ଆଡମିଶନ୍‌ କରାଇ ଦେବାକୁ ନାଁ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ହାଇଟେକ୍‌ ଫିଜିଓଥେରାପି କଲେଜର ପୂର୍ବତନ ଅଧ୍ୟକ୍ଷ ଗିରଫ

ଭୁବନେଶ୍ୱର,୨୨/୧୧: ଆଡମିଶନ୍‌ କରାଇ ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ରାଉରକେଲା ହାଇଟେକ୍‌ କଲେଜ ଅଫ୍‌ ଫିଜିଓଥେରାପିର ପୂର୍ବତନ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ତାଙ୍କ ନାମ ଡ. ପ୍ରେମ୍‌ ରଞ୍ଜନ ଓଝା (୪୩) । ସେ ହଂସପାଳସ୍ଥିତ ମେଟ୍ରୋ ସାଟେଲାଇଟ୍‌ ସିଟିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଜାଗମରାରେ ରହୁଥିବା ପ୍ରଜ୍ଞା ପ୍ରକାଶ ଦାସ ୨୦୧୭ରେ ନିଟ୍‌ ପରୀକ୍ଷା ଦେଇ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ରାଉରକେଲା ହାଇଟେକ୍‌ କଲେଜ ଅଫ୍‌ ଫିଜିଓଥେରାପିକୁ ଯାଇଥିଲେ । ତତ୍‌କାଳୀନ ଫିଜିଓଥେରାପି କଲେଜର ଅଧ୍ୟକ୍ଷ ଥିବା ଡ. ପ୍ରେମ୍‌ ରଞ୍ଜନ ଓଝାଙ୍କୁ ଭେଟିଥିଲେ । ମୋତେ ୧୦ ଲକ୍ଷ ଟଙ୍କା ଦେଲେ ମୁଁ ତୁମର ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଆଡମିଶନ୍‌ କରାଇ ଦେବି ବୋଲି ସେ କହିଥିଲେ । ଡ. ପ୍ରେମ୍‌ ରଞ୍ଜନ ଖଣ୍ଡଗିରିକୁ ଆସି ପ୍ରଜ୍ଞା ପ୍ରକାଶଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ଡ. ପ୍ରେମ ରଞ୍ଜନ ଆଉ ପ୍ରଜ୍ଞା ପ୍ରକାଶଙ୍କ ଆଡ୍‌ମିସନ୍‌ କରାଇ ପାରି ନଥିଲେ । ଟଙ୍କା ଫେରସ୍ତ ମାଗିବାରୁ ସେ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ସେ ୨୦୨୦ ଫେବ୍ରୁଆରୀ ୧୯ ତାରିଖ ପକାଇ ୩ଟି ଚେକ୍‌ ପ୍ରଜ୍ଞା ପ୍ରକାଶଙ୍କୁ ଦେଇଥିଲେ । କିନ୍ତୁ ପ୍ରଜ୍ଞା ଚେକ୍‌ ଲଗାଇବା ପୂର୍ବରୁ ଡ. ପ୍ରେମ୍‌ ରଞ୍ଜନ ବ୍ୟାଙ୍କ୍‌ରେ ଷ୍ଟପ୍‌ ପେମେଣ୍ଟ୍‌ କରି ଦେଇଥିଲେ । ପ୍ରଜ୍ଞା ତାଙ୍କ ସହ ଯୋଗାଯୋଗ କରିବାରୁ ସେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ ।

ପ୍ରଜ୍ଞା ପ୍ରକାଶ ଏନେଇ ଗତ ୧୮ ତାରିଖରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ-୭୪୯/୨୦ରେ ଏକ ମାମଲା ରୁଜୁକରି ଦଫା -୪୧୯/୪୨୦ ଆଇପିସି ଲଗାଇ ଗତକାଲି ଡ. ପ୍ରେମ୍‌ ରଞ୍ଜନଙ୍କୁ ଗିରଫ କରିଥିଲା । ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।