ଅଦ୍ଭୁତ ଶ୍ରଦ୍ଧାଞ୍ଜଳି: ତ୍ରିରଙ୍ଗା ସମେତ ୭୧ ଜଣ ସହିଦଙ୍କ ନାଁକୁ ପିଠିରେ ଖୋଦିଲେ ଗୋପାଳ

ନୂଆଦିଲ୍ଲୀ,୧୯/୨: ସହିଦ ଯବାନ୍ ଅମର ରହେ…ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍… ଭାରତୀୟ ସେନା ତୁମେ ମହାନ୍…। ଏମିତି ଧ୍ବନିରେ ପ୍ରକମ୍ପିତ ହେଉଛି ସାରା ଦେଶ।୧୪ ତାରିଖରେ ଜମ୍ମୁ କାଶ୍ମୀରର ପୁଲଓ୍ବାମାରରେ ସହିଦ ବୀର ଯବାନଙ୍କୁ ମନେପକାଇବା ପାଇଁ କିଏ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ତ କିଏ ପରିବାର ସଦସ୍ୟକୁ ଲକ୍ଷ ଲକ୍ଷ ଟଙ୍କା ସହାୟତା ଦେଲାଣି। ସହଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଦେଶ ଏଥିରେ ସାମିଲ ହୋଇଯାଇଛି।

କେବଳ ସେତିକି ନୁହେଁ, ସହିଦ ଯବାନଙ୍କୁ ସାରା ଦିନ ମନେରଖିବା ପାଇଁ ରାଜସ୍ଥାନର ବିକାନେରର ଜଣେ ଯୁବକ ଏକ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣକ ନିଜ ଶରୀରକୁ ସହିଦଙ୍କ ସ୍ମୃତିରେ ହସ୍ତାନ୍ତର କରିଦେଇଛନ୍ତି। ମୋମାସର ଗାଁରେ ରହୁଥିବା ଗୋପାଳ ସାରଣ ନିଜ ଶରୀରରେ ୭୧ଜଣ ସହିଦଙ୍କ ନାଁକୁ ଖୋଦେଇ କରିଛନ୍ତି। ପୁଲଓ୍ବାମାର ୪୨ଜଣ ସହିଦଙ୍କ ସମେତ ବିକାନେର ଜିଲ୍ଲାର ୨୦ଜଣ, ରତନଗଡ଼ର ୯ଜଣ ଯବାନଙ୍କ ନାଁକୁ ସାମିଲ କରିଛନ୍ତି। ଏହି ଟାଟୁକୁ ଗୋପାଳ ପିଠିରେ କରିଛନ୍ତି। ଏହା ବ୍ୟତୀତ ତ୍ରିରଙ୍ଗାକୁ ମଧ୍ୟ ପିଠିରେ ଖୋଦେଇ କରିଛନ୍ତି।

ଶାସନ ପ୍ରଶାସନକୁ ଦୋଷ ଦେଉଥିବା ଗୋପାଳଙ୍କ ମନରେ ଏବେ ବି ଦୁଃଖ ରହିଛି କି, ବିକାନେରରେ ସଂଭାଗ ମୁଖ୍ୟାଳୟ ଥିବା ସତ୍ତେ୍ବ ଏଠାରେ ସହିଦଙ୍କ ସ୍ମାରକୀ ନାହିଁ। ସହିଦଙ୍କ ମଧ୍ୟରେ କୋଟାର ହେମରାଜ ମୀରା, ଜୟପୁର ଶାହପୁରାର ରୋହିତାଶ ଲାମ୍ବା, ଦୋଲପୁରର ଭାଗୀରଥ ସିଂହ, ଭରତପୁରର ଜିତରାମ ଗୁର୍ଜର ଏବଂ ରାଜସମନ୍ଦ ରାୟର ଗୁର୍ଜର ସାମିଲ ଅଛନ୍ତି। ତଥାପି ପ୍ରଶାସନର ନିଘା ନାହିଁ ବୋଲି ଗୋପାଳ କହିଛନ୍ତି।
