍ୟଗୁଡ଼ିକ ବାଧ୍ୟ । ଏହାକୁ ଅଗ୍ରାହ୍ୟ କରିବା କ୍ଷମତା ସେମାନଙ୍କର ନାହିଁ । ସେପଟେ ଆଇନକୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଦେଖାଦେଇଥିବା ହିଂସା ଦିଲ୍ଲୀ ଓ ପଶ୍ଚିମବଙ୍ଗକୁ ବ୍ୟାପିଛି । କେତେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି ।

ରାଜ୍ୟଗୁଡ଼ିକୁ ଆଜି ଚେତାବନୀ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ତାଲିକାରେ ରହିଥିବା ଆଇନଗୁଡ଼ିକୁ ରାଜ୍ୟଗୁଡ଼ିକ ପାଳନ କରିବାକୁ ବାଧ୍ୟ। ଏହାକୁ ସେମାନେ କୌଣସିମତେ ଏଡ଼ାଇ ପାରିବେ ନାହିଁ। କାରଣ ସମ୍ବିଧାନ ସେମାନଙ୍କୁ ସେହି କ୍ଷମତା ଦେଇନାହିଁ। ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଏ ବାବଦରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଏହି ଅନୁଚ୍ଛେଦରେ କେନ୍ଦ୍ର ତାଲିକା ଦିଆଯାଇଛି । ପ୍ରତିରକ୍ଷା, ବହିର୍ବ୍ୟାପାର, ରେଳବାଇ, ନାଗରିକତା ଆଦି ୯୭ଟି ପ୍ରସଙ୍ଗ ସହ ଜଡ଼ିତ କେନ୍ଦ୍ର ଆଇନକୁ ରାଜ୍ୟଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବେ। ଏହାର କାର୍ଯ୍ୟକାରିତାକୁ ସେମାନେ କୌଣସି ପରିସ୍ଥିତିରେ ଅସ୍ୱୀକାର କରିପାରିବେ ନାହିଁ।

ସଂଶୋଧିତ ନାଗରିକତା ଆଇନକୁ ଲାଗୁ କରିବେ ନାହିଁ ବୋଲି ୬ଟି ଅଣବିଜେପି ଶାସିତ ରାଜ୍ୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ପଶ୍ଚିମବଙ୍ଗ, କେରଳ ଏବଂ ପଞ୍ଜାବ ଏହାକୁ କାର୍ଯ୍ୟକାରୀକରିବେ ନାହିଁ ବୋଲି ଘୋଷଣା କରିଥିଲେ। ଆଜି ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ସରକାର ସମାନ ନୀତି ଆପଣାଇଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି, ନାଗରିକତା ଆଇନକୁ ନେଇ କଂଗ୍ରେସ ଯେଉଁପ୍ରକାର ଆଭିମୁଖ୍ୟ ରଖିବ

ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ । ଯେଉଁ ଆଇନରେ ଭେଦଭାବ ରହିଛି, ତାହାକୁ ପାଳନ କରିବା କିମ୍ବା ସେଥିରେ ସାମିଲ ହେବା ଉଚିତ ନୁହେଁ । ସେହିଭଳି ମହାରାଷ୍ଟ୍ରରେ କଂଗ୍ରେସ ଅଧ୍ୟକ୍ଷ ତଥା ମନ୍ତ୍ରୀ ବାଲାସାହେବ ଥୋରାଟ କହିଛନ୍ତି, ଆମେ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ କାମ କରିବୁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ସମାନ ଟିପ୍ପଣୀ ଦେଇଛନ୍ତି ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ର ସରକାର ଏହି ଆଇନକୁ ଲାଗୁ କରିବା ପାଇଁ ଆମକୁ ବାଧ୍ୟ କରିପାରିବେ ନାହିଁ । ଆମେ ଏହାର ପ୍ରତିବାଦ କରିବୁ ଏବଂ କୌଣସିମତେ ଏହାକୁ କାର୍ଯ୍ୟକାରୀ କରିବୁ ନାହିଁ । ଏମିତି କି ଆଇନକୁ ବିରୋଧ କରି ଆମେ ରାଜ୍ୟରେ ବିଶାଳ ରାଲି ଆୟୋଜନ କରିବୁ ।

ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗରିକତା ଆଇନକୁ ନେଇ ନକାରାତ୍ମକ ମନ୍ତବ୍ୟ ଦିଆଯାଇଥିଲା । ଆଇନକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କୁହାଯାଇଥିଲା । ସେହିଭଳି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ । ବିଜୟନ ଏହାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ ।

ସଂଶୋଧିତ ନାଗରିକତା ଆଇନରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ଭାରତରେ ଆଶ୍ରୟ ନେଇଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ପାର୍ସି, ବୌଦ୍ଧ ଓ ଶିଖ୍‌ ଧର୍ମର ଲୋକମାନଙ୍କୁ ନାଗରିକତା ଦେବା ପାଇଁ ବ୍ୟବସ୍ଥା ରହିଛି । ଧର୍ମକୁ ଆଧାର କରି ଭାରତରେ ନାଗରିକତା ଦିଆଯିବା ଅନୁଚିତ ଦର୍ଶାଇ ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି । ଏହା ଭାରତର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ବୋଲି ସେମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣବିଜେପି ରାଜ୍ୟଗୁଡ଼ିକ ଆଇନକୁ ଲାଗୁ ନ କରିବା ପାଇଁ ଧମକ ଦେଇଛନ୍ତି ।

ସେପଟେ ଆଇନକୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆସାମରେ ଆଇନକୁ ଜୋରଦାର ବିରୋଧ କରାଯାଉଛି । ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, କଳାକାର ଏବଂ ଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି । ଶତାଧିକ ଲୋକ ଅନଶନ ଧର୍ମଘଟ କରିଛନ୍ତି । ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଜି ୧୨ଟି ପିଟିସନ୍‌ ଦାଖଲ ହୋଇଛି । ଅଣ ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଆଇନରେ ବ୍ୟବସ୍ଥା ଥିବାରୁ ଏହି ଆନ୍ଦୋଳନ ଜାରି ରହିଛି । ଉତ୍ତର ପୂର୍ବରେ ଦେଖାଦେଇଥିବା ହିଂସା ଏବେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି ।

ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ଜୋରଦାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ପୁଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌କୁ ସେମାନେ ଖାତିର ନ କରି ଆଗକୁ ବଢ଼ିଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ ପୁଲିସକୁ ଶେଷରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିବାକୁ ପଡ଼ିଛି । ଆନ୍ଦୋଳନ ଯୋଗୁ ୨ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଛି । ଦିଲ୍ଲୀ ମେଟ୍ରୋର ପଟେଲ ଚୌକର ପ୍ରବେଶ ଓ ପ୍ରସ୍ଥାନ ଏବଂ ଜନପଥ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ଫଳରେ ଏଠାରେ ଟ୍ରେନ ଚଳାଚଳ ବାତିଲ ହୋଇଯାଇଛି ।

ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ହଜାର ହଜାର ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ବେଲଡାଙ୍ଗ ରେଳଷ୍ଟେସନ ପରିସରରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି । ଏମିତି କି ସେମାନେ ଆରପିଏଫ କର୍ମୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଅନେକ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାରେ ଗଣଆନ୍ଦୋଳନ ଆରମ୍ଭ କରାଯାଇଛି । ପଶ୍ଚିମବଙ୍ଗରେ ଆନ୍ଦୋଳନ ଉଗ୍ର ରୂପ ନେବାରୁ ରାଜ୍ୟରେ କେତେକ ଟ୍ରେନ୍‌ ଚଳାଚଳ ବାତିଲ ହୋଇଯାଇଛି । ପାଖାପାଖି ୨୫୦ ଲୋକ ବାଲିଛକ-ହାଓଡ଼ା ଟ୍ରେନ୍‌, ହାଓଡ଼ା-କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଦିଘା କଣ୍ଡାରି ଏକ୍ସପ୍ରେସ ଏବଂ ଅନ୍ୟ କେତେକ ଟ୍ରେନ୍‌କୁ ଅଟକାଇବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି ।

ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଜି ମୋଟ ୧୨ଟି ପିଟିସନ ଦାଖଲ କରାଯାଇଛି । ଆବେଦନକାରୀଙ୍କ ମଧ୍ୟରେ ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ୍‌ ଲିଗ୍‌, ଜୟରାମ ରମେଶ, ପୂର୍ବତନ ଉଚ୍ଚାୟୁକ୍ତ ଦେବ୍‌ ମୁଖାର୍ଜୀ, ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ ରହିଥିବା ଜଣାପଡ଼ିଛି । ଆସାମରେ ଆନ୍ଦୋଳନ ଯୋଗୁ ଦୋକାନ ବଜାର ଆଦି ଅନେକ ସ୍ଥାନରେ ବନ୍ଦ ରହିଛି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।

ଉତ୍ତର ପୂର୍ବରେ ଏଭଳି ହିଂସା ଜାରି ରହିଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ସ୍ଥଗିତ ରହିଛି । ସେ ଡିସେମ୍ବର ୧୫ରୁ ୧୭ ଯାଏ ଭାରତରେ ରହିଥାନ୍ତେ ଏବଂ ଗୌହାଟୀରେ ମୋଦିଙ୍କ ସହ ତାଙ୍କର ବାର୍ଷିକ ସାକ୍ଷାତ ହୋଇଥାନ୍ତା । ଏ ନେଇ ବହିର୍ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଆବେଙ୍କ ଗସ୍ତକୁ ସ୍ଥଗିତ ରଖିବା ପାଇଁ ଉଭୟ ଭାରତ ଓ ଜାପାନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ପରେ ଏ ନେଇ ଏକ ନୂଆ ତାରିଖ ଚୂଡ଼ାନ୍ତ କରାଯିବ ।
ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସିଲଂ ଗସ୍ତ ଆଜି ବାତିଲ ହୋଇଯାଇଛି । ରବିବାର ଶାହ ଉତ୍ତର ପୂର୍ବ ପୁଲିସ ଏକାଡେମି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ନାଗରିକତା ଆଇନକୁ ନେଇ ସିଲଙ୍ଗ୍‌ରେ ମଧ୍ୟ ବିକ୍ଷୋଭ ଚାଲିଥିବାରୁ ଏହି ଗସ୍ତ ବାତିଲ କରାଯାଇଛି । ସେପଟେ ଭାରତରେ ଏଭଳି ବିକ୍ଷୋଭ ଚାଲିଥିବାରୁ ବ୍ରିଟେନ୍‌, ଇସ୍ରାଏଲ୍‌ ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ସରକାର ସେମାନଙ୍କ ନାଗରିକମାନଙ୍କୁ ଭାରତ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆସାମ ପରିସ୍ଥିତି ଯଥା ପୂର୍ବଂ ତଥା ପର ସ୍ଥିତିରେ ରହିଛି । ଏଠାରେ ଅଧିକ ସୁରକ୍ଷା କର୍ମୀ ଓ ସେନା ମୁତୟନ ସତ୍ତେ୍ୱ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରି ନାହିଁ । ପରିସ୍ଥିତି ଅଣାୟତ୍ତ ହେବାରୁ ଆସାମର ଦିଗବୋଇରେ ଥିବା ତୈଳ ବିଶୋଧନଗାରକୁ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ବନ୍ଦ କରିଦେଇଛି । ସେହିଭଳି ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ଏହାର ଏଲ୍‌ପିଜି ଓ ଅଶୋଧିତ ତୈଳ ଉତ୍ପାଦନକୁ ବାଧ୍ୟହୋଇ ବନ୍ଦ କରିଦେଇଛି । ବିକ୍ଷୋଭ ଯୋଗୁ ତୈଳ ଟ୍ୟାଙ୍କର ଓ ଟ୍ରକ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆସାମ ସ୍ଥିତିକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ, ସିଆରପିଏଫ, ରାଜ୍ୟ ପୁଲିସ ବାହିନୀ ଏବଂ ଅର୍ଦ୍ଧ ସାମରିକ ବାହିନୀ ଯଥେଷ୍ଟ ନ ହେବାରୁ ଆଜି ଆହୁରି ୨୬ ସୈନ୍ୟ ଦଳ ଆସାମକୁ ପଠାଯାଇଛି । ବିକ୍ଷୋଭକାରୀଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି । ନଚେତ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର