ସିଏମ୍‌ସି ପକ୍ଷରୁ ଜୋର୍‌ ଧରିଲା ପଲିଥିନ୍‌ ଚଢ଼ଉ: ଜବତ ହେଲା ୨ ଟ୍ରାକ୍ଟର୍‌ ଥର୍ମୋକୁଲ୍‌, ପଲିଥିନ୍‌

କଟକ ୨୦/୮ : ପରିବେଶ ସୁରକ୍ଷା ପାଇଁ ପଲିଥିନ୍‌ ଆଉ ଥର୍ମୋକୁଲ୍‌ ସାମଗ୍ରୀ ଉପରେ ରୋକ୍‌ ଲଗାଇଲେ ସରକାର । ସହରରେ ଏହାର ବିକ୍ରି ଉପରେ ମଧ୍ୟ ରୋକ୍‌ ଲଗାଗଲା । ନିୟମ ଉଲଂଘନ କଲେ ସିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ବ୍ୟବସ୍ଥା ହେଲା । ତେବେ ସିଏମ୍‌ସି ପକ୍ଷରୁ ନାମକୁ ମାତ୍ର ଚଢଉ କରାଯାଉଥିବାରୁ ସହରରେ ବେଧଡ଼କ ଭାବେ ଏ ସବୁ ସାମଗ୍ରୀ ବିକ୍ରି ଚାଲିଛି । ଆଜି ସିଏମ୍‌ସିର ଚେତା ପଶିବା ପରେ ପଲିଥିନ୍‌ ଚଢ଼ଉ ଜୋର୍‌ ଧରିଛି ।

ସିଏମ୍‌ସି ପକ୍ଷରୁ ଗୋଟିଏ ଦିନରେ ୨୦ରୁ ଅଧିକ ଦୋକାନରେ ଚଢଉ କରାଯାଇ ୨ଟ୍ରାକ୍ଟର୍‌ ତଥା ପାଖାପାଖି ୨କ୍ୱିଣ୍ଟାଲ୍‌ ପଲିଥିନ୍‌ ଓ ଥର୍ମୋକୁଲ୍‌ ଜବତ କରାଯାଇଛି । ବିଭିନ୍ନ ବ୍ୟବସାୟୀଙ୍କ ପାଖରୁ ପାଖାପାଖି ୩୩ ହଜାର ଜରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏହି ସାମଗ୍ରୀ ବିକ୍ରି ନ କରିବା ପାଇଁ ତାଗିଦ୍‌ କରାଯାଇଛି । ତେବେ ଏହି ଚଢଉ କେବଳ ବ୍ୟବସାୟୀଙ୍କ ମଧ୍ୟରେ ସୀମିତ ଥିବା ବେଳେ ଶିଳ୍ପାନୁଷ୍ଠାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସହରର ପରିମଳ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏମିତିକି ସାମାନ୍ୟ ବର୍ଷାରେ ମଧ୍ୟ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଏହି ସମସ୍ତ ମୂଳକାରଣ ହେଉଛି ପଲିଥିନ୍‌ ଓ ଥର୍ମୋକୁଲ୍‌ର ବହୁଳ ବ୍ୟବହାର । ଦୈନିକ ବାହାରୁଥିବା ଟନ୍‌ ଟନ୍‌ ଆବର୍ଜନା ମଧ୍ୟରୁ ଅଧିକାଂଶ ହେଉଛି ପଲିଥିନ୍‌୍‌ ସାମଗ୍ରୀ । ଯାହା ପରିବେଶ ପ୍ରଦୂଷଣ କରୁଛି । ଡ୍ରେନ୍‌ରେ ପଡି ପାଣି ନିଷ୍କାସନରେ ବାଧା ଉପୁଜୁଛି । ପଲିଥିନ୍‌ ବିକ୍ରି ଉପରେ ରୋକ୍‌ ଲଗାଯିବା ପରେ ବ୍ୟବସାୟୀଙ୍କୁ ସିଏମ୍‌ସି ପକ୍ଷରୁ ବିକ୍ରି ନ କରିବାକୁ ତାଗିଦ୍‌ କରାଯାଇଥିଲା । ହେଲେ ସେମିତି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନ ଥିଲା ।

ଏମିତିକି ସହରରୁ ଜବତ ପଲିଥିନ୍‌ ସିମେଣ୍ଟ୍‌ କମ୍ପାନୀ ପଠାଇବାକୁ ମଧ୍ୟ ସିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ତେବେ ଏହି ଯୋଜନା କାର୍ଯ୍ୟକାରୀ ନ ହେବାରୁ ଜବତ ପଲିଥିନ୍‌ ଓ ଥର୍ମୋକୁଲ୍‌ ସାମଗ୍ରୀ ରଖିବାରେ ଜାଗାର ଅଭାବ ପରିଲକ୍ଷିତ ହୋଇଥିଲା । ଯାହାଦ୍ୱାରା ଗତ କିଛି ମାସ ହେବ ସିଏମ୍‌ସି ପକ୍ଷରୁ ଚଢଉ ମଧ୍ୟ ଏକ ପ୍ରକାରର ଠପ୍‌ ହୋଇଯାଇଥିଲା ।ମାତ୍ର ସ୍ଥିତି ଅସମ୍ଭାଳ ହେବାରୁ ଆଜି ଡେପୁଟି କମିସନର ଅବିନାଶ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ଚୌଧୁରୀ ବଜାରରୁ ନନ୍ଦି ସାହି, କେଉଟ ସାହି, ପିଠାପୁର, ଦୋଳମୁଣ୍ଡାଇ, ବଜ୍ରକବାଟୀ ରୋଡ୍‌ ପର୍ଯ୍ୟନ୍ତ ପ୍ରାୟ ୨୦ରୁ ଅଧିକ ଦୋକାନରେ ଚଢଉ କରାଯାଇଥିଲା । ଦୋକାନରୁ ପ୍ରାୟ ୨କ୍ୱିଣ୍ଟାଲ୍‌ର ଥର୍ମୋକୁଲ ଥାଳି, ପ୍ଲାଷ୍ଟିକ୍‌ ଗ୍ଲାସ୍‌, ପଲିଥିନ୍‌ ଆଦି ଜବତ କରାଯାଇଥିଲା ।

ଯେଉଁ ଦୋକାନରୁ ଏହି ସାମଗ୍ରୀ ଜବତ ହୋଇଥିଲା ସଂପୃକ୍ତ ବ୍ୟବସାୟୀଙ୍କ ଠାରୁ ୩୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ତେବେ ସିଏମ୍‌ସି ପକ୍ଷରୁ କେବଳ ଦୋକାନରେ ଚଢଉ କରାଯାଉଥିବା ବେଳେ ଶିଳ୍ପାଞ୍ଚଳରେ ବେଧଡକ ଭାବେ ପଲିଥିନ୍‌ ତିଆରି ଚାଲିଛି । ସିଏମ୍‌ସି ପକ୍ଷରୁ ଆଜି ପର୍ଯ୍ୟନ୍ତ ଥରୁଟିଏ ବି ଏହି କମ୍ପାନି ଉପରେ ଚଢଉ କରାଯାଇନାହିଁ । ଏ ନେଇ ଡେପୁଟି କମିସନର ଅବିନାଶ ରାଉତ କହିଛନ୍ତି ଯେ, ଚଢଉ ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ । ଜବତ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ୍‌କୁ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ଲାଷ୍ଟିକ୍‌ ରି ସାଇକ୍ଲିଂ ପ୍ଲାଣ୍ଟ୍‌କୁ ପଠାଯିିବ ।

ସେହିପରି ଶିଳ୍ପାନୁଷ୍ଠାନରେ ମଧ୍ୟ ଚଢଉ କରାଯିବ । ଆଜିର ଏହି ଚଢଉରେ ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ପ୍ରଭାକର ସାହୁ, ଆର୍‌ଆଇ ବଂଶୀଧର ସାହୁ, ଅମିନ ନିରଞ୍ଜନ ବ୍ରହ୍ମା, ରବୀନ୍ଦ୍ର ବାରିକଙ୍କ ସମେତ ବିଭିନ୍ନ ଅଧିକାରୀ ଓ ପୁଲିସ୍‌ କର୍ମଚାରୀ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !