PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନାଗରିକତା ସଂଶୋଧନ ବିଲ୍‌ରେ ମୁସ୍‌ଲିମ୍‌ଙ୍କୁ କାହିଁକି ସାମିଲ କରାଯାଇନି ? ସବୁ ପ୍ରଶ୍ନର ଜବାବ ଦେଲେ ଶାହ

ନୂଆଦିଲ୍ଲୀ ୧୨/୧୨: ନାଗରିକତା (ସଂଶୋଧନ) ବିଲ୍‌ରେ କାହିଁକି ମୁସ୍‌ଲିମ୍‌ଙ୍କୁ ସାମିଲ କରାଯାଇ ନାହିଁ? ଧର୍ମ ଆଧାରରେ ଶରଣାର୍ଥୀଙ୍କୁ କାହିଁକି ନାଗରିକତ୍ୱ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି? ଏହା ପଛରେ ସରକାରଙ୍କର ଉଦ୍ଦେଶ୍ୟ କ’ଣ? ସଂସଦରେ ବିଲ୍‌ଟି ଆଗତ ହେବା ପରଠାରୁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଏଭଳି ପ୍ରଶ୍ନ କରିଆସୁଛନ୍ତି। ବିଲ୍‌କୁ ରାଜ୍ୟସଭାରେ ଆଗତ କରି ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ବୁଧବାର ସବୁ ପ୍ରଶ୍ନର ଜବାବ ରଖିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ୍‌ କରି ଶାହ କହିଛନ୍ତି, ଆପଣମାନଙ୍କ ଯୁକ୍ତି ସବୁବେଳେ ମୁସ୍‌ଲିମ୍‌ କୈନ୍ଦ୍ରିକ। କିନ୍ତୁ ଆମେ ଧର୍ମକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନେଉନାହୁଁ। ତେବେ ଧାର୍ମିକ ଆଧାରରେ ଯେଉଁମାନେ ନିଜ ଦେଶରୁ ତଡ଼ା ଖାଇ ଭାରତ ଆସିଛନ୍ତି, ସେମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଏଭଳି ପ୍ରୟାସ କରାଯାଇଛି ।

ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ହେଉଛି ମୁସ୍‌ଲିମ୍‌ ବହୁଳ ରାଷ୍ଟ୍ର। ଏଠାରେ ମୁସ୍‌ଲିମ୍‌ମାନେ ସଂଖ୍ୟାଲଘୁ ହୋଇନଥିବାରୁ ସେମାନଙ୍କୁ କୌଣସି ପ୍ରକାରେ ଅବହେଳା କରାଯାଉ ନାହିଁ। ସେମାନଙ୍କ ଉପରେ ଅତ୍ୟାଚାର କରାଯିବା ସମ୍ଭାବନା ବହୁତ କମ୍‌। ଅନ୍ୟପକ୍ଷରେ ଅଣ ମୁସଲମାନ ସମୁଦାୟ ପ୍ରତାରିତ ହୋଇ ପଳାଇ ଆସିଛନ୍ତି। ସେଠାରେ ସେମାନେ ନିଜ ମାଆ-ଭଉଣୀଙ୍କୁ ନେଇ ସୁରକ୍ଷିତ ମଣୁନଥିବାରୁ ଭାରତ ଚାଲିଆସିଛନ୍ତି। ତେଣୁ ସେମାନଙ୍କୁ ଏଭଳି ପରିସ୍ଥିତିରୁ ମୁକୁଳାଇବା ଉଚିତ। ସେମାନଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରାଗଲେ ହିଁ ସେମାନଙ୍କ ସମସ୍ୟା ଦୂର ହୋଇପାରିବ। ଆମେ କେବଳ ସେହି ଉଦ୍ୟମ କରୁଛୁ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଆହୁରି କହିଛନ୍ତି, ପାକିସ୍ତାନ ଓ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟାଲଘୁ ଲୋକଙ୍କଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନିଆଯାଇଛି। ବାଂଲାଦେଶ ରାଷ୍ଟ୍ର ଗଠନ ବେଳେ ପ୍ରଥମେ ସଂଖ୍ୟାଲଘୁଙ୍କ ଅଧିକାରକୁ ଧ୍ୟାନରେ ରଖାଯାଇଥିଲା। କିନ୍ତୁ ପାକିସ୍ତାନ ଓ ଆଫଗାନିସ୍ତାନରେ ତାହା ସମ୍ଭବ ହେଲାନାହିଁ। ଏହି ଦୁଇ ଦେଶରେ ସଂଖ୍ୟାଲଘୁଙ୍କ ୨୦% ଜନସଂଖ୍ୟାକୁ ସମାପ୍ତ କରିଦିଆଗଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଜୋରଜବରଦସ୍ତ ଧର୍ମାନ୍ତରୀକରଣ କରାଗଲା ଏବଂ କେଉଁଠି ଏମାନଙ୍କୁ ହତ୍ୟା କରାଗଲା।

ଏହି ରାଷ୍ଟ୍ରରୁ ଧାର୍ମିକ ଅତ୍ୟାଚାରର ସମ୍ମୁଖୀନ ହୋଇ ସେମାନେ ଶେଷରେ ଭାରତର ଶରଣ ପଶିଲେ। କିନ୍ତୁ ଏଠାରେ ବି ସେମାନଙ୍କୁ ଅବହେଳା କରାଗଲା। ଏହି ବିଲ୍‌ ସେମାନଙ୍କୁ ସୁରକ୍ଷା ଯୋଗାଇଦେବ। ଧାର୍ମିକ ପ୍ରତାରଣାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ନାଗରିକତ୍ୱ ଦେବା ପାଇଁ ବିଜେପି ଏହାର ଇସ୍ତାହାରରେ ଘୋଷଣା କରିଥିଲା ବୋଲି ଶାହ କହିଛନ୍ତି। ଶାହ ଆହୁରି କହିଛନ୍ତି, ନେହରୁ-ଲିୟାକତ ରାଜିନାମାରେ ସମାଜର ସଂଖ୍ୟାଲଘୁ ଲୋକଙ୍କୁ ବହୁସଂଖ୍ୟକ ଭାବେ ସମାନତା ଅଧିକାର ଦେବା ପାଇଁ ବ୍ୟବସ୍ଥା ରହିଥିଲା। ସଂଖ୍ୟାଲଘୁ ଲୋକଙ୍କୁ ବ୍ୟବସାୟ ଓ ପୂଜାର୍ଚ୍ଚନା ପାଇଁ ଅଧିକାର ମିଳିବ ବୋଲି ମଧ୍ୟ ସହମତି ହୋଇଥିଲା। କିନ୍ତୁ ସେଠାରେ ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ବାରଣ କରାଯାଉଛି। ବାରମ୍ବାର ପ୍ରତାରଣା ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଭାରତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନ ବିଚାରପତି ଭଳି ଉଚ୍ଚ ପଦବିରେ ସଂଖ୍ୟାଲଘୁ ରହିଛନ୍ତି । ଏଠାରେ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ରଖାଯାଇଛି ।

ବିଲ୍‌ରେ ୬ଟି ଧର୍ମକୁ ସାମିଲ କରାଯାଇଥିବା ସୂଚନା ଦେଇ ଶାହ କହିଛନ୍ତି, ଏଥିରେ ରୋହିଙ୍ଗ୍ୟାଙ୍କୁ ସାମିଲ କରାଯାଇନାହିଁ। କାରଣ ସେମାନେ ମ୍ୟାଁମାରରୁ ସିଧା ଆସୁନାହାନ୍ତି। ସେମାନେ ବାଂଲାଦେଶ ଦେଇ ଭାରତରେ ଅନୁପ୍ରବେଶ କରୁଛନ୍ତି। ଶାହ ଆହୁରି କହିଛନ୍ତି, କାଶ୍ମୀରରେ ହିନ୍ଦୁ ଏବଂ ବୌଦ୍ଧ ଧର୍ମର ଲୋକ ମଧ୍ୟ ରହୁଛନ୍ତି। କାଶ୍ମୀରରୁ ଧାରା ୩୭୦ ହଟାଯାଇଛି ଏବଂ ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଛି।

ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଶାହ ଲୋକସଭାରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ସାଂସଦ କପିଲ ସିବଲ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକସଭାରେ ବିଲ୍‌ ଉପରେ ବିତର୍କ ବେଳେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ ବୋଲି ଶାହ କହିଥିଲେ। ଏହା ସମ୍ପୂର୍ଣ୍ଣ ଭୁଲ । ତେଣୁ ଶାହ ଏହି ଅଭିଯୋଗକୁ ପ୍ରତ୍ୟାହାର କରିନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର