ଅଚାନକ ଆସିଥିଲା, ଅଚାନକ ଚାଲିଗଲା: ‘କୋକୋ’କୁ ନେଇଗଲା ବନ ବିଭାଗ, ଆଜି ନନ୍ଦନକାନନରେ ଛଡ଼ାଯିବ

କଟକ,୧୯/୦୧: ପୁଣି ଥରେ ନାଟକୀୟ ମୋଡ଼ ନେଇଛି କଟକ ମଧୁସୂଦନ ନଗରର ଚର୍ଚ୍ଚିତ ଶୁଆ ‘କୋକୋ’ର କାହାଣୀ । ହଜିବା, ପୁରସ୍କାର ଘୋଷଣା ହେବା, ମିଳିବା.. ଭଳି ଘଟଣାକ୍ରମ ଭିତରେ ସାରା ରାଜ୍ୟରେ ନିଆରା ଏକ ପରିଚିତି ପାଇସାରିଥିବା ‘କୋକୋ’କୁ ମଙ୍ଗଳବାର ବନ ବିଭାଗ ଜବତ କରି ନେଇଯାଇଛି । ବର୍ଷକ ତଳେ ଆହତ ଅବସ୍ଥାରେ ଅଚାନକ ଦିନେ କଲେଜ ପରିସରରୁ ଉଦ୍ଧାର ହୋଇଥିବା କୋକୋ ଆଜି ବର୍ଷକ ପରେ ପୁଣି ପ୍ରଫେସର ସୁସ୍ମିତା ବେହେରାଙ୍କ ପୂରା ପରିବାରକୁ ଦୁଃଖ ଦେଇ ଅଚାନକ ଚାଲିଯିବା ଘଟଣା ସାରା ସହରରେ ଆଲୋଚ୍ୟ ବିଷୟ ପାଲଟିଛି । ବର୍ଷେ କାଳ ପ୍ରଫେସର ବେହେରା ନିଜ ପୁଅ ଭଳି ସ୍ନେହ, ଶ୍ରଦ୍ଧାରେ ପାଳି ଆସୁଥିବା ‘କୋକୋ’କୁ ବନ ବିଭାଗ ବନ୍ୟଜନ୍ତୁ ଆଇନ ଆଳରେ ଜବରଦସ୍ତ ଛଡ଼ାଇନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଇନର କାର୍ଯ୍ୟକାରିତା ନେଇ ପ୍ରଶ୍ନ ବି ଉଠିଛି ।
ତୁଳସୀପୁର ମଧୁସୂଦନ ନଗର ଅଞ୍ଚଳର ପ୍ରଫେସର ସୁସ୍ମିତା ବେହେରାଙ୍କ ଘରୁ ତାଙ୍କ ପାଳିତ ଶୁଆ ‘କୋକୋ’ କିଛି ଦିନ ତଳେ କେଉଁଆଡ଼େ ଚାଲି ଯାଇଥିଲା । ଯିଏ ଶୁଆଟି ସମ୍ପର୍କରେ ସୂଚନା ଦେବେ ତାଙ୍କୁ ୫ ହଜାର ଟଙ୍କାର ପୁରସ୍କାର ଦେବେ ବୋଲି ସେ ଲିଫ୍ଲେଟ୍ ବାଣ୍ଟି ଘୋଷଣା କରିଥିଲେ । ଏ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଗତ ୧୭ ତାରିଖରେ ଭୁବନେଶ୍ୱରର କେଶୁରାରୁ ‘କୋକୋ’ ଉଦ୍ଧାର ହୋଇଥିଲା । ଶୁଆ ମିଳିଯିବା ପରେ ପ୍ରଫେସର ସୁସ୍ମିତା ବେହେରାଙ୍କ ଘରେ ଖୁସିର ଲହରୀ ଖେଳି ଯାଇଥିଲା । ହଜି ଯାଇଥିବା ଶୁଆକୁ ପାଇ ପରିବାର ଯେମିତି କୋଟିନିଧି ପାଇ ଯାଇଥିଲେ । କିନ୍ତୁ ଏହି ଖୁସି ସୁସ୍ମିତାଙ୍କ ପରିବାରରେ ୨୪ ଘଣ୍ଟା ମଧ୍ୟ ରହିଲାନି । ମଙ୍ଗଳବାର କଟକ ସିଟି ଫରେଷ୍ଟ ଡିଭିଜନ୍ର ଅଧିକାରୀମାନେ ସୁସ୍ମିତାଙ୍କ ଘରେ ଦିନ ୨ଟାରେ ପହଞ୍ଚି ଶୁଆଟିକୁ ଜବତ କରି ନେଇଥିଲେ । ବୁଧବାର ଶୁଆକୁ ନନ୍ଦନକାନନରେ ଛଡ଼ାଯିବ ବୋଲି କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ ପ୍ରକାଶ କରିଛନ୍ତି । ଜଙ୍ଗଲ ବିଭାଗର ଏହି ଟିମ୍ରେ ରେଞ୍ଜ ଅଫିସର ଶ୍ରୀ ସାହୁଙ୍କ ସମେତ ଏସିଏଫ୍ ଅନନ୍ତ ଚରଣ ପ୍ରଧାନ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ, ଫରେଷ୍ଟ ଗାର୍ଡ ଏବଂ ଆଉ କେତେଜଣ କର୍ମଚାରୀ ସାମିଲ୍ ଥିଲେ । ବନ ବିଭାଗ ଅଧିକାରୀଙ୍କ କହିବା କଥା, ଶୁଆ ବନ୍ୟଜନ୍ତୁ ଆଇନର ସିଡୁଲ୍-୪ରେ ଆସୁଛି । ଅର୍ଥାତ ଯେଉଁ ପକ୍ଷୀ ବା ପଶୁ ଏହି ପର୍ଯ୍ୟାୟରେ ଆସିଥାନ୍ତି ସେମାନଙ୍କୁ କେହି ଘରେ ପାଳିତ କରି ରଖିପାରିବେ ନାହିଁ । ଯଦି କେହି ଘରେ ରଖନ୍ତି ତାହେଲେ ତାଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
କିନ୍ତୁ ବନ ବିଭାଗର ଏଭଳି ବୟାନକୁ ନେଇ ନାନା ପ୍ରଶ୍ନ ଉଠିଛି । ଲୋକଙ୍କ କହିବା କଥା, ଅଧିକାଂଶ ଲୋକଙ୍କ ଘରେ ଶୁଆ ପାଳନ କରାଯାଇଥାଏ । ସେମାନଙ୍କୁ ପଞ୍ଜୁରୀରେ ରଖାନଗଲେ ମଧ୍ୟ ଘର ଛାଡ଼ି ସେମାନେ କେଉଁଆଡ଼େ ଚାଲି ଯାଆନ୍ତି ନାହିଁ । ସେମାନେ ଘରର ଜଣେ ଜଣେ ସଦସ୍ୟ ଭଳି ଚଳିଥାଆନ୍ତି । ଏଭଳି କ୍ଷେତ୍ରରେ ପୋଷା ମାନି ଯାଇଥିବା ଉକ୍ତ ପକ୍ଷୀଙ୍କୁ କ’ଣ ପାଇଁ ଜଙ୍ଗଲ ବିଭାଗ ଜବତ କରୁଛି? କେବଳ ଘରେ ନୁହେଁ, ଅନେକ ଲୋକ ଶୁଆଙ୍କୁ ରାସ୍ତା ଉପରେ ମଧ୍ୟ ବିକ୍ରି କରୁଥିବାର ଦେଖିବାକୁ ମିଳିଥାଏ । ସେ କ୍ଷେତ୍ରରେ କ’ଣ ପାଇଁ ବନବିଭାଗ ନିରବଦ୍ରଷ୍ଟା ସାଜୁଛି? ଘରେ ରହି ପରିବାରର ଜଣେ ସଦସ୍ୟ ଭଳି ଚଳୁଥିବା ଶୁଆ ‘କୋକୋ’କୁ ଜବତ କରି ବନ ବିଭାଗ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ଅନେକ ପଶୁ, ପକ୍ଷୀପ୍ରେମୀ ମଧ୍ୟ ପ୍ରଶ୍ନ କରିଛନ୍ତି ।