ସରକାର ଚାଷୀ ପରିବାର ସହ ଅଛି: ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୨୫ା୨(ଆପ୍ର): ରାଜ୍ୟ ସରକାର ସର୍ବଦା ଚାଷୀ ପରିବାର ସହିତ ରହିଛି । ଚାଷୀ ଭାଇଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର କାମ କରୁଛି ଓ ଆଗକୁ ମଧ୍ୟ କରି ଚାଲିବ । କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ବଜେଟ, କୃଷି ନୀତି ସହିତ କୃଷି କ୍ୟାବିନେଟ ଗଠନ ହୋଇଛି । କାଳିଆ ଯୋଜନା ଓ କାଳିଆ ଛାତ୍ରବୃତ୍ତିରେ ଚାଷୀ ପରିବାରର ଉନ୍ନତି ସହ କୃଷି ଅର୍ଥନୀତିକୁ ମଜବୁତ କରିବ ବୋଲି ନୂଆପଡ଼ା ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଅବସରରେ ସ୍ଥାନୀୟ ଗୋତମାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଉତ୍କଳ ଦିବସରେ ମିଳିବ । କାଳିଆ ଯୋଜନା ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ଏହି ଯୋଜନା ସମଗ୍ର ରାଜ୍ୟର ଚାଷୀଙ୍କୁ ରାସ୍ତା ଦେଖାଇଛି । ଚାଷୀଙ୍କ ଗରିବୀ ଦୂର ହେବା ସହ ଚାଷୀର ଉନ୍ନତି ପାଇଁ କାଳିଆ ଯୋଜନା ଏକ ଅମୋଘ ଅସ୍ତ୍ର । ଚାଷୀ ଓ ମିଶନ ଶକ୍ତିର ମାଁ ମାନଙ୍କୁ ବିନା ସୁଧରେ ଋଣ ସଶକ୍ତ କରିବ । କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରୁ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକ ବଞ୍ଚିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଏମାନଙ୍କୁ କେନ୍ଦ୍ର ଯୋଜନାରେ ସାମିଲ କରିବାକୁ ଦାବି କରିଥିଲେ । କାଳିଆ ଯୋଜନା କେନ୍ଦ୍ରର ସମସ୍ତ ଯୋଜନା ଠାରୁ ସର୍ବୋତ୍ତମ । କେନ୍ଦ୍ର ସରକାର ଚାଷୀଙ୍କୁ ୬ ହଜାର ବଦଳରେ ୧୦ ହଜାର ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଆଜି ମଧ୍ୟାହ୍ନ ୧୨ଟାରେ ଗୋତମା ଏୟାରଷ୍ଟ୍ରିପରେ ସ୍ୱତନ୍ତ୍ର ହେଲିକେପ୍ଟରରୁ ମୁଖ୍ୟମନ୍ତ୍ରୀ ଅବତରଣ କରିଥିଲେ । ସେଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଏସପି ସ୍ମିତ ପି ପରମାର ସ୍ୱାଗତ ସମ୍ୱର୍ଦ୍ଧନା ଦେଇଥିଲେ । ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ସଭାସ୍ଥଳକୁ ପହଞ୍ଚିଥିଲେ । ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ କାଳିଆ ଯୋଜନାରୁ ଉପକୃତ ହିତାଧିକାରୀ ଗିଧନିପାନିର ହେମସାଗର ରାଉତ ଓ ପଲସଦାର ସାଧୁରାମ ବେହେରା, ମିଶନ ଶକ୍ତି ଯୋଜନାର ଉପକୃତ ହିତାଧିକାରୀ ପୁଷ୍ପାଞ୍ଜଳି ମହାନନ୍ଦ, ନିର୍ମାଣ ଶ୍ରମିକରେ ଉପକୃତ ହିତାଧିକାରୀ ଲିମଡିହିର କୁଶଳ ସାହୁ ଓ ଜଟଗଡ଼ର ଘାସିରାମ ସୁନାନୀ ପ୍ରମୁଖ ୬ ଜଣ ହିତାଧିକାରୀ ମଞ୍ଚାସୀନ ଥିଲେ ।
ଜିଲ୍ଲାର ଉନ୍ନତି ସକାଶେ ୨୩୭ କୋଟି ୩୪ ଲକ୍ଷ ୮୭ ହଜାର ଅଟକଳର ପ୍ରାୟ ୩୯ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବିଶେଷତଃ ସେତୁ ଓ ପାନୀୟ ଜଳ ପ୍ରକଳ୍ପର ଭିତ୍ତିଭୂମି ବିକାଶକୁ ଗୁରତ୍ୱ ଦିଆଯାଇଛି । ଏହି ଅବସରରେ ୧୭ ଶହ ପଞ୍ଜିକୃତ ଶ୍ରମିକଙ୍କୁ ସାଇକଲ, ୨୯୧୯ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷା ସହାୟତା, ୮୪ ଶ୍ରମିକଙ୍କ ପରିବାରକୁ ମୃତ୍ୟୁ କାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି ଖର୍ଚ୍ଚ, ୪୧୦ ଜଣ ଶ୍ରମିକଙ୍କୁ ବିବାହ ସହାୟତା ଓ ୧୫୨ ଜଣ ଶ୍ରମିକଙ୍କୁ ପ୍ରସୂତି ସହାୟତାରେ ସର୍ବ ମୋଟ ୫୩୪୯ ଜଣ ଶ୍ରମିକଙ୍କୁ ମୋଟ ୩ କୋଟି ୮୫ ଲକ୍ଷ ୫୭ ହଜାର ସହାୟତା ରାଶି ପ୍ରଦାନ କରିଥିଲେ । କାଳିଆ ଯୋଜନାରେ ଜିଲ୍ଲାର ୬୯,୬୩୦ ଚାଷୀଙ୍କୁ ୩୪ କୋଟି ୮୧ ଲକ୍ଷ ସହାୟତା ରାଶି ପାଇସାରିଛନ୍ତି । ଜିଲ୍ଲାର ୧୦,୫୨୯ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ୬୨୨୨ ଗୋଷ୍ଠୀଙ୍କୁ ସିଡ୍‌ ମନି ଭାବରେ ଗୋଷ୍ଠୀ ପିଛା ୧୫ ଶହ ହିସାବରେ ୯ କୋଟି ୩୩ ଲକ୍ଷ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଡିଜିଟାଲ ସଶକ୍ତିକରଣ ନିମନ୍ତେ ପ୍ରତି ଗୋଷ୍ଠୀଙ୍କୁ ସ୍ମାର୍ଟଫୋନ ପାଇଁ ୩ ହଜାର ସହାୟତା ପ୍ରଦାନ, ଜିଲ୍ଲାର ଦୁଇଟି ସଂଘକୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା, ଅଙ୍ଗୱାଡି କର୍ମୀ ଓ ସହକର୍ମୀଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୭ ଲକ୍ଷ ୫୬ ହଜାର ସହାୟତା ପ୍ରଦାନ କରିଥିଲେ । ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଯୋଜନା ଯାହାକି ବିଶ୍ୱର ସର୍ବବୃହତ ଯୋଜନା ‘ଜାଗା ମିଶନ’କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।
ଏହି ଅବସରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡି ଲୋକସଭା ସାଂସଦ ଅର୍କକେଶରୀ ସିଂ ଦେଓ, ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ପୂର୍ବତନ ସାଂସଦ ଏଭି ସ୍ୱାମୀ, ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ନିଗମ, ବିଧାନ ସଭାପତି ସୁଧୀର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଲମ୍ୱୋଦର ନିଆଲ, ସେଫାଲି ସେଲମା, ପୁଷ୍ପାଞ୍ଜଳି ପାଣ୍ଡେ, ଯୁବନେତା ଅବନୀ ରଂଜନ ଯୋଷୀ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସିତୁ ବୋଧନକର, ନିଶାନ୍ତ ଡାଗା, ସେହବାଜ ହୁସେନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।

   ସମ୍ବନ୍ଧିତ ଖବର


ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଓ ଫ୍ରାଞ୍ଚାଇଜ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଅ: ଯୁବ କଂଗ୍ରେସ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଡର ଭିତରେ ବିଧାନସଭା

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ