ଆଜିଠୁ ସମ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର ୨୭/୮ : ଆଜିଠାରୁ ସମ୍‌ ହସ୍ପିଟାଲରେ ମାଗଣାରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ହେବ । ସେପ୍ଟେମ୍ବର ୧ ତାରିଖ ଯାଏ ଏହି ଅସ୍ତ୍ରୋପଚାର ଚାଲିବ । ସପ୍ତାହ ମଧ୍ୟରେ ମିଶନରେ ୧୫୦ରୁ ଅଧିକ ଶିଶୁଙ୍କ ଅସ୍ତ୍ରୋପଚାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍‌ ସ୍ମାଇଲ, ବାଙ୍ଗାଲୋରର ହେଲ୍‌ଥ ଫାଉଣ୍ଡେସନ୍‌ ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମିଳିତ ଭାବେ ଏହି ମିଶନ କାର୍ଯ୍ୟକାରୀ କରୁଛନ୍ତି । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସମ୍‌ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅପରେସନ୍‌ ସ୍ମାଇଲର ପରିଚାଳନା ନିର୍ଦ୍ଦେଶକ (ଭାରତ) ଅଭିଶେକ ସେନ୍‌ଗୁପ୍ତା କହିଛନ୍ତି, ଅସ୍ତ୍ରୋପଚାରରେ ସମ୍‌ ଡାକ୍ତରଙ୍କ ସହିତ ୧୧ ଦେଶରୁ ଆସିଥିବା ୫୩ ଜଣ ବିଶେଷଜ୍ଞ ଡାକ୍ତର ରହିବେ । ନିଶ୍ଚେତକ, ସର୍ଜରୀ, ଡେଣ୍ଟାଲ, ପ୍ଲାଷ୍ଟିକ ସର୍ଜନ, ଶିଶୁରୋଗ, ଇଏନ୍‌ଟି ଭଳି ବିଭାଗର ଡାକ୍ତର ରହିଛନ୍ତି । ଅପରେସନ୍‌ ସ୍ମାଇଲ ପକ୍ଷରୁ ଶିଶୁଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯାଇଥିବା ବେଳେ ସମ୍‌ ହସ୍ପିଟାଲ ପକ୍ଷରୁ ଅସ୍ତ୍ରୋପଚାର ପାଇଁ ମାଗଣାରେ ୫ଟି ଓଟି ଓ ୭୦ ଟି ବେଡ୍‌ ଦିଆଯାଇଛି । ଏହାବାଦ୍‌ ୧ଟି ଆଇସିୟୁ ଓ ୧ଟି ପିକୁ (ଶିଶୁ ଆଇସିୟୁ) ବେଡ୍‌ ସଂରକ୍ଷିତ ରଖାଯାଇଛି । ଅପରେସନ୍‌ ସ୍ମାଇଲ୍‌ ଭାରତର ପ୍ରାୟ ୨୪ଟି ସହରରେ ୨୨ ହଜାର ଅପରେସନ କରିସାରିଛନ୍ତି ।

ବର୍ତ୍ତମାନ ସୋଆ ଏହି କାର୍ଯ୍ୟକୁ ଅଧିକ ସଫଳ କରିବା ପାଇଁ ଅପରେସନ୍‌ ସ୍ମାଇଲ୍‌ ସହିତ ହାତ ମିଳାଇଛି । ପୂର୍ବରୁ ଦୁଇ ଥର ଅପରେସନ୍‌ ସ୍ମାଇଲ ପକ୍ଷରୁ ଓଡ଼ିଶାରେ ମିଶନ କାର୍ଯ୍ୟକାରୀ ହୋଇଥିବା ବେଳେ ୨୮୦ରୁ ଅଧିକ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ସାରିଛି ।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସର ଡିନ୍‌ ପ୍ରଫେସର ଡା. ନୀତା ମହାନ୍ତି କହିଛନ୍ତି, ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଚିହ୍ନଟ ପାଇଁ ସମ୍‌ ଡେଣ୍ଟାଲ କଲେଜର ଇଣ୍ଟର୍ନମାନେ ସମ୍ବଲପୁର, କେନ୍ଦୁଝର, ନୟାଗଡ଼, ଭଦ୍ରକ ଓ କେନ୍ଦ୍ରାପଡ଼ା ଭଳି ୧୭ ଟି ସ୍ଥାନରେ କ୍ୟାମ୍ପ କରିଥିଲେ । ଯେଉଁଥିରୁ ୨୭୦ ଜଣଙ୍କୁ ଚିହ୍ନଟ କରାଇଥିଲା । ସେମାନଙ୍କୁ ଗତକାଲି ଆଣି ସମ୍‌ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା କରାଯିବା ପରେ ୧୫୦ ପାଖାପାଖି ଶିଶୁଙ୍କ ଅସ୍ତ୍ରୋପଚାର କରାଯିବାକୁ ନିଷ୍ପତ୍ତି ହୋଇଛି ।

ସମ୍‌ ହସ୍ପିଟାଲ ଅଧୀକ୍ଷକ ଡା.ସାମନ୍ତସଂହାର କହିଛନ୍ତି, ସମ୍‌ ହସ୍ପିଟାଲ ସବୁବେଳେ ଶସ୍ତାରେ ଚିକିତ୍ସା ଦେବାକୁ ଗୁରୁତ୍ୱ ଦେଇ ଆସିଛି । ଏବେ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ପାଇଁ ମିଳିତ ଭାବେ ମାଗଣାରେ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯାଇଛି । ଘରୋଇ ହସ୍ପିଟାଲରେ ଗ୍ରହଣଖଣ୍ଡିଆ ଶିଶୁର ଅସ୍ତ୍ରୋପଚାର ପାଇଁ ୮୦ରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ୍‌ ହସ୍ପିଟାଲରେ ହେବାକୁ ଥିବା ଏହି ଅସ୍ତ୍ରୋପଚାର ପାଇଁ କୌଣସି ଦେୟ ଦେବାକୁ ହେବନି । ବିଦେଶରୁ ଜଣାଶୁଣା ବିଶେଷଜ୍ଞମାନେ ଆସି ଏଠାରେ ଅସ୍ତ୍ରୋପଚାର କରୁଥିବାରୁ ଅତ୍ୟାଧୁନିକ ଚିକିତ୍ସାର ସୁବିଧା ଓଡ଼ିଆ ଲୋକ ନେବା ଦରକାର ।

ଆଇଡିଏସ୍‌ର ଓରାଲ୍‌ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍‌ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡା. ଶୋଭନ୍‌ ମିଶ୍ର କହିଛନ୍ତି,”ଫ୍ୟୁଚର୍‌ ଅଫ୍‌ ସ୍ମାଇଲ୍‌ସ ମିଶନ୍‌’କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ମାସର ଶିଶୁଙ୍କଠୁ ଆରମ୍ଭ କରି ୬୦ ବର୍ଷ ଯାଏ ଲୋକଙ୍କ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର ହେବ । ଦୁଇ ଦିନ ହେଲା ଶିଶୁଙ୍କୁ ସମ୍‌ ହସ୍ପିଟାଲ ଆଣି ବିଭିନ୍ନ ପରୀକ୍ଷା କରାଯାଉଛି । ତାଳୁରେ ଗ୍ରହଣ ଖଣ୍ଡିଆ ଥିବାରୁ ଖାଇବା ନାକବାଟରୁ ବାହାରି ଯାଉଥିଲା । ଏବେ ଜନ୍ମ ନେଉଥିବା ୭୦୦ ପିଲାଙ୍କ ଭିତରେ ଜଣେ ଗ୍ରହଣ ଖଣ୍ଡିଆ ଶିଶୁ ରହିଛନ୍ତି । ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ, ଏବେ ଆହୁରି ୩୦ ହଜାରରୁ ଅଧିକ ଶିଶୁ ରହିଛନ୍ତି । ଯେଉଁମାନଙ୍କ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର ହୋଇପାରିନି ।

ଅପରେସନ୍‌ ପାଇଁ ଆସିଥିବା ଟିମ୍‌ ସଦସ୍ୟଙ୍କୁ ଆଇଡିଏସ୍‌ଠାରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସମ୍ବର୍ଦ୍ଧିତ କରିବା ସହ ଅପରେସନ୍‌ ସ୍ମାଇଲ୍‌ର ପ୍ରୟାସକୁ ପ୍ରଶଂସା କରିଛନ୍ତି । ପ୍ରଫେସର ବାର୍ନାଜୀ କହିଛନ୍ତି, ଆମେ ଅନ୍ତର୍ଜାତୀୟସ୍ତରର ସ୍ୱାସ୍ଥ୍ୟସେବା ଯୋଗାଇ ପାରିଥିବାରୁ ନିଜକୁ ଗର୍ବିତ ମନେ କରୁଛୁ ।