ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପିତ; କଳାହାଣ୍ଡି ବିକାଶର ମଡେଲ, ପରବର୍ତ୍ତୀ ପିଢ଼ି ପାଇଁ ଇନ୍ଦ୍ରାବତୀ ପାଣି ସୁରକ୍ଷିତ ରଖିବା ଦରକାର : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧: କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ। କଳାହାଣ୍ଡି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଙ୍ଗଳପୁରଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା, କୋକସରା ଏବଂ ଧର୍ମଗଡ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ।

କରୋନା ମହାମାରୀ ପରିସ୍ଥିତି ପରେ ରାଜ୍ୟ ସରକାର କଳାହାଣ୍ଡିିକୁ ଫୋକସରେ ରଖିଛନ୍ତି। କଳାହାଣ୍ଡିର ସାମଗ୍ରିକ ବିକାଶ ଏବେ ବିଜେଡ଼ିର ପ୍ରାଥମିକ ଏଜେଣ୍ଡା। ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକର ସଂକ୍ରାନ୍ତିରେ କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେଲେ। ୨୦୮୫ କୋଟି ୨୦ ଲକ୍ଷ ୯୦ ହଜାର ଅଟକଳର ୧୦୬ଟି ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଶେଷ କରି ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପ ଜଳସେଚନରୁ ଉଚ୍ଚରେ ଥିବା ୪୩ ଗୋଟି ପଞ୍ଚାୟତର ୯୦ ଗୋଟି ଗାଁ ଜଳସେଚନରୁ ବଞ୍ଚିତ ରହିଥିଲା । ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ସେହି ଗାଁ ଲାଭବାନ ହୋଇପାରିବେ । ଯାହାଫଳରେ ପାଖାପାଖି ୫୦ ହଜାରରୁ ଅଧିକ ଲୋକ ଲାଭବାନ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ସରଗରମ ହୋଇ ଉଠିଥିଲା ଜିଲ୍ଲାର ରାଜନୈତିକ ପାଣିପାଗ। ବହୁ ଛାମୁଆ ନେତାଙ୍କ ଛାଉଣୀ ପାଲଟିଥିଲା କଳାହାଣ୍ଡି । ମୁଖ୍ୟମନ୍ତ୍ରୀ ଉତ୍କେଲା ହେଲିପ୍ୟାଡରେ ଓହ୍ଲାଇବା ପରିବର୍ତ୍ତେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସିଧାସଳଖ ପୂର୍ବାହ୍ନ ୧୧.୨୫ମିନିଟ୍‌ ସମୟରେ ଜୟପାଟଣା ବ୍ଲକ୍‌ର କନକପୁର ହେଲିପ୍ୟାରେ ଓହ୍ଲାଇଥିଲେ। ସେଠାରୁ ମଙ୍ଗଳପୁର ସଭାସ୍ଥଳକୁ୧୧.୩୦ ମିନିଟ ସମୟରେ ପହଞ୍ଚିଥିଲେ। ମଙ୍ଗଳପୁରରେ ୯୮୬.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଡିଜିଟାଲ ସୁଇଚ ଟିପି ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ୧୬୪.୮୬୨କୋଟି ଟଙ୍କା ଅଟକଳର ୫୪ଟି ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୦୨୦.୩୪୭ କୋଟି ଅଟକଳର ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହି ଅବସରରେ ମଙ୍ଗଳପୁରଠାରେ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସେଠାରେ ୩ଟି ମଞ୍ଚର ବ୍ୟବସ୍ଥା କରାଯାଇଛି। ମୁଖ୍ୟମଞ୍ଚ ବ୍ୟତୀତ ଗୋଟିକରେ ସାଂସ୍କୃତିକ ଦଳ ଓ ଅନ୍ୟ ମଞ୍ଚରେ ନେତୃବୃନ୍ଦ ମଂଚାସୀନ ରହିବେ। ସମାବେଶରେ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀ, ପୁଲିସ୍‌ ଅଧିକାରୀ, ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ମୋଟ ୨୫୦୦ ଜନସାଧାରଣ ଯୋଗ ଦେବେ ବୋଲି ଜଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ସମସ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ ପରିସ୍ଥିତି ପରଠୁ ମୁଖ୍ୟମନ୍ତ୍ରୀ କୌଣସି ସାଧାରଣ ସଭାରେ ଯୋଗଦେଇନଥିଲେ। ଦୀର୍ଘ ୯ ମାସ ପରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ। ଆଗକୁ ରହିଛି ପୌର ନିର୍ବାଚନ ଓ ତାହାର ଠିକ୍‌ ପରେପରେ ପଞ୍ଚାୟତ ନିର୍ବାଚନ। ଏହି କାର୍ଯ୍ୟକ୍ରମର ସଫଳତା ଆଗାମୀ ନିର୍ବାଚନ ଉପରେ ଛାପ ଛାଡ଼ିବ ତେଣୁ ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ତଥା ତୃଣମୂଳସ୍ତକୁ ପହଞ୍ଚାଇବା ପାଇଁ ଦଳୀୟସ୍ତରରେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସହିତ ପଞ୍ଚାୟତସ୍ତରର ଜନସାଧାରଣଙ୍କୁ ମଧ୍ୟ ଯୋଡିବାର ମାଷ୍ଟର ପ୍ଲାନ ପୂର୍ବରୁ ପ୍ରସ୍ତୁତ ହୋଇଛି।

ସେଥିପାଇଁ ଜିଲ୍ଲାର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକ୍‌ ଅନ୍ତର୍ଗତ ୩୮ଟି ପଞ୍ଚାୟତରେ ୯୧ଟି ଗ୍ରାମର ଲୋକଙ୍କ ପାଇଁ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଦଳୀୟସ୍ତରରେ ପ୍ରତି ପଞ୍ଚାୟତକୁ ୨ଜଣ ଲେଖାଏଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଦଳର ୬୫ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେମାନେ ଯାଇ ତୃଣମୂଳସ୍ତରରେ କାମ କରିସାରିଛନ୍ତି। ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସମସ୍ତଙ୍କର ଅପେକ୍ଷା।