ମୋଦିଙ୍କ ଆକ୍ରମଣର ଜବାବ୍‌ ଦେଲେ ନବୀନ: ‘ନିମନ୍ତ୍ରଣ ରହିଲା, ଶପଥକୁ ଆସିବେ’

ଭୁବନେଶ୍ୱର,୨୪ ।୪(ବ୍ୟୁରୋ): କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଆକ୍ରମଣ । ଇଟାର ଜବାବ ପଥରରେ । ଭୋଟଭିକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲେ । ଆଜି ମୁଖ୍ୟମନ୍ତ୍ରୀ ପାଲଟା ହମଲାରେ ନିଜ ଆତ୍ମବିଶ୍ୱାସ ଓ ଦମ୍ଭ ଦେଖାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସଫା ସଫା ଶୁଣାଇଛନ୍ତି, ପ୍ରଧାନମନ୍ତ୍ରୀ ମହୋଦୟ! ଓଡିଶାରେ ବିଜେଡି ସରକାର ଗଠନ କରିବା ନିଶ୍ଚିତ । ତୃତୀୟ ପର୍ଯ୍ୟାୟ ଭୋଟ ପରେ ବିଜେଡି ଏକରକମ ବହୁମତ ପାଇସାରିଲାଣି । ବିଜେଡି ସରକାର ଗଠନର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଆପଣଙ୍କୁ ମୋର ନମ୍ରତାର ସହ ଅନୁରୋଧ ।
ରାଜ୍ୟରେ ଆହୁରି ଗୋଟିଏ ପର୍ଯ୍ୟାୟ ଭୋଟ ବାକି ଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଦମ୍ଭୋକ୍ତି କେବଳ ରାଜ୍ୟ ରାଜନୀତି ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ହଟଚମଟ ଆଣିଛି । ବିଜେଡି ଓ ବିଜେପି ମଧ୍ୟରେ ଟକରା ଟକରି ବଢ଼ି ବଢ଼ି ଚାଲିଛି ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ପ୍ରଚାରରେ ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଭୋଟସଭା କରିଥିଲେ । ଏ ସଭାରେ ମୋଦି ନବୀନଙ୍କ ଉପରେ ସବୁଠାରୁ ଶାଣିତ ଆକ୍ରମଣ କରି କହିଥିଲେ, ନବୀନ ବାବୁ ଆପଣ ଏଥର ନିଶ୍ଚୟ ଯାଉଛନ୍ତି । ଆପଣଙ୍କ ବିଦାହେବା ନିଶ୍ଚିତ ହୋଇଗଲାଣି । ଓଡ଼ିଶାର ଜନସାଧାରଣ ଏବେ ଆପଣଙ୍କୁ ବିଦାୟ ଦେବା ମୁଡ୍‌ରେ । ବିଜେଡି ଏବେ ଯେତେ ତାକତ୍‌ ଲଗାଉ, ଓଡ଼ିଶାରେ ବିଜେପିର ଡବଲ୍‌ ଇଂଜିନ୍‌ ସରକାର ଆସିବାକୁ କେବେ ରୋକି ପାରିବନି । ବିଜେପି ସରକାର ଗଠନ ବେଳକୁ ମୁଁ ପୁଣି ଓଡ଼ିଶା ଆସିବି ।

ପ୍ରଧାନମନ୍ତ୍ରୀଙ୍କର ଏଭଳି ତଗଡ଼ା ଆକ୍ରମଣର ବେଶ୍‌ କାଉଣ୍ଟର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ପ୍ରଚାରରେ ଯାଇଥିଲା ବେଳେ ମୋଦିଙ୍କ ଉପରକୁ ସମାଲୋଚନାର ଶର ମାରିବା ସହ ସୂଚାଇ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ମହୋଦୟ! ଆପଣ ବିଜେପି ସରକାର ଗଠନ ନୁହେଁ, ବିଜେଡି ସରକାର ଗଠନର ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ । ଏଠାରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ । ତେଣୁ ଆପଣଙ୍କୁ ଶପଥ ଉତ୍ସବରେ ଯୋଗଦାନ ପାଇଁ ଏବେଠାରୁ ଆସିବାକୁ ନିମନ୍ତ୍ରଣ ରହିଲା । ଆଶା, ଆପଣ ନିଶ୍ଚୟ ଆସିବେ ।

ମୁଖ୍ୟମନ୍ତ୍ରୀ ଏତିକିରେ ଅଟକିନାହାନ୍ତି । ବିଜେପିକୁ ବେଶ୍‌ ତାତ୍ସଲ୍ୟ ମଧ୍ୟ କରି କହିଛନ୍ତି, ଫାଇଲିନ ହେଲା କେହି ଆସିଲେନି । ତିତଲି ହେଲା, ହୁଡଡୁଡ ହେଲା କେହି ଆସିଲେନି । ମରୁଡି ହେଲା ବି ଆସିଲେନି । ଏବେ ଭୋଟ ମାଗୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ଓଡ଼ିଶାବସୀଙ୍କ ବିପତ୍ତି ଓ ଦୁଃଖ ବେଳେ ଆସିଲେନି । ସମୟ ପାଇଲେନି । ଏବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ସବୁଦିନ ଓଡ଼ିଶା ଆସୁଛନ୍ତି । ପାଲଟା ଆକ୍ରମଣ ସହ ଭୋଟଭିକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରୁଛି । ୪୦ ଲକ୍ଷ ଚାଷୀ ଏହାର ସୁଫଳ ପାଇଛନ୍ତି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଆସିଲେ ପ୍ରଥମ ଦିନ କାଳିଆର ଦୁଇକିସ୍ତି ଟଙ୍କା ମିଳିବ । ବିଜେଡି ମହିଳାଙ୍କ ସହ ରହିଛି । ମିଶନ ଶକ୍ତି ମାଆମାନଙ୍କୁ ଆମେ ୫ ହଜାର କୋଟି ଟଙ୍କାର ବେପାର ଦେବାକୁ ସଂକଳ୍ପ ନେଇଛୁ । ମହିଳାମାନଙ୍କୁ ବିଜେଡି ତାଙ୍କ ହକ୍‌ ଦେଇଛି । ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ସହାୟତାର ଦିଗୁଣା । ମହିଳାମାନେ ହିଁ ପ୍ରକୃତରେ ବିକାଶର ଡବଲ୍‌ ଇଞ୍ଜିନ୍‌ ।
ନବୀନ ପୁଣି ଉପସ୍ଥିତ ଲୋକଙ୍କୁ ପଚାରିଲେ, ବାଲେଶ୍ୱରରେ ମେଡିକାଲ କଲେଜ ହେଲା, ଆପଣମାନେ ଖୁସି ତ? ଏ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୧୦୦ କୋଟି । ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏହି ମେଡିକାଲ କଲେଜକୁ ମଧ୍ୟ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରମିକୋର୍ଟର କ୍ଷମତାସଂପନ୍ନ କମିଟିର ଅନୁମତି ନେଇ ଏ ମେଡିକାଲ କଲେଜ କରିଛନ୍ତି । ଆହାର ଯୋଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି । ସେଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏହା କି ପ୍ରକାର ରାଜନୀତି? ଲୋକଙ୍କ ଉପକାରଠାରୁ ନିଜ ସ୍ୱାର୍ଥକୁ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେଉଥିଲେ ବୋଲି ନବୀନ ଅଭିଯୋଗ କରିଥିଲେ । ଫକୀରମୋହନଙ୍କ ମାଟିର ସ୍ୱାଭିମାନୀ ଓଡ଼ିଆ ଏହାର ଜବାବ ଦେବାକୁ ସେ ଆହ୍ୱାନ ଦେଇଥିଲେ ।
ନବୀନ କହିଲେ, ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର । ଶେଷ ନିଃଶ୍ୱାସ ଯାଏ ମୁଁ ଆପଣମାନଙ୍କର ସେବା କରିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ନବୀନଙ୍କ ସହ ସମସ୍ତ ବିଜେଡି ପ୍ରାର୍ଥୀ ଉପସ୍ଥିତ ରହି ଭୋଟଭିକ୍ଷା କରିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ