ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୨ ବର୍ଷ ଭିତରେ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୩/୮: ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଭିତ୍ତିଭୂମିର ବିକାଶ, ନୂଆ ବହୁ ଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୂଷା ନଦୀର ପୁନରୁଦ୍ଧାର, ମଠ ଓ ତୀର୍ଥ ପୁଷ୍କରୀଣୀ ଗୁଡିକର ପୁନରୁଦ୍ଧାର ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି । କିଛି ଦିନ ତଳେ ମୁଖ୍ଯମନ୍ତ୍ରୀ ପୁରୀର ଭିତ୍ତିଭୂମି ବିକାଶ ପାଇଁ ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଧ୍ଯ ଅନୁମୋଦନ କରିଥିଲେ ।

ଆଜି ଲୋକସେବା ଭବନଠାରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ସେଠାରେ ଭିତ୍ତିଭୂମିର ବିକାଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତା ସହିତ ପରିବର୍ତ୍ତିତ ପରିସ୍ଥିତିରେ ଶ୍ରୀମନ୍ଦିରର ନିରାପତ୍ତା ଅତ୍ଯନ୍ତ ଜରୁରୀ । ଶ୍ରୀମନ୍ଦିରର ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ମହାପ୍ରଭୁଙ୍କ ସେବା ଭାବରେ ଗ୍ରହଣ କରି ସରକାରଙ୍କ ଉଦ୍ୟମରେ ସହଯୋଗ କରିବା ପାଇଁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ବୈଠକରେ ପୁରୀ ବାଇପାସ୍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ ସେତୁ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ସେତୁ ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ସହ ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ପାଇଁ ଧ୍ଯାନ ଦିଆଯିବ । ଏଠାରେ ଦୋକାନ ବଜାର ମଧ୍ଯ ବ୍ୟବସ୍ଥା କରାଯିବ ଏବଂ ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ବୈଠକରେ ମୂଷା ନଦୀର ବିକାଶ ନେଇ ମଧ୍ୟ ଆଲୋଚନା କରାଯାଇଛି । ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଏବଂ ସେଠାରେ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରିଭର ଫ୍ରଣ୍ଟ ଟୁରିଜମର ବିକାଶ କରାଯିବ ।

ଐତିହାସିକ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ । ଏଥିପାଇଁ ଏଏସଆଇର ସହଯୋଗ ନିଆଯିବ । ଏଥିରେ ୫ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହିସବୁ କାର୍ଯ୍ୟ ୨ ବର୍ଷ ମଧ୍ଯରେ ଶେଷ କରିବା ପାଇଁ ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ଆଇନ୍ ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ଆଇନ୍ ସଚିବ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ପୁରୀ ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ ।