ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଜଳବାୟୁ ପରିବର୍ତ୍ତନ ବିଗାଡୁଛି ମସ୍ତିଷ୍କ ସ୍ୱାସ୍ଥ୍ୟ, ସ୍ନାୟବିକ ସ୍ଥିତିକୁ ବିପଦ

ନୂଆଦିଲ୍ଲୀ ୧୮/୦୫: ମଣିଷର ମସ୍ତିଷ୍କ ଉପରେ ଜଳବାୟୁ ପକାଉଛି ଭୟାନକ ନକାରାତ୍ମକ ପ୍ରଭାବ । ସ୍ନାୟବିକ ସ୍ଥିତିକୁ ମଧ୍ୟ ବିଗାଡୁଛି । ସଦ୍ୟ ଅଧ୍ୟୟନରୁ ଏହି ଖୁଲାସା ହୋଇଛି । ୟୁନିଭର୍ସିଟି କଲେଜ ଲଣ୍ଡନର ଅନୁସନ୍ଧାନକାରୀ ଟିମ୍‌ ଏହି ଚେତାବନୀ ଜାରି କରିଛନ୍ତି । ଲୋକଙ୍କ ମସ୍ତିଷ୍କ ଉପରେ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବକୁ ସେମାନେ ଉଜାଗର କରିଛନ୍ତି । ଜଳବାୟୁ ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ସ୍ନାୟବିକ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ମସ୍ତିଷ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ତୁରନ୍ତ ବୁଝିବା ସହିତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଲାନ୍‌ସେଟ ନ୍ୟୁରୋଲୋଜି ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି ।

ୟୁନିଭର୍ସିଟି କଲେଜ ଲଣ୍ଡନ କ୍ୱିନ୍‌ ସ୍କେ୍ୱୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁରୋଲୋଜିର ପ୍ରଫେସର ସଞ୍ଜୟ ସିସୋଦିଆ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ । ଏଥିରେ ୧୯୬୮ରୁ ୨୦୨୩ ମସିହା ମଧ୍ୟରେ ୩୩୨ ଅଧ୍ୟୟନର ସମୀକ୍ଷା କରାଯାଇଥିଲା । ଗ୍ଲୋବାଲ ବର୍ଡନ୍‌ ଅଫ୍‌ ଡିଜିଜ୍‌-୨୦୧୬ରେ ଚିହ୍ନଟ ୧୯ ସ୍ନାୟବିକ ସ୍ଥିତି ଉପରେ ସେମାନେ ଫୋକସ୍‌ କରିଥିଲେ । ଏହି ସ୍ନାୟବିକ ସ୍ଥିତି ମଧ୍ୟରେ ଷ୍ଟ୍ରୋକ୍‌, ମାଇଗ୍ରେନ୍‌, ଅଲ୍‌ଜାଇମର୍ସ, ମେନିଙ୍ଗେସ୍‌ (ମସ୍ତିଷ୍କ ଓ ମେରୁଦଣ୍ଡ ଚତୁପାଶ୍ୱର୍ର ସୁରକ୍ଷାତ୍ମକ ପରସ୍ତରେ ପ୍ରଦାହ), ଅପସ୍ମାର ଓ ମଲ୍ଟିପଲ୍‌ ସ୍କେରୋସିସ୍‌ ଆଦି ବିକାର ସାମିଲ । 

ସେତିକି ନୁହେଁ, ଉଦ୍‌ବେଗ, ଅବସାଦ ଓ ସ୍କିଜୋଫ୍ରେନିଆ ଭଳି ସାଧାରଣ ମନସ୍ତାତ୍ତ୍ୱିକ ବିକାର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମଧ୍ୟ ସେମାନେ ପରୀକ୍ଷା କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳିଲା ଯେ କିଛି ମସ୍ତିଷ୍କ ବିକାର, ଖାସ୍‌କରି ଷ୍ଟ୍ରୋକ୍‌, ସ୍ନାୟୁ ପ୍ରଣାଳୀ ସଂକ୍ରମଣ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପକାଏ ବୋଲି ପ୍ରଫେସର ସିସୋଦିଆ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଚରମ ତାପମାତ୍ରା (ଉଭୟ କମ୍‌ ଓ ବେଶି) ଏବଂ ପ୍ରତିଦିନ ତାପମାତ୍ରାରେ ପରିଲକ୍ଷିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ମୁଖ୍ୟତଃ କ୍ଷତିକାରକ । ରାତିରେ ଉଚ୍ଚ ତାପମାତ୍ରା ନିଦରେ ବ୍ୟାଘାତ ସୃଷ୍ଟି କରେ, ବିଭିନ୍ନ ମସ୍ତିଷ୍କ ବିକାର ଆଶଙ୍କା ବଢ଼ାଇଥାଏ । 

ହିଟ୍‌ୱେଭ୍‌ କିମ୍ବା ତାପମାତ୍ରା ବୃଦ୍ଧି ସମୟରେ ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ଅକ୍ଷମତା, ଷ୍ଟ୍ରୋକ୍‌ ସମ୍ପର୍କିତ ମୃତ୍ୟୁହାର ବଢ଼ିଥିବା ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଲେ । ହିଟ୍‌ୱେଭ୍‌, ବନ୍ୟା, ଜଙ୍ଗଲ ନିଆଁ ଭଳି ଚରମ ଜଳବାୟୁ ସ୍ଥିତି ଖାସ୍‌କରି ଡିମେନ୍‌ସିଆ ରୋଗୀଙ୍କ ଉପରେ ଭୟାନକ ପ୍ରଭାବ ପକାଉଛି । ଧୀ-ସମ୍ବନ୍ଧୀୟ ବିକାର ଯୋଗୁ ଏଭଳି ସ୍ଥିତିରେ ଖାପଖୁଆଇବା ସେମାନଙ୍କ ପାଇଁ ସମ୍ଭବ ହେଉ ନାହିଁ । ଏହି ସ୍ଥିତି ଦୁର୍ବଳତା, ବିଭିନ୍ନ ସ୍ୱାସ୍ଥ୍ୟ ବିକାର ଓ ଔଷଧ ସେବନ ଭଳି କାରକ ଦ୍ୱାରା ଅଧିକ ବିଗୁଡ଼ୁଛି । 

ଦୈନନ୍ଦିନ ତାପମାତ୍ରାରେ ଅସ୍ଥିରତା ଓ ଚରମ ତାପମାତ୍ରା ଅନେକ ସ୍ୱାସ୍ଥ୍ୟ ଘଟଣା, ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଓ ମୃତ୍ୟୁହାର ସହ ସଂଶ୍ଳିଷ୍ଟ ବୋଲି ଅଧ୍ୟୟନ ଦର୍ଶାଇଛି । ଜଳବାୟୁ ପରିବର୍ତ୍ତନ ତୀବ୍ର ହେବା ସହିତ ଲୋକେ ଅଧିକ ଗମ୍ଭୀର ପରିବେଶଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ମସ୍ତିଷ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନ ଓ ଭବିଷ୍ୟତ ପ୍ରଭାବକୁ ବୁଝିବା ପାଇଁ ଅଧ୍ୟୟନର ଆବଶ୍ୟକତା ଉପରେ ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି । ବିପଦପୂର୍ଣ୍ଣ ଜଳବାୟୁ ସ୍ଥିତି ମଧ୍ୟରେ ଏହି ଅଧ୍ୟୟନ କରାଯାଉଥିବାରୁ ଉପଯୁକ୍ତ ଓ ଉପଯୋଗୀ ତଥ୍ୟ ପ୍ରଦାନର ଆବଶ୍ୟକତା ରହିଛି ବୋଲି ସିସୋଦିଆ କହିଛନ୍ତି । ପରିବର୍ତ୍ତିତ ଜଳବାୟୁ ସ୍ଥିତି ଅଧୀନରେ ମସ୍ତିଷ୍କ ରୋଗଗୁଡ଼ିକର ଭବିଷ୍ୟତ ସ୍ୱାସ୍ଥ୍ୟ ପରିଣାମ ଉପରେ ଅଧ୍ୟୟନର ଅଭାବକୁ ସେ ଲୋକଲୋଚନକୁ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.