ଆଇଆଇସିଙ୍କୁ ନବୀନଙ୍କ ଚେତାବନୀ: ୫-ଟି ନମାନିଲେ ଦଣ୍ଡ, ଭଲ କାମ କଲେ ପଦୋନ୍ନତି

ଭୁବନେଶ୍ୱର ୧୫/୯: ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି । ଥାନା ଚାଲୁଛି । ମୋ ସରକାର ହେଉଛି ରାଜ୍ୟବାସୀଙ୍କ ସରକାର । ସେମାନଙ୍କ ପ୍ରତି ସମ୍ମାନର ସହ ବ୍ୟବହାର କର ।
ରାଜ୍ୟର ସମସ୍ତ ଥାନାଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ଏମିତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ସେ ସ୍ପଷ୍ଟ କରିଛନ୍ତି, ଯେଉଁ ପୁଲିସ ଅଧିକାରୀମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ମିଳିବ । କାମ ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସେ ନିଜେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଫୋନ୍‌ କରି ସେମାନେ ଥାନାରେ କି ସେବା ଓ ବ୍ୟବହାର ପାଇଲେ ସେ ବିଷୟରେ ବୁଝିବେ । ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପୁଲିସ ବ୍ୟବସ୍ଥାରେ ଏହି ସଂସ୍କାର ଆଣିବାକୁ ଯାଉଛି ।

ଆସନ୍ତା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ଏହାପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଥାନାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଲେ, ଥାନାକୁ ଯେତେବେଳେ ଜଣେ ଅଭିଯୋଗକାରୀ ଆସୁଛି, ସେତେବେଳେ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଆବଶ୍ୟକ। ଆସନ୍ତା ଅକ୍ଟୋବର ୨ ରୁ ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ୍‌ କରି ସେମାନେ କି ପ୍ରକାର ସେବା ପାଇଲେ ପଚାରି ବୁଝିବେ।

ଲୋକଙ୍କ ମତାମତ ଉପରେ ଭଲ କାମ କରିଥିବା ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ। କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କ ଫୋନ ନଂ ପଞ୍ଜୀକରଣ କରାଯିବ। ଏହି ତାଲିକା ସଂପୃକ୍ତ ଜିଲ୍ଲାର ଏସ୍‌ପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପଲବ୍ଧ ହେବ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ, ବରଂ ସରକାରୀ ଅଧିକାରୀ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବେ। ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସେ କହିଲେ, ‘ମୋ ସରକାର’ ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି । ପୂର୍ବରୁ ରାଜ୍ୟ ପୁଲିସ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବା ହେଉ, ହକି ବିଶ୍ୱକପ୍‌ ପରିଚାଳନା ହେଉ ବା ରଥଯାତ୍ରା ପରିଚାଳନା, ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଦେଖାଇଛନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ପୁଲିସ ସଫଳତାର ସହ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ପୁଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାନ୍ତୁ। ସେମାନେ ସରକାରଙ୍କ ‘୫ ଟି’କୁ ମଧ୍ୟ ଫୋକସ୍‌ କରି କାମ କରିବା ଜରୁରୀ। ପୁଲିସ ଡିଜି ବିଜୟ କୁମାର ଶର୍ମା କହିଲେ, ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକକୁ ସମ୍ମାନର ସହ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାମ କରିବାକୁ ପଡ଼ିବ।

‘ମୋ ସରକାର’ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇ ‘ ୫ ଟି’ ସଚିବ ଭି କେ ପାଣ୍ଡିଆନ କହିଲେ, ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ। ‘୫ ଟି’ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମୋ ସରକାର। ଏଥିରେ ଅଭିଯୋଗକାରୀକୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ପୁଲିସ ଥାନାରେ ତା’ର ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବ । ଏହା ହିଁ ହେଉଛି ପରିବର୍ତ୍ତନ। ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ପୁଲିସ ଗାଡ଼ି ପାଇଁ ଆବଶ୍ୟକ ତେଲ ସରକାର ଯୋଗାଇଦେବେ। ଏ ଅଭାବ ଆଗକୁ ଆଉ ରହିବ ନାହିଁ। ଏହାଛଡ଼ା ଥାନାକୁ ଆସୁଥିବା ଭିଜିଟର, ଅଭିଯୋଗକାରୀଙ୍କ ନିମନ୍ତେ ଚା, ପାଣିର ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ବ୍ୟବସ୍ଥା କରିବେ ବୋଲି ଭିଡିଓ କନଫରେନ୍ସିଂ ବେଳେ ସୂଚନା ଦିଆଯାଇଛି। ଏହି ଅବସରରେ ମାଲକାନଗିରି, ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା, ଭୁବନେଶ୍ୱର ମହିଳା ଥାନା ଓ ସମ୍ବଲପୁରର ଗୋଟିଏ ଥାନାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ଏ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

   ସମ୍ବନ୍ଧିତ ଖବର


ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ : ଜାମିନରେ ଆସି ତିନି ଜଣଙ୍କୁ କଲା ରକ୍ତାକ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌

ରାଜ୍ୟ ସରକାରଙ୍କ ଅନଲକ୍‌ ୬.୦‌ ଗାଇଡଲାଇନ୍ : କ’ଣ ରହିବ ବନ୍ଦ ଓ କ’ଣ ଖୋଲା, ପଢନ୍ତୁ…

ପୁଣି କରୋନା ନେଲା ୧୨ ମୁଣ୍ଡ: ମୃତ୍ୟୁସଂଖ୍ୟା ୧୩୨୦କୁ ଛୁଇଁଲା

ରାଜ୍ୟ ସରକାରଙ୍କ ଅନ୍‌ଲକ୍‌-୬ ଗାଇଡଲାଇନ୍‌ ଜାରି : ନଭେମ୍ବର ୧୬ ତାରିଖରୁ ଖୋଲିବ ସ୍କୁଲ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା