କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା: ନବୀନ

ଭୁବନେଶ୍ୱର ୨୦/୪: ରାଜ୍ୟସ୍ତରୀୟ ଫର୍ମୁଲା ପଞ୍ଚାୟତକୁ ଯିବ । ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବେ ତାଙ୍କର ପଞ୍ଜୀକରଣ ବାଧ୍ୟତାମୂଳକ ଭାବେ କରାଯିବ । ତାଙ୍କୁ ପଞ୍ଚାୟତର କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରଖାଯିବ । ଏହାପରେ ସେ ନିଜ ଘରକୁ ଯିବେ । ଏହାଦ୍ୱାରା କରୋନା ସଂକ୍ରମଣରେ ତାଲା ଲାଗିବ । ଓଡ଼ିଶାରେ କରୋନାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିହେବ । କରୋନା ଯୁଦ୍ଧର ରୋଡମ୍ୟାପ୍‌ ପ୍ରସ୍ତୁତ କରି ଏମିତି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତସ୍ତରରେ ଏ ଫର୍ମୁଲାର ସଫଳତା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ଭଳି କ୍ଷମତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଏକ ଐତିହାସିକ ନିଷ୍ପତ୍ତି । କୋଭିଡ୍‌-୧୯ ଲଢ଼େଇରେ ପଞ୍ଚାୟତ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ନିଶ୍ଚିତ ଅଛନ୍ତି ।

ରାଜ୍ୟ ସରକାର କରୋନା ବିରୋଧରେ ଲଢ଼େଇକୁ ବେଶ ତେଜୀୟାନ୍‌ କରି ସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛନ୍ତି । କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ନବୀନଙ୍କ ମଡେଲକୁ ନେଇ ଜାତୀୟସ୍ତରରେ ମଧ୍ୟ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆଜି (ରବିବାର) ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ମୋ ପାଇଁ ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ । ସମ୍ମାନଜନକ ଭାବେ ପ୍ରତି ଜୀବନର ସୁରକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । କରୋନା ଲଢ଼େଇ ହେଉଛି ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ସାବଧାନ ହୋଇ ରହିବାକୁ ପଡ଼ିବ । ଅନ୍ୟ ରାଜ୍ୟରୁ ଯେଉଁମାନେ ଗାଁ କୁ ଫେରୁଛନ୍ତି ସେମାନଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ ଭାବେ କରାଯିବ । ସେମାନଙ୍କ ପରିବାର ଲୋକ ଓ ବନ୍ଧୁ ପଞ୍ଚାୟତରେ ପଞ୍ଜୀକରଣ କରିବେ । ବାହାରୁ ଫେରିଥିବା ଏ ବ୍ୟକ୍ତିମାନଙ୍କୁ ପଞ୍ଜୀକରଣ ପରେ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ୧୪ ଦିନ ରଖାଯିବ । ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ଖର୍ଚ୍ଚ ସବୁ ମାଗଣାରେ ଯୋଗାଇ ଦିଆଯିବ । ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ସରିବା ପରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ୨ ହଜାର ଟଙ୍କାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପଞ୍ଜୀକରଣ ଓ କ୍ୱାରେଣ୍ଟାଇନରେ ରହିବା ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ସହ ରାଜ୍ୟର ମଙ୍ଗଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମାନବୀୟ ଦୃଷ୍ଟିକୋଣରୁ ଗ୍ରହଣ କରି ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହାକୁ ସଫଳ କରିବାକୁ କୋଭିଡ୍‌-୧୯ ଆଇନରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ଦିଆଯାଉଛି । ସେମାନେ ବାହାରୁ ଫେରୁଥିବା ଲୋକମାନେ କିଭଳି ପଞ୍ଜୀକରଣ କରିବେ ଏବଂ କ୍ୱାରେଣ୍ଟାଇନରେ ରହିବେ ତାହାକୁ ଅନୁଧ୍ୟାନ କରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଓ ପୌରସଂସ୍ଥାର ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍‌ ଭାବେ ମୁକାବିଲା କରିପାରିବା । ପୌରସଂସ୍ଥାଗୁଡ଼ିକରେ ମଧ୍ୟ ଏହି ଢ଼ାଞ୍ଚା ଆପଣେଇବେ ସରକାର । ରାଜ୍ୟର ସମସ୍ତ ପୌରାଞ୍ଚଳରେ ମଧ୍ୟ ବାହାର ଫେରିବା ବ୍ୟକ୍ତିଙ୍କର ପଞ୍ଜୀକରଣ ସହ କ୍ୱାରେଣ୍ଟାଇନରେ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଳେଖଯୋଗ୍ୟ, ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ସହ କ୍ୱାରେଣ୍ଟାଇନରେ ରହିବାର ଫର୍ମୁଲା ରାଜ୍ୟସ୍ତରରେ ଗତ ମାସରେ ସଫଳ ହେବା ପରେ ଏବେ ଲକଡାଉନ୍‌ ଖୋଲିବା ପରେ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ନିଜ ଘରକୁ ଫେରିବାକୁ ଥିବାରୁ ସରକାର ଏ ଫର୍ମୁଲାକୁ ପଞ୍ଚାୟତ ଓ ପୌରସ୍ତରକୁ ନେଇଛନ୍ତି ।

କରୋନା ସଂକ୍ରମଣର ଗମ୍ଭୀରତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇ ନବୀନ କହିଛନ୍ତି, ଆଣମାନଙ୍କ ସହ ମୁଁ ୯ ତାରିଖରେ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ପଜିଟିଭ୍‌ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଏ ସମୟରେ ଆମ ଦେଶରେ କରୋନା ପଜିଟିଭ୍‌ କେସ୍‌ ତିନିଗୁଣ ହୋଇଛି । ୨ ଶହରୁ ବଢ଼ି ୫ ଶହ ଡେଇଁଛି । ଗତ ୯ରେ ରାଜ୍ୟରେ ପଜିଟିଭ୍‌ କେସ୍‌ ୪୨ ଥିଲା । ଜଣେ ବ୍ୟକ୍ତି ମୃତୁବ୍ୟରଣ କରିଥିଲେ । ଏବେ ପଜିଟିଭ୍‌ କେସ୍‌ ୬୧ରେ ପହଞ୍ଚିଛି । ଆମର କରୋନା ପରୀକ୍ଷା ତିନିଗୁଣା ହୋଇଛି । ଆମର ସକ୍ରିୟ ସଂକ୍ରମିତ କେସ୍‌ ମଧ୍ୟ କମିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ତ୍ୟାଗର ପ୍ରଶଂସା କରିଛନ୍ତି । ସମସ୍ତଙ୍କ ସହଯୋଗ, ପ୍ରତି ଲୋକର ତ୍ୟାଗ, ପ୍ରତି ପରିବାର ଓ ମା’ମାନଙ୍କର ତ୍ୟାଗ ସହ ନିଷ୍ଠାର ସହ କାମ କରୁଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି, ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି । ଆମେ ସେମାନଙ୍କ ଯତ୍ନ ନେଉଛୁ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଶାର ଲକ୍ଷ ଲକ୍ଷ ଭାଇ ଉଉଣୀମାନେ ରହି ଯାଇଛନ୍ତି । ତୀର୍ଥରେ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ପ୍ରଫେସନାଲସ୍‌, ଶ୍ରମିକ ଓ ରୋଗୀ ସବୁ ଫସି ଯାଇଛନ୍ତି । ସେମାନଙ୍କ ଅବସ୍ଥା ମୋତେ ଦୁଃଖ ଦେଉଛି । ଆମର ଏବଂ ସେହି ରାଜ୍ୟଗୁଡ଼ିକର ସବୁ ଉଦ୍ୟମ ସତ୍ତେ୍ୱ ଏଯାଏ ସେମାନଙ୍କ ଜୀବନ ସ୍ୱାଭାବିକ ହୋଇପାରିନି।

ଯେତେବେଳେ କଟକଣା ଉଠିଯିବ, ସେତେବେଳେ ଆମେ କେନ୍ଦ୍ର ସରକାରଙ୍କ ସହ ତଥା ଅନ୍ୟ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବୁ । ଆମ ଲୋକମାନେ ଯେଭଳି ସୁବିଧାରେ ଫେରିବେ ସେଥିପାଇଁ ଆମେ ବ୍ୟବସ୍ଥା କରିବୁ । ଏଥିପାଇଁ ଆମେ ଟେକ୍‌ନୋଲାଜିର ସୁବିଧା ନେବୁ । ଏ ସମସ୍ୟା କିନ୍ତୁ ବହୁତ ବଡ଼ । ତେଣୁ ଆମକୁ ବିକେନ୍ଦ୍ରୀକରଣ ମାନସିକତାରେ କାମ କରିବାକୁ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ପଞ୍ଚାୟତ ଓ ପୌରସଂସ୍ଥାଗୁଡ଼ିକୁ ସାଥିରେ ନେଇ କାମ କରିବାକୁ ହେବ । ତେଣୁ ପଞ୍ଚାୟତ ଓ ପୌରାଞ୍ଚଳରେ ବାହାରୁ ଯେଉଁ ଲୋକ ଫେରିବେ ସେମାନଙ୍କର ପଞ୍ଜୀକରଣ ସହ କ୍ୱାରେଣ୍ଟାଇନରେ ରହିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ହେଉଛି ତୃଣମୂଳସ୍ତରରେ ଲୋକମାନଙ୍କର ନିଜ ଅନୁଷ୍ଠାନ । ତେଣୁ ମୋର ପୂର୍ଣ୍ଣ ବିଶ୍ୱାସ, କୋଭିଡ୍‌-୧୯ ଲଢ଼େଇରେ ପଞ୍ଚାୟତ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

   ସମ୍ବନ୍ଧିତ ଖବର


କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା