ବିଜେପିକୁ ନବୀନଙ୍କ କଟାକ୍ଷ: କଥାରେ ଦେଶ ନିର୍ମାଣ ହୁଏନି

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ମାରାଥନ୍‌ ପ୍ରଚାର । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନୀମଣ୍ଡଳୀକୁ ତୋଫାନୀ ଗସ୍ତ କରି ନବୀନ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି । ଏହା ସହ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । କଟାକ୍ଷ ବି କରିଛନ୍ତି । ନବୀନ କହିଛନ୍ତି, ଖାଲି କଥାରେ ଦେଶ ନିର୍ମାଣ ହୁଏ ନାହିଁ । ବିଜେପି ସବୁଠି ଡବଲ୍‌ ଇଞ୍ଜିନ ସରକାର କଥା କହୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବରେ ଡବଲ୍‌ ଇଞ୍ଜିନ୍‌ ଥିଲା । ହେଲେ କ’ଣ ହେଲା? ଏ ସବୁ ରାଜ୍ୟରେ ହାରିଲେ କାହିଁକି?

ନବୀନ ଆହୁରି କହିଛନ୍ତି, ଗୁଜୁରାଟ ମଡେଲ୍‌ର ବହୁତ ପ୍ରଚାର ହେଲା । କିନ୍ତୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ହାରୁହାରୁ ଜିତିଲା । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ମାତ୍ର ୯୯ ଆସନ ପାଇଲା । ଏବେ ସାରା ଦେଶରେ ବିଜେପି ହାରୁଛି ବୋଲି ନବୀନ କହିଛନ୍ତି ।

ନବୀନ ଆଜି ସକାଳେ ଭୁବନେଶ୍ୱରରେ ଭୋଟ୍‌ ଦେବା ପରେ ବାହାରିଥିଲେ ପ୍ରଚାର ଅଭିଯାନରେ । ପ୍ରଥମେ ପହଞ୍ଚିିଲେ ବାଲେଶ୍ୱରରେ । ସାଧାରଣ ସଭାରେ ଉଦ୍‌ବୋଧନ ରଖି ବିଜେପିକୁ ଟାର୍ଗେଟ କଲେ । ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କଲେ ।

ଏହା ପରେ ସେ ଭଦ୍ରକର ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗରରେ ଜୋରଦାର ପ୍ରଚାର କରିଥିଲେ । ସେଠାରୁ ସେ ଯାଇଥିଲେ ଯାଜପୁରର କୋରାଇକୁ । ସେଠି ପ୍ରଚାର ସାରି ଗଲେ ସୁକିନ୍ଦା । ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ମାହାଙ୍ଗା ଓ ସାଲେପୁରରେ ନବୀନ ବିଜେଡି ପାଇଁ ମାରାଥନ୍‌ ପ୍ରଚାର କଲେ । ସାଲେପୁରରେ କେବଳ ବିଜେପିକୁ ନୁହେଁ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବି କଟାକ୍ଷ କରିଛନ୍ତି । ତାଚ୍ଛଲ୍ୟ କରି କହିଛନ୍ତି, କେନ୍ଦ୍ରାପଡା ଲୋକସଭା ଆସନରେ ମୁଁ ଜଣେ ଉଚ୍ଚଶିକ୍ଷିତ ଓ ଜ୍ଞାନୀ ଲୋକଙ୍କୁ ସାଂସଦ କରାଇଥିଲି । ଆପଣମାନେ ତାଙ୍କୁ ଭୋଟ୍‌ ଦେଇ ଦୁଇ ଦୁଇ ଥର ସାଂସଦ କଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଆପଣମାନଙ୍କ ସହ ଏବଂ ମୋ ସହ ବିଶ୍ୱାସଘାତ କରିଛନ୍ତି । ଆଗାମୀ ନିର୍ବାଚନରେ ତାଙ୍କୁ ଏହାର ଉଚିତ୍‌ ଜବାବ ମିଳିବ ବୋଲି ନବୀନ କହିଥିଲେ ।

ଆଜି ସବୁଠି ନବୀନଙ୍କ ଉଦ୍‌ବୋଧନ ଥିଲା ଆକ୍ରମଣାତ୍ମକ । ଶାଣିତ କଟାକ୍ଷ ବି କରିଥିଲେ ବିଜେପିକୁ । ନବୀନ କହିଲେ, କେବଳ ଭୋଟ୍‌ବେଳେ ବିଜେପି ନେତାଙ୍କର ଓଡ଼ିଶା କଥା ମନେ ପଡ଼େ । ବନ୍ୟା, ଫାଇଲିନ୍‌, ତିତ୍‌ଲି, ହୁଡ୍‌ହୁଡ୍‌, ମରୁଡ଼ିବେଳେ କେହି ଆସିଲେ ନାହିଁ । ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୨୦୧୪ରେ ବିଜେପି ବହୁ ମତରେ କେନ୍ଦ୍ରରେ ସରକାର ଗଠନ କଲା । ଲୋକଙ୍କର ବହୁତ ଆଶା ଥିଲା । କିନ୍ତୁ ୫ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଛି । ବିମୁଦ୍ରୀକରଣରେ ଲୋକେ ହଇରାଣ ହେଲେ । ଜିଏସ୍‌ଟିରେ ବହୁ ଲୋକ ରୋଜଗାର ହରାଇଲେ । ଚାଷୀ ପାଇଁ କିଛି କଲେ ନାହିଁ । ଚାଷୀ, ମହିଳା, ଯୁବକ, ଗରିବ, ଏସ୍‌ସି-ଏସ୍‌ଟି, ସାଧାରଣ ଲୋକେ ସବୁ ହତାଶ । ସେଥିପାଇଁ ବିଜେପି ସବୁଠି ହାରୁଛି ବୋଲି ନବୀନ କହିଲେ ।

ସେ ଆହୁରି କହିଲେ, ଏଥର ବିଜେଡି ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ର ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା ୫ଲକ୍ଷ ଟଙ୍କା ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଶେଷ ନିଃଶ୍ୱାସ ଥିଲା ଯାଏ ଓଡ଼ିଶାବାସୀଙ୍କ ସେବା କରିବେ ବୋଲି ନବୀନ କହିଥିଲେ ।

   ସମ୍ବନ୍ଧିତ ଖବର


ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…